କନ୍ଧମାଳକୁ ଲେଉଟିଲା ଶୀତ; ଘୁ.ଉଦୟଗିରିରେ ପାରଦ ୯କୁ ଖସିଲା, ଫୁଲବାଣୀରେ ୯.୫ ଡିଗ୍ରି

ଫୁଲବାଣୀ/ଘୁ.ଉଦୟଗିରି: ସପ୍ତାହେ ଧରି କନ୍ଧମାଳ ଜିଲ୍ଲାରୁ ଶୀତ ଉଭାନ୍ ହୋଇଯାଇଥିବା ବେଳ‌େ ପାରଦ ଉପରମୁହାଁ ରହିଥିଲା। ତେବେ ଜିଲ୍ଲାକୁ ପୁଣି ଶୀତ ଲେଉଟିଥିବା ବେଳେ ଆଜିଠୁ ତାପମାତ୍ରା ନିମ୍ନମାଗୀ ହୋଇଛି। ଫଳରେ ଶୀତର ଲହରି ଜାରି ରହିବା ସାଙ୍ଗକୁ ସମଗ୍ର ଜିଲ୍ଲା କୁହୁଡ଼ିର ଚାଦର ତଳେ ରହିଛି। ଗତ କିଛିଦିନ ଧରି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଥିବା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ଼ ହୋଇଛି। ସେହିପରି ଫୁଲବାଣୀରେ ତାପମାତ୍ରା ୯.୫ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ରହିଥିବା ସାଙ୍ଗକୁ ଶୀତର ପ୍ରକୋପ ବଢ଼ିଛି। ଏହାସହ ବେଲଘର, କୋଟଗଡ଼, ରାଇକିଆ, ସୁବର୍ଣ୍ଣଗିରି, ରାଣୀପଥର, କଳିଙ୍ଗା ଓ ମଣ୍ଡାସରୁ ଆଦି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୋଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ଆସନ୍ତା ଏକସପ୍ତାହ ଧରି କନ୍ଧମାଳରେ ଶୀତର ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ସତର୍କତା ଜାରି ହୋଇଛି। ସେହିପରି ରାତି ୮ଟାରୁ ପରଦିନ ଦିନ ପ୍ରାୟ ସକାଳ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଢାଙ୍କି ହୋଇ ରହୁଥିବାରୁ ଯାନବାହନ ଯାତାୟାତରେ ସମସ୍ୟା ଉପୁଜୁଛି।

ସେହିପରି କନ୍ଧମାଳ ଜିଲ୍ଲାରେ ଶୀତ ବଢ଼ୁଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ବି ଜମିବା‌ରେ ଲାଗିଛି। ବିଶେଷକରି ଦାରିଙ୍ଗବାଡ଼ି, ମଣ୍ଡାସରୁ ଏବଂ ବେଲଘରକୁ ଅଧିକସଂଖ୍ୟକ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ଆଜି ରବିବାର ଥିବାରୁ ବିଭିନ୍ନ ପିକ୍‌ନିକ୍‌ସ୍ପଟ୍‌ରେ ବଣଭୋଜିର ଆସର ଜମିଥିଲା। ସେହିପରି ଚା’ଦୋକାନରେ ମଧ୍ୟ ଭିଡ଼ ଜମୁଥିବା ବେଳେ ଯୋଗ ଓ ବ୍ୟାୟାମ ପାଇଁ ବିଭିନ୍ନ ପାର୍କ ଏବଂ ଇନ୍‌ଡୋର ହଲ୍‌ରେ ଲୋକେ ଏକତ୍ରିତ ହେଉଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନ‌ରେ ଲୋକେ ଏକାଠି ହୋଇ ନିଆଁ ପୁଉଁଛନ୍ତି।

ସମ୍ବନ୍ଧିତ ଖବର