ବନ୍ୟଜନ୍ତୁ ଶିକାର, ଶିକାରୀ ଗିରଫ

ତେଲକୋଇ: ବନ୍ୟଜନ୍ତୁ ଶିକାର ବେଳେ ତେଲକୋଇ ବନ ବିଭାଗ ଚଢ଼ଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି। ଶିକାର ପାଇଁ ବ୍ୟବହୃତ ବ୍ୟାପକ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲା କୋଇଲି ସୂତା ଗ୍ରାମର ଦିଲୀପ ମାଝୀ (୩୦) । ଏହି ଘଟଣାରେ ସଂପୃକ୍ତ ଅନ୍ୟଜଣେ ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ କରଦାଙ୍ଗି ବିଟ୍ ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲରେ କୋଇଲି ସୂତା ଗ୍ରାମର ଦିଲୀପ ମାଝୀ କେତେକ ସହଯୋଗୀଙ୍କ ସହିତ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ଫାଶ ବସାଇଥିଲା। ବିମଳା ଫରେଷ୍ଟର କୌଶଲ୍ୟା ମହାନ୍ତ ଏନେଇ ବିଶେଷ ସୂତ୍ରରୁ ଖବର ପାଇ ସଦଳବଳେ ସଂପୃକ୍ତ ଜଙ୍ଗଲରେ ଚଢ଼ଉ କରିଥିଲେ। ଏହି ସମୟରେ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଟି କୁରାଢି, ୩୦ ମିଟର ଜିଆଇ ତାର, ବ୍ୟାପକ କାଠ ଖୁଣ୍ଟି, ଗୋଟିଏ ନିକିତି ସହିତ ବଟକରା ଜବତ କରିଥିଲା ବନ ବିଭାଗ। ଅଭିଯୁକ୍ତକୁ ଜେରା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର