କଣ୍ଟେନର ଧକ୍କାରେ ଗୁରୁତର ମହିଳାଙ୍କ ମୃତ୍ୟୁ; ଶବ ରଖି ଜାତୀୟ ରାଜପଥ ଅବରୋଧ, ଯାତାୟାତ ପ୍ରଭାବିତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଫରେଷ୍ଟଗେଟ ନିକଟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଶୁକ୍ରବାର ରାତି କଣ୍ଟେନର ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ସୁମତି ସାହୁ (୫୪)। ତେବେ ମହିଳାଙ୍କ ମୃତ୍ୟୁରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାତାୟତ ପ୍ରଭାବିତ ହୋଇଛି। ଲୋକଙ୍କ ଦ୍ବାରା ରାସ୍ତା ଅବରୋଧ କାରଣରୁ ଦୀର୍ଘ ସମୟ ଧରି ଶତାଧିକ ଯାନବାହନ ଅଟକି ରହିଛି।

ସୂଚନା ଅନୁସାରେ ଶୁକ୍ରବାର ରାତିରେ ନିଶ୍ତିନ୍ତା ପଞ୍ଚାୟତ ପଥରଖମ ଗ୍ରାମ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ପତ୍ନୀ ସୁମତି ସାହୁ ରାସ୍ତା ଅତିକ୍ରମ କରୁଥିଲେ। ଏହି ସମୟରେ ଏକ କଣ୍ଟେନର (ସିଜି ୦୪ଏମ କିୟୁ ୦୮୨୫) ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ସୁମତିଙ୍କୁ ଘଟଣାସ୍ଥଳରୁ ଜନସାଧାରଣ ସହିତ ଦମକଳ ବାହିନୀ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ଯୋଗେ ବାରିପଦା ପଠାଇ ଦିଆଯାଇଥିଲା। ଆଜି ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଅପରାହ୍ନ ଚାରିଟା ପରେ ଗୋଳାପୋଲ ଦାବିରେ ଶବ ରଖି ସ୍ଥାନୀୟ ଜନସାଧାରଣ ସହିତ ପରିବାର ଜାତୀୟ ରାଜପଥ ୪୯କୁ ଅବରୋଧ କରିଛନ୍ତି। ଫଳରେ ଶହଶହ ଗାଡ଼ି ଉଭୟ ପାଶ୍ୱର୍ରେ ଜାମ ହୋଇ ଛିଡା ହୋଇଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଗୋଳାପୋଲର ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଉଠିବେ ନାହିଁ ଜିଦ୍‌ ଧରିଛନ୍ତି। ପୁଲିସ କଣ୍ଟେନରକୁ ଜବତ କରି ଥାନାକୁ ନେଇଛି।

ସମ୍ବନ୍ଧିତ ଖବର