ନାରୀ ସାଜିଲା ନାରୀର ‌ବଇରି : ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲା, ହତ୍ୟାକାରୀ ପୁତୁରା ବୋହୂ ଗିରଫ

ବଡ଼ବିଲ : ଜଣେ ୭୦ ବର୍ଷର ବୃଦ୍ଧାଙ୍କୁ ହତ୍ୟା କରିଦେଲେ ତାଙ୍କର ପୁତୁରା ବୋହୂ। ଏହାପରେ ଶବକୁ ଜଙ୍ଗଲରେ ପଡ଼ିଥିବା ପତ୍ରରେ ପୋଡ଼ିଦେଲେ। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗ୍ରାମ ଜଙ୍ଗଲରେ ଘଟିଥିବା ଏହି ଲୋମହର୍ଷଣ ହତ୍ୟାକାଣ୍ଡରୁ ପରଦା ହଟାଇଛି ପୁଲିସ୍‌। ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧା ବୁଦୁନୀ ମୁଣ୍ଡାଙ୍କୁ ତାଙ୍କ ପୁତୁରା ବୋହୂ ସବିତା ମୁଣ୍ଡା ହତ୍ୟା କରିଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମହିଳା ସବିତାଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ୯ ତାରିଖ ସକାଳ ୮ଟା ବେଳେ ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡାସାହିର ବୁଦୁନୀ ମୁଣ୍ଡା ନିଜର ୩ଜଣ ନାତିନାତୁଣୀ ଓ ପୁତୁରା ବୋହୂ ସବିତାଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ଓ ଚାରକୋଳି ସଂଗ୍ରହ ପାଇଁ ଯାଇଥିଲେ। ବୁଦୁନୀଙ୍କୁ ଶୋଷ ଲାଗିବାରୁ ସବିତା ପିଲାମାନଙ୍କୁ ପାଣି ଆଣିବାକୁ ପାଖ ଝରଣାକୁ ପଠାଇ ଦେଇଥିଲା। ପିଲାମାନେ ପାଣି ନେଇ ଫେରିଲା ବେଳକୁ ସେଠାରେ କେହିନଥିଲେ। ଖୋଜାଖୋଜି କରିବା ପରେ କାହାକୁ ନ ପାଇବାରୁ ୩ ଶିଶୁ ଘରକୁ ଫେରିଥିଲେ। ଘରେ ସବିତା ଥିବାବେଳେ ଜେଜେମା ବୁଦୁନୀଙ୍କୁ ପା‌ଇନଥିଲେ। ଅନ୍ୟପକ୍ଷରେ ସବିତା ମଧ୍ୟ କିଛି ସମୟ ପରେ କେଉଁଆଡ଼େ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳିନଥିଲା। ୧୦ ତାରିଖରେ ଶୌଚ ପାଇଁ ଯାଇଥିବା ଲୋକେ ଜଙ୍ଗଲରେ ଏକ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏହା ବୁଦୁନୀ ମୁଣ୍ଡାଙ୍କର ବୋଲି ଚିହ୍ନଟ କରିଥିଲା।

ଏହାପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣା ଦିନ ସବିତା ଜଙ୍ଗଲକୁ କାଠ ଓ ଚାରକୋଳି ସଂଗ୍ରହ ପାଇଁ ବୁଦୁନୀଙ୍କୁ ଡାକି ନେଇଥିଲେ। ସେ ହିଁ ବୁଦୁନୀକୁ ହତ୍ୟା କରିଥିବା ତାଙ୍କ ପୁଅ ସାହେବ ମୁଣ୍ଡା ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି କେସ୍‌ ନମ୍ବର ୭୫/୨୦ରେ ଏକ ମାମଲା ରୁଜୁ କରି ସବିତାକୁ ଖୋଜିଥିଲା। ଆଜି ତାଙ୍କୁ ଗାଁ ପାଖ ଜଙ୍ଗଲରୁ ଗିରଫ କରିଛି। ବୁଦୁନୀ ଗୁଣିଗାରେଡ଼ି କରୁଥିବାରୁ ଅନେକ ସମୟରେ ତାଙ୍କ ଦେହ ଖରାପ ହେଉଥିଲା। ତେଣୁ ସେ ଏକ ମାରଣାସ୍ତ୍ର (ଦଉଲି) ସାହାଯ୍ୟରେ ତାଙ୍କୁ ହତ୍ୟା କରିବା ପରେ ଶୁଖିଲାପତ୍ରରେ ଶବ ପୋଡ଼ି ଦେଇଥିଲା ବୋଲି ସବିତା ପୁଲିସ ଆଗରେ କହିଛି। ଅଭିଯୁକ୍ତ ସବିତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଯୋଡ଼ା ଥାନା ଲହଣ୍ଡା ଗ୍ରାମର ମୁଣ୍ଡାସାହିରେ ଗୁଣିଗାରେଡ଼ି ସନ୍ଦେହରେ ୨୦୧୬ ମସିହାରେ ଗୋଟିଏ ପରିବାରର ୯ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର