ଅନ୍ୟ ରାଜ୍ୟଠାରୁ ଓଡ଼ିଶାରେ ବିଜୁଳି ମହଙ୍ଗା କାହିଁକି?

ସରକାରଙ୍କ ବିରୋଧରେ ତଥ୍ୟ ରଖି ଗର୍ଜିଲେ କଂଗ୍ରେସ, ବିଜେପି
କେନ୍ଦ୍ର ସରକାରଙ୍କ ୮୪ କୋଟି ଅନୁଦାନ କଥା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ୟୁନିଟ୍ ପିଛା ୨୦ ପଇସା ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ବିଜେପି ଓ କଂଗ୍ରେସ ପୁଣି ଥରେ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଲଦିଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା କାଳରେ କ୍ଷତିଭରଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ସଂପର୍କରେ ଟ୍ବିଟ୍ ଦେଇଛନ୍ତି। ଆଗକୁ ଉପନିର୍ବାଚନ ଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ସରକାରଙ୍କ ପାଇଁ ଅକଳିଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପ୍ରସଙ୍ଗରେ କହିଛନ୍ତି, ସାରା ଭାରତବର୍ଷରେ ଯଦି କେଉଁ ଅଞ୍ଚଳରେ ଶସ୍ତାରେ ବିଦ୍ୟୁତ ମିଳିବା କଥା ତାହା ମଧ୍ୟରୁ ଓଡିଶା ଅନ୍ୟତମ। କାରଣ ଏଠାରେ ଜଳବିଦ୍ୟୁତ ଉତ୍ପାଦନ ହୁଏ ଏବଂ କୋଇଲା ବିଦ୍ୟୁତ ବି ଉତ୍ପାଦନ ହୁଏ। ଏହା ବ୍ୟତୀତ ସୂର୍ଯ୍ୟକିରଣରୁ ବିଦ୍ୟୁତ ଉତ୍ପାଦନ କରିବାର ଯଥେଷ୍ଟ ସୁଯୋଗ ଓଡ଼ିଶାରେ ଅଛି। କିନ୍ତୁ ସରକାରଙ୍କ ଅପାରଗତା ପାଇଁ ଉପଭୋକ୍ତାଙ୍କୁ ଏଠି ବହୁ ମୂଲ୍ୟ ଦେବାକୁ ପଡୁଛି। ବର୍ତ୍ତମାନ ଓଡ଼ିଶାରେ ଯେତିକି ବିଦ୍ୟୁତ ଉତ୍ପାଦନ ହେଉଛି ତାର
୩୫ ଭାଗ ବୈଷୟିକ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ କ୍ଷତି ହେଉଛି।ଏହା ସର୍ବାଧିକ ୧୦ରୁ ୧୨% ରହିବା କଥା। ଦିଲ୍ଲୀ ସହରରେ ଏହା ୮ ରୁ ୯%କ୍ଷତି ରହିଛି।

କଂଗ୍ରେସ ଆହୁରି କହିଛି ଯେ ବିଦ୍ୟୁତ ବିଲ ଠିକ ଭାବେ ଦିଆ ଯାଉନାହିଁ କି ଆଦାୟ କରାଯାଉନାହିଁ। ତା ସହିତ ବିଦ୍ୟୁତ ଚୋରି ବୃଦ୍ଧି ପାଉଛି। ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ ଅଭିବୃଦ୍ଧିର କାରଣ ଗୁଡିକ ସମାଧାନ ନ କଲା ପର୍ଯ୍ୟନ୍ତ ଏହିପରି ବିଦ୍ୟୁତ ମୂଲ୍ୟ ବଢ଼ି ବଢ଼ି ଯିବ। ୧୯୯୯ ବାତ୍ୟା ପୂର୍ବରୁ ବିଶ୍ୱବ୍ୟାଙ୍କ ସହିତ ଚୁକ୍ତିନାମା କରି ବିଦ୍ୟୁତ ସଂସ୍କାର କରିବାର କାର୍ଯ୍ୟକ୍ରମ କଂଗ୍ରେସ ସରକାର ଗ୍ରହଣ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ୨୦୦୦ ମସିହା ପରେ ସେ ସଂସ୍କାର କାର୍ଯ୍ୟକୁ ବନ୍ଦ କରିଦେଲେ ସରକାର। ଯେଉଁ ବୈଷୟିକ ତ୍ରୁଟିକୁ ସମାଧାନ କରିବାର ଥିଲା ତାହା ହେଲା ନାହିଁ। ଯେଉଁ ବେସରକାରୀ ସଂସ୍ଥାମାନେ ଦାୟିତ୍ୱ ନେଲେ ସେମାନେ ବି ଦୃଷ୍ଟି ଦେଲେ ନାହିଁ। ଯାହା ଫଳରେ ବିନା କାରଣରେ ବିଦ୍ୟୁତ ଦର ବଢ଼ି ବଢ଼ି ଚାଲୁଛି। ଏବେ ମହାମାରି କରୋନାରେ ଲୋକେ ଜୀବନ ବଞ୍ଚେଇବାକୁ ଜୀବିକା ସହ ସଂଘର୍ଷ କରୁଥିବା ବେଳେ ବିଦ୍ୟୁତ ଦର ବଢ଼ାଯାଇଛି ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ବିଟ୍ କରି କେନ୍ଦ୍ର ସରକାରଙ୍କ ଅବଦାନ ସଂପର୍କରେ ସ୍ମରଣ କରାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଲକ୍‌ଡାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନି (ଡିସ୍‌କମ୍‌)ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୮୪ କୋଟି ଟଙ୍କାର ରିହାତି ଦିଆଯାଇଛି। ଉଦ୍ଦେଶ୍ୟ ହେଉଛି, ରାଜ୍ୟରେ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ ହୋଇପାରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନିଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନରେ ଥିବା ଏନ୍‌ଏଚ୍‌ପିସି ୩.୭୮ କୋଟି, ଏନ୍‌ଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି। ଓଡ଼ିଶାରେ କରୋନା ଦ୍ୱାରା ପ୍ରଭାବିତ ଶକ୍ତି କ୍ଷେତ୍ର ଏବଂ ବିଦ୍ୟୁତ୍ ବିତରଣ କମ୍ପାନିକୁ ସହାୟତା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ସହ ମୋଦୀ ସରକାର ନିରନ୍ତର ସହଯୋଗ ଦେଉଛନ୍ତି।

କରୋନା ମହାମାରୀ ସମୟରେ ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ଘଟଣାରେ ଆଜି ବି ଦୃଢ ପ୍ରତିବାଦ କରିଛି ବିଜେପି। ଦଳର ରାଜ୍ୟ ସଂପାଦକ ଗୋଲକ ବିହାରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର। କେନ୍ଦ୍ରର ସହଯୋଗ ସତ୍ତ୍ବେ ଅକ୍ଟୋବର ପହିଲାରୁ ବିଜୁଳି ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ଲାଗି ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ନିଷ୍ପତି ନେଇଛନ୍ତି। ଗ୍ରିଡକୋ ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନି ଉପରେ ୫୯୬୩.୨୧ କୋଟି ଟଙ୍କା ବକେୟା ଅଛି। ସେଥିମଧ୍ୟରୁ ୱେସ୍କୋ ଉପରେ ୧୧୧୪.୬୫ କୋଟି, ନେସ୍କୋ ଉପରେ ୧୦୨୪.୦୬ କୋଟି, ସାଉଥକୋ ଉପରେ ୧୧୬୩.୬୯ କୋଟି ଓ ସେସୁ ଉପରେ ୨୬୬୦ କୋଟି ବକେୟା ରହିଛି। ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବଢିବ ବୋଲି ସରକାର କହୁଛନ୍ତି କିନ୍ତୁ ଗ୍ରିଡ୍‌କୋ ଠାରୁ ବିଦ୍ୟୁତ ବିତରଣ କମ୍ପାନି (ଡ଼ିସକମ) ୭ ପଇସାରେ କିଣିବେ ଅଥଚ ଉପଭୋକ୍ତା ୨୦ ପଇସା ଅଧିକ ଦେବେ?

ବିଜେପି କହିଛି, ୭ ମାସ ତଳେ ଓଇଆରସିକୁ ବିଭିନ୍ନ ସଂସ୍ଥା ବିଦ୍ୟୁତ ଦର ବୃଦ୍ଧି ପାଇଁ କହିଥିଲେ। କିନ୍ତୁ ବିରୋଧ ହେବାରୁ ବିଦ୍ୟୁତ ଦର୍ ବଢାଇବା ପାଇଁ ମନା କଲେ। ଏବେ କୋଭିଡ଼୍ ସମୟରେ ରାଜ୍ୟବାସୀ ଜୀବନ ଜୀବିକାକୁ ନେଇ ଆତଙ୍କଜନକ ପରିସ୍ଥିତିରେ ଥିବା ବେଳେ ଓଇଆରସିର ବିଦ୍ୟୁତ ଦର ବୃଦ୍ଧି ନିଷ୍ପତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏହାକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଉଛି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ। ଏପରି ନହେଲେ ବିଜେପି ଦଳ ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବ ଓ ବିଧାନସଭାରେ ବି ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବ।

ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟର ବଡ ଶିଳ୍ପାନୁଷ୍ଠାନ,ବିଜୁଳି ଉତ୍ପାଦନକାରୀ କମ୍ପାନିଙ୍କୁ ରାଜ୍ୟର ଗରିବ ଜନସାଧାରଣଙ୍କ ଝାଳବୁହା ଟିକସ ଟଙ୍କାରୁ ରିହାତି ଦେଉଛନ୍ତି ଅଥବା ବିଭିନ୍ନ ଆଳରେ ପଡି ରହିଥିବା ମୋଟା ବିଲ୍ ଆଦାୟ କରୁନାହାନ୍ତି। ଏପଟେ କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା ପରି ସାଧାରଣ ଲୋକଙ୍କ ଉପରେ ଜବରଦସ୍ତି ରାଜ୍ୟ ସରକାର ବୋଝ ଲଦି ଦେଉଛନ୍ତି। ରାଜ୍ୟର ୨୬ଟି ବଡ ଶିଳ୍ପ ସଂସ୍ଥାଙ୍କ ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଜୁଳି ବିଲ୍ ପଡିରହିଛି। ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନି କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗ୍‌ଣ କରିଛନ୍ତି। ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟନୁସାରେ, ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ୟୁନିଟ୍ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି। ମାତ୍ର ବାହାର ରାଜ୍ୟରୁ ଯେଉଁ ବିଜୁଳି କିଣୁଛନ୍ତି ତାହାର ୟୁନିଟ୍ ପିଛା ହାରାହାରି ମୂଲ୍ୟ ରହିଛି ୩ଟ ୮୧ ପଇସା।

ଏକ ଆରଟିଆଇ ଉତ୍ତରକୁ ଧରି ବିଜେପି କହିଛି ଯେ ରାଜ୍ୟରେ ୩୩୨ଟି କମ୍ପାନି ଉପରେ ଜଳକର ବାବଦରେ ୫୧୫ କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡିରହିଛି। ରାଜ୍ୟ ସରକାର କୋହଳ ଭାବ ଅବଲମ୍ବନ କରି ଏହି କମ୍ପାନି ମାନଙ୍କ ଠାରୁ ପଡିରହିଥିବା ଟିକସ ଆଦାୟ କରୁନାହାନ୍ତି। ବିଧାନସଭାରେ ରାଜ୍ୟ ସରକାର କହିଛନ୍ତି, ମାର୍ଚ୍ଚ ୨୦୧୯ ସୁଦ୍ଧା ବଣ୍ଟନ କଂପାନିମାନେ ଗ୍ରିଡକୋର ୩୯୩୭.୪୮ କୋଟି ଟଙ୍କା ବାକି ରଖିଛନ୍ତି। ହେଲେ ଏହି ସଂସ୍ଥାଙ୍କ ପାଇଁ ବିଶ୍ୱ ବ୍ୟାଙ୍କ ଓ ସରକାର ୨୯୦୮.୫୫ କୋଟି ଟଙ୍କା ଋଣ ଯୋଗାଇଦେଇଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ୍ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫ କୋଟି ଟଙ୍କା ଛାଡ କରାଯାଇଛି।

ଏହି ଅବସରରେ ଅନ୍ୟ ରାଜ୍ୟର ବିଜୁଳି ଦର ତାଲିକା ଦେଇଛି ବିଜେପି। ଦଳ କହିଛି, ସିକିମ୍‌ରେ ୟୁନିଟ୍ ପିଛା ୧ଟଙ୍କା ୨୦ ପଇସା, ଆନ୍ଧ୍ର ଓ ତେଲେଙ୍ଗାନାରେ ୧.୪୫ଟଙ୍କା, ଗୋଆରେ ୧.୪୦ଟଙ୍କା ଓ ଛତିଶଗଡରେ ୨.୪୦ଟଙ୍କା ରହିଛି। ତାମିଲନାଡୁ ଭଳି ରାଜ୍ୟରେ ୧୦୦ ୟୁନିଟ ଯାଏଁ ମାଗଣା ବିଜୁଳି ବ୍ୟବସ୍ଥା ରହିଛି। ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ୍ ପିଛା ମୂଲ୍ୟ ୨ ଟଙ୍କା ୬୦ ପଇସା ରଖାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର