ମିଲର୍ସପୋଷା ନୀତି ଓ ମଣ୍ଡି ମାୟାଜାଲରେ ଫସିଛି ଚାଷୀ, ମଣ୍ଡି ହେଣ୍ଡଲିଂ ଅର୍ଥ ଯାଉଛି କୁଆଡ଼େ?

ସମ୍ବଲପୁର(ଗାର୍ଗୀ ଶତପଥୀ): ପଶ୍ଚିମ ଓଡ଼ିଶାରେ କଷ୍ଟମ ମିଲିଂ ବ୍ୟବସ୍ଥାରେ ଧାନ ସଂଗ୍ରହ ପରେ ମଧ୍ୟ ସୁଧୁରୁନି ଧାନ ସଂଗ୍ରହ ଅବ୍ୟବସ୍ଥା। ବରଂ ମଣ୍ଡିରେ ତିଆରି କରାଯାଇଥିବା ମାୟାଜାଲରେ ପେଶି ହେବାରେ ଲାଗିଛି ଚାଷୀ। ଧାନ ବିକ୍ରି ପାଇଁ ୨୦୦୩ ପୂର୍ବରୁ ଚାଷୀ ଯେଉଁଭଳି ରାଜରାସ୍ତାରେ ଥିଲା, ଆଜିବି ସେମିତି ଅବସ୍ଥାରେ ରହିଛି। ଆନ୍ଦୋଳନ ତେଜିବାରେ ଲାଗିଛି।

୨୦୦୩ ମସିହା ବେଳକୁ ପଶ୍ଚିମ ଓଡ଼ିଶାରେ ଧାନ ଅଭାବୀ ବିକ୍ରି ସମସ୍ୟା ଉତ୍କଟ ହୋଇ ସାରିଥିଲା। ଏହା ବିରୋଧରେ ଲଗାତାର ଚାଷୀ ଆନ୍ଦୋଳନ ଚାଲିଥିଲା। ଏହିଭଳି ସ୍ଥିତି ଭିତରେ ବରଗଡ଼ ଜିଲ୍ଲା ଚାଷୀ ବାବୁ ରାଓ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରେ ଆତ୍ମହତ୍ୟା କରିବା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଧାନ ବିକ୍ରି ସମସ୍ୟା ସମାଧାନ ପାଇଁ ଲେଭିରେ ଧାନ ବିକ୍ରି ବ୍ୟବସ୍ଥା ଉଚ୍ଛେଦ କରାଯାଇ ଆରମ୍ଭ ହେଲା ପଂଜାବ ଢାଞ୍ଚାରେ କଷ୍ଟମ ମିଲିଂରେ ଧାନ ସଂଗ୍ରହ ବ୍ୟବସ୍ଥା। ଏଥିରେ ମିଲର୍ସଙ୍କ ଭୂମିକା ଗୌଣ କରି ଦିଆଗଲା। ଚାଷୀଙ୍କ ଭୂମିକା ବି କେବଳ ମଣ୍ଡି ପର୍ଯ୍ୟନ୍ତ କେବଳ ଧାନ ଆଣିବାରେ ସୀମିତ ରଖାଗଲା। ଅର୍ଥାତ ଚାଷୀ ନିଜର ଧାନକୁ ଆଣି ମଣ୍ଡିରେ ଗଦା କରିଦେବା ପରେ ଏହା ପରର ସମସ୍ତ ଦାୟିତ୍ବ ଆର୍‌ଏମସି ଏବଂ କ୍ରୟକାରୀ ସଂସ୍ଥାକୁ ଦିଆଗଲା। ଏଥିପାଇଁ ରାଜ୍ୟ ସରକାର ସାଢେ ୮ ହଜାର କୋଟି ଟଙ୍କା ଖର୍ଚ ବ୍ୟବସ୍ଥା କଲେ। ଏହି ବିକ୍ରି ବ୍ୟବସ୍ଥା ସୁଦୃଢ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ମଣ୍ଡି ପରିଚାଳନା (ହେଣ୍ଡଲିଂ) ବାବଦ ଅର୍ଥ ବି ଆସିଲା। ଏହା ଅନୁସାରେ ଶ୍ରମିକ ମଜୁରି, ବସ୍ତା ମୂଲ୍ୟ, ମଣ୍ଡିରୁ ମିଲ୍‌କୁ ଧାନ ପରିବହନ ସମେତ ବିଭିନ୍ନ ବାବଦ ମଣ୍ଡି ଖର୍ଚ୍ଚ କେନ୍ଦ୍ର ସରକାର ଦେଲେ। କିନ୍ତୁ ଆଜି ବି ଧାନ ସଂଗ୍ରହର ବାସ୍ତବିକତା ସଂପୂର୍ଣ୍ଣ ଭିନ୍ନ ଥିବା ଦେଖିବାକୁ ମିଳୁଛି। ଏବେ ବି ଚାଷୀ ନିଜ ଗାଡ଼ିରେ ଧାନ ଲଦି ମଣ୍ଡିକୁ ନେଉଛି ଓ ମଣ୍ଡିରୁ ପୁଣି ମିଲ୍‌କୁ ନେଉଛି। ମଣ୍ଡି ପରିଚାଳନା ପାଇଁ ଆସୁଥିବା ଅର୍ଥ ତା’ ହେଲେ କ’ଣ ପାଇଁ ଆସୁଛି ଓ କୁଆଡ଼େ ଯାଉଛି ବୋଲି ସ୍ବତଃ ପ୍ରଶ୍ନ ଉଠୁଛି।

ଚାଷୀ ଉପରେ ବୋଝ
ଧାନ ସଂଗ୍ରହ ବ୍ୟବସ୍ଥା ଅନୁଯାୟୀ, ଜମିରୁ ଧାନ ଅମଳ ପରେ ଚାଷୀ ଏହାକୁ ସିଧାସଳଖ ଆଣି ମଣ୍ଡିରେ ଗଦା କରି ଚାଲିଯିବା ଉଚିତ। ଏଥିପାଇଁ ବସ୍ତା ମଧ୍ୟ ଦରକାର ନାହିଁ। ଏହାପରେ ଆର୍‌ଏମ୍‌ସି ପକ୍ଷରୁ ମଣ୍ଡିରେ ଧାନ ସଫା କରି ଶୁଖାଇ ଦିଆଯିବା ପରେ ବିକ୍ରିଯୋଗ୍ୟ କରି ଚାଷୀକୁ ସୂଚନା ଦିଆଯିବ। ଏହାପରେ ଧାନ ନିଲାମ ହେବ। ଉପସ୍ଥିତ ବିଭିନ୍ନ କ୍ରୟକାରୀ ସଂସ୍ଥା ମଧ୍ୟରୁ ଯିଏ ସର୍ବାଧିକ ମୂଲ୍ୟ ଦେବ ସେ ହିଁ ଧାନ ନେବ। କଷ୍ଟମ ମିଲିଂ ବ୍ୟବସ୍ଥା ଆରମ୍ଭର କିଛି ବର୍ଷ ମାର୍କଫେଡ୍‌, ନାଫେଡ୍‌, ଏଫ୍‌ସିଆଇ ଭଳି ଅନେକ କ୍ରୟକାରୀ ସଂସ୍ଥା ଆସୁଥିଲେ। ପରବର୍ତ୍ତୀ ସମୟରେ କେବଳ ପେକ୍ସକୁ ହିଁ କ୍ରୟ ଦାୟିତ୍ବ ଦିଆଗଲା। ନିୟମ ଅନୁସାରେ କ୍ରୟକାରୀ ସଂସ୍ଥା ଧାନ କିଣିବା ପରେ ଏହି ଧାନକୁ ଶ୍ରମିକଙ୍କ ସହାୟତାରେ ନୂଆ ବସ୍ତାରେ ରଖିବେ। ମଣ୍ଡିରୁ ଏହା ଅସ୍ଥାୟୀ େୱର ହାଉସକୁ ଯିବ। ସେଠାରୁ କଷ୍ଟମ ମିଲିଂ ପାଇଁ ମିଲର୍‌ଙ୍କ ପାଖକୁ ଯିବା। ମଣ୍ଡି ହେଣ୍ଡଲିଂ ବା ଉପରୋକ୍ତ ଧାନ ବସ୍ତା କିଣା, ଶ୍ରମିକ ମଜୁରି ଏବଂ ପରିବହନ ଖର୍ଚ ବାବଦ ଅର୍ଥ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଦେଉଛି। ମାତ୍ର ମଣ୍ଡି ପରିଚାଳନାର ଯେଉଁ ଚିତ୍ର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେଖାଉଛନ୍ତି, ତାର ବାସ୍ତବିକତା ସଂପୂର୍ଣ୍ଣ ଅଲଗା।

ବାସ୍ତବିକତା ହେଲା, ଚାଷୀ ଏବେ ବି ନିଜ ବସ୍ତାରେ ଧାନ ଆଣି ଓଜନ କରି ବିକୁଛି। େୱର ହାଉସ ଅଭାବରୁ ଧାନ ସିଧାସଳଖ ମିଲ୍‌କୁ ଯାଉଛି। ମଣ୍ଡିରୁ ମିଲ୍‌କୁ ଯିବା ପାଇଁ ପରିବହନ ଖର୍ଚ କିଲୋମିଟର ହିସାବରେ ଠିକ୍‌ ଭାବରେ ମିଳୁ ନାହିଁ। ଯେଉଁ ଚାଷୀ ଚାପ ପକାଉଛି, କେବଳ ସେହି ଚାଷୀ ଏହାକୁ ପାଉଥିବା ବେଳେ ଅନ୍ୟ ସାଧାରଣ ଚାଷୀ ବଞ୍ଚିତ ହେଉଛନ୍ତି। ଆହୁରି ମଧ୍ୟ ଶ୍ରମିକ ମଜୁରି ଓ ବସ୍ତା ଖର୍ଚ ମଧ୍ୟ ଚାଷୀ ନିଜେ ବହନ କରୁଛି। ସେହିଭଳି ଧାନର ମାନ ନିର୍ଣ୍ଣୟ ବେଳେ ଏଥିରେ ସମସ୍ୟା ଥିଲେ, ଏହାକୁ ଶୁଖାଇବା ବ୍ୟବସ୍ଥା ମଧ୍ୟ ମଣ୍ଡିରେ କରାନଯାଇ ବ୍ୟାପକ କଟ୍‌ନି ଛଟ୍‌ନି କରାଯାଉଛି। ସମ୍ବଲପୁରରେ ମଣ୍ଡି ହେଣ୍ଡଲିଂ ବାବଦରେ ଆସୁଥିବା ଅର୍ଥ ଗତ ୧୦ ବର୍ଷ ମଧ୍ୟରେ ଆଦୌ ଖର୍ଚ୍ଚ ହୋଇନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମଣ୍ଡି ହେଣ୍ଡଲିଂ ଅର୍ଥ ଦୁର୍ନୀତି ରାଜ୍ୟର ସବୁଠାରୁ ବଡ଼ ଦୁର୍ନୀତି ବୋଲି ବିଭିନ୍ନ ସମୟରେ ସମ୍ବଲପୁରର ଚାଷୀ ନେତାମାନେ କହି ଆସିଛନ୍ତି। ଏ କଥା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ସମସ୍ତେ ଜାଣିଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବରଂ ଚାଷୀଙ୍କ ଉପରେ ବୋଝ ଲଦା ଚାଲିଛି ଓ ବିଭିନ୍ନ ବାଟରେ ସେମାନଙ୍କୁ ଶୋଷଣ କରାଯାଉଛି।

ଗୌଣ ହେଉନି ମିଲର୍ସଙ୍କ ଭୂମିକା
କଷ୍ଟମ ମିଲିଂ ସତ୍ତ୍ବେ ମଧ୍ୟ ମିଲର୍ସଙ୍କ ଭୂମିକା ଗୌଣ ହୋଇନି। ଗତବର୍ଷ ମିଲର୍ସଙ୍କ ଆନ୍ଦୋଳନ ବେଳେ ଏହା ସ୍ପଷ୍ଟ ହୋଇ ସାରିଥିଲା। ନିୟମ ଅନୁଯାୟୀ, ଧାନର ମାନ ନିର୍ଣ୍ଣୟ ଏବଂ ଧାନ କ୍ରୟ ଦାୟିତ୍ବ କ୍ରୟକାରୀ ସଂସ୍ଥାର ଅଟେ। ଏଥିପାଇଁ ସରକାରଙ୍କ ପକ୍ଷରୁ ପେକ୍ସ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ। ମିଲ ମାଲିକ ଧାନ ମଣ୍ଡିକୁ ମାଡ଼ିବା କଥା ନୁହେଁ। ସେମାନେ େୱର ହାଉସରୁ ଧାନ ନେଇ ଚାଉଳ କରିବା ଉଚିତ। ମାତ୍ର ସରକାର କିମ୍ବା ଆର୍‌ଏମ୍‌ସିର କୌଣସି େୱର ହାଉସ ବା ଅସ୍ଥାୟୀ ଗୋଦାମ ନାହିଁ। ତେଣୁ ସେମାନେ ମିଲ ହେଡ୍‌କୁ ଗୋଦାମ ଭାବରେ ବ୍ୟବହାର କରୁଛନ୍ତି। ସ୍ଥିତି ଏଭଳି ହେଉଛି ଯେ କ୍ରୟକାରୀ ସଂସ୍ଥା ମାନ ନିର୍ଣ୍ଣୟ ପରେ ମଧ୍ୟ ମିଲ ମାଲିକ ମାନ ନିର୍ଣ୍ଣୟ କରି ଧାନର କଟ୍‌ନି ଛଟ୍‌ନି କରୁଛନ୍ତି। ଆହୁରି ମଧ୍ୟ ଗସ୍ତ ଖର୍ଚ ବାବଦର ଅର୍ଥ ହେରଫେର ପାଇଁ ମିଲ ମାଲିକ ସିଧାସଳଖ ମଣ୍ଡିକୁ ଆସି ଧାନ ଉଠାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର