ଅବହେଳାର ନିଦର୍ଶନ : ଆଜାଦ୍ ହିନ୍ଦ୍ ଫୌଜ ସଂଗ୍ରାମୀଙ୍କ ପତ୍ନୀଙ୍କୁ ମିଳିପାରୁନି କେନ୍ଦ୍ରୀୟ ଭତ୍ତା‌

 

ଭଞ୍ଜନଗର : ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସଂଗ୍ରାମୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସମାଜରେ ସମ୍ମାନ ଦିଆଯାଉଛି। ଏହାସହ ସ୍ବାଧୀନତା ସଂଗ୍ରାମୀ ଭତ୍ତା ବ୍ୟବସ୍ଥା ସରକାର ଲାଗୁ କରିଛନ୍ତି। ବହୁ ସ୍ବାଧୀନତା ସଂଗ୍ରାମୀ ପରିବାର ଏଥିରେ ଉପକୃତ ହେଉଥିବା ବେଳେ କିଛି ପରିବାର ଆଜି ମଧ୍ୟ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଏକ ସ୍ବାଧୀନତା ସଂଗ୍ରାମୀ ପରିବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅଧୀନ ମୁଜାଗଡ଼ ପଞ୍ଚାୟତର ବୁଦୁଲି ଗ୍ରାମରେ ଅଛନ୍ତି। ଗ୍ରାମର ଦିବଙ୍ଗତ ପଞ୍ଚୁ ଜେନାଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀ ଭାବେ ଅଭିହିତ କରି ବିଭିନ୍ନ ସୁବିଧା ସୁ‌ଯୋଗ ପ୍ରଦାନ କରିଛନ୍ତି। ଏଭଳିକି ପଞ୍ଚୁ ବଞ୍ଚିଥିବା ପର୍ଯ୍ୟନ୍ତ ଉଭୟ ସରକାରଙ୍କ ଠାରୁ ଭତ୍ତା ପାଉଥିଲେ। ୧୯୯୫ ମସିହାରେ ପଞ୍ଚୁଙ୍କ ମୃତ୍ୟୁ ପରେ ସରକାରୀ ନିୟମାନୁସାରେ, ତାଙ୍କ ପତ୍ନୀ ମହରଗି ଜେନାଙ୍କ ପାଇଁ ଏହି ଭତ୍ତା ବ୍ୟବସ୍ଥା ଲାଗୁ କରାଯାଇଥିଲା। କିନ୍ତୁ ଗତ କିଛି ବର୍ଷ ହେବ ଉଭୟ ଭତ୍ତା ବନ୍ଦ ହୋଇଯାଇଛି। ଆଉ ବଡ଼ ପୁଅ ବହୁ କାର୍ଯ୍ୟାଳୟକୁ ଦୌଡ଼ି ରାଜ୍ୟ ସରକାରଙ୍କ ଦ୍ବାରା ମିଳୁଥିବା ସ୍ବାଧୀନତା ସଂଗ୍ରାମୀ ଭତ୍ତାକୁ ଚାଲୁ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଉଥିବା ଭତ୍ତାରୁ ମହରଗି ଏଯାଏ ବଞ୍ଚିତ ଅଛନ୍ତି।
ବୁଦୁଲି ଗ୍ରାମର ପଞ୍ଚୁ ପୂର୍ବରୁ ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନ ମେଣ୍ଟପୁର ଗ୍ରା‌ମରେ ରହୁଥିଲେ। କାମ ଅନ୍ବେଷଣରେ ରେଙ୍ଗୁନ୍‌ ପଳାଇଥିଲେ। ଏହି ସମୟରେ ଦେଶରେ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଯାଇଥିଲା। ଇଂରେଜଙ୍କୁ ହଟାଇବାକୁ ସାରା ଦେଶରେ ବିଦ୍ରୋହର ସ୍ବର ଉଠିଲା। ସେହି ସମୟରେ ପଞ୍ଚୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ବାନ୍‌ କ୍ରମେ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ନେତାଜୀଙ୍କ ନୀତି ଓ ଆର୍ଦଶରେ ଅନୁପ୍ରାଣିତ ହୋଇ ଆଜାଦ୍‌ ହିନ୍ଦ୍‌ ଫୌଜରେ ସେ ଯୋଗ ଦେଇଥିଲେ। ପଞ୍ଚୁ ବିଭିନ୍ନ ଆନ୍ଦୋଳନରେ ନିଜକୁ ସାମିଲ କରି ଜେଲ୍ ବି ଯାଇଥିଲେ।
ତେବେ ଦେଶ ‌ସ୍ବାଧୀନ ହେବା ପରେ ପଞ୍ଚୁ ଗ୍ରାମକୁ ଫେରିଥିଲେ। ବୁଦୁଲି ଗ୍ରାମରେ ୨୫ ବର୍ଷ ହେଲା ଆସି ରହିବା ସହ ଚାଷ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଭତ୍ତା ବ୍ୟବସ୍ଥା କରିଥିଲେ। ପଞ୍ଚୁଙ୍କ ମୃତ୍ୟୁ ପରେ ପତ୍ନୀ ମହରଗିଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ  ୧୪୦୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪୦୦ ଟଙ୍କା ଭତ୍ତା ମିଳୁଥିଲା। ମହରଗିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସୁଥିଲା। ହେଲେ ୨୦୧୫ ମସିହାରେ ଏକ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ୍‌ର ଖାତା ଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଏହି ସୂଚନା ସଂପର୍କ‌ରେ ମହରଗି ଓ ତାଙ୍କ ପରିବାରବର୍ଗ ଜାଣି ପାରି ନଥିଲେ।  ଆଉ ବ୍ୟାଙ୍କ୍ ଖାତା ଖୋଲି ପାରିନଥିଲେ। ଫଳରେ ଉଭୟ ସରକାରଙ୍କ ଠାରୁ ମିଳୁଥିବା ଭତ୍ତା ବନ୍ଦ ହୋଇଯାଇଥିଲା।
ପରେ ଏହା ଜାଣିବା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଘରୋଇ ବ୍ୟାଙ୍କ୍‌ରେ ଖାତା ଖୋଲିଥିଲେ ମଧ୍ୟ ଭତ୍ତା ପୁନଃ ଲାଗୁ କରିବାରେ ବହୁ ସମସ୍ୟା ସୃଷ୍ଟି ହୋଇଥିବା ବଡ଼ ପୁଅ କମ୍ବୁପାଣି ଜେନା କହିଛନ୍ତି। ଟ୍ରେଜେରି ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ ଦପ୍ତର ଦୌଡ଼ିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭତ୍ତା ପୁଣି ମିଳିଥିବା ବେଳେ କେନ୍ଦ୍ରୀୟ ଭତ୍ତା ମିଳୁନାହିଁ। ଏସଂପର୍କରେ ତାଙ୍କ ପରିବାର ପକ୍ଷରୁ ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମାନବାଧିକାର କମିସନ ଓ ରାଜ୍ୟପାଳଙ୍କୁ ଲିଖିତ ଭାବେ ଦୃଷ୍ଟିଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳୁନି।
ସମ୍ବନ୍ଧିତ ଖବର