୫-ଟି କାମର ଉତ୍ତର କିଏ ଦେବ?: ଜୟନାରାୟଣ

ଜୟନାରାୟଣଙ୍କୁ ୫-ଟି ଭୂତ ଲାଗିଛି: ଅମର

ଭୁବନେଶ୍ବର : ବୁଧବାର ଦିନ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ୫-ଟି ପ୍ରସଙ୍ଗ ଉଠାଇଛନ୍ତି। ଶ୍ରୀ ମିଶ୍ର ମନ୍ତ୍ରୀ ଓ ଶାସକ ଦଳ ବିଧାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯଦି ୫ଟି ତୁମ ପାଇଁ ଏକ ଚିନ୍ତାଧାରା, ବିଚାରଧାରା ତେବେ ତାହା କେବଳ ଏକ ବିଚାରଧାରାରେ ରହୁ।‌ ସେ କେମିତି ସବୁ ବିଭାଗର ମାଲିକ ହେବେ? ୫-ଟି ନାଁରେ କାହିଁକି ଅନ୍ୟ ବିଭାଗ ଉପରେ ମାଲିକାନା ଜାହିର୍ କରାଯାଉଛି। ଆମ ବ୍ୟବସ୍ଥାରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସମସ୍ତେ ସମସ୍ତଙ୍କ ପାଖରେ ଉତ୍ତରଦାୟୀ। ‌ହେଲେ ୫ଟି କାହା ପାଖରେ ଉତ୍ତର ଦାୟୀ? ତାଙ୍କ କାମର ଉତ୍ତର କିଏ ଦେବ? ୫-ଟି କ’ଣ ସବୁଠୁ ଊର୍ଦ୍ଧ୍ବରେ କି ବୋଲି ଜୟନାରାୟଣ ପ୍ରଶ୍ନ କରିଥିଲେ।

ବିରୋଧୀ ଦଳ ନେତା ଶୂନ୍ୟକାଳରେ ପୁଣି କହିଥିଲେ ଯେ ନବ ଦାସ ହତ୍ୟାକାଣ୍ଡକୁ ୪୫ଦିନ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ହତ୍ୟାର କାରଣ, ହତ୍ୟା ପଛରେ କିଏ ଅଛି? ସେନେଇ ଓଡ଼ିଶାବାସୀ ସନ୍ଦୀହାନ। ଏନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଗୋଟେ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ଆଉଗୋଟେ ରହୁଛି। ତେଣୁ ନବ ଦାସ ହତ୍ୟାକାଣ୍ଡର ତଦନ୍ତ କେବେ ସୁଦ୍ଧା ସରିବ, ବାଚସ୍ପତି ରୁଲିଂ ଦିଅନ୍ତୁ।

ଜୟନାରାୟଣ ଆଜି ପୁଣି ୫-ଟି ପ୍ରସଙ୍ଗ ଉଠାଇବାରୁ ବିଜେଡି ବିଧାୟକ ଅମର ଶତପଥୀ ତାଙ୍କୁ କଟାକ୍ଷ କରି କହିଥିଲେ ଯେ ଜୟନାରାୟଣଙ୍କୁ ୫-ଟି ଭୂତ ଲାଗିଛି। ସେ ସବୁଦିନ ଅଯଥାରେ ଏହି ପ୍ରସଙ୍ଗ ଉଠାଉଛନ୍ତି। ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ ନକରନ୍ତୁ। କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବି ଜଣେ ଅଧିକାରୀ ବିଭିନ୍ନ ବିଭାଗର କାମକୁ ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର