ଲୁଗା ସଫା କରିବା ପାଇଁ ପୋଖରୀକୁ ଯାଇଥିଲେ ମହିଳା, ପାଣିରେ ବୁଡ଼ି ମୃତ୍ୟୁ

ବୈପାରିଗୁଡା: ପୋଖରୀରେ ବୁଡି ଜନୈକ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, ରାମଗିରି ଥାନା ଅନ୍ତର୍ଗତ ମାଠପଡା ପଞ୍ଚାୟତର ଦଳପୁର ନିକଟସ୍ଥ ଝିଲିମିଲିଗୁଡା ଗ୍ରାମର ଅଞ୍ଜଳି ଖିଲ (୩୫)ଙ୍କର ବୁଧବାର ଅପରାହ୍ନରେ ଗ୍ରାମ ପୋଖରୀରେ ବୁଡି ମୃତ୍ୟୁ ହୋଇଯାଇଛି। ମୃତା ଅଞ୍ଜଳିଙ୍କର ସ୍ବାମୀ ଅର୍ଜୁନ ଖିଲ ସୁଦୂର ଆନ୍ଧ୍ରପ୍ରଦେଶର ଗାଦବାଲି ଠାରେ ରହି କାମ କରୁଥିବା ବେଳେ ଘରେ ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଅଞ୍ଜଳି ଦୁଇ ଝିଅ ଓ ପୁଅ ସ୍କୁଲରୁ ଫେରିବା ପରେ ଲୁଗା ସଫା କରିବା ପାଇଁ ପୋଖରୀକୁ ଯାଇଥିଲେ। ପଡ଼ିଆରେ ଖେଳୁଥିବା ବେଳେ ପୁଅ ମାଆଙ୍କ ପାଖକୁ ସାଇକେଲ ଚାବି ମାଗିବା ପାଇଁ ଯାଇ ପୋଖରୀ କୂଳରେ ମାଆକୁ ନଦେଖି ଫେରିଆସି ପାଖ ପଡ଼ୋଶୀଙ୍କୁ ଜଣାଇବାରୁ ଗ୍ରାମବାସୀମାନେ ଅଞ୍ଜଳିଙ୍କୁ ଖୋଜିବା ପାଇଁ ପୋଖରୀ କୂଳରେ ପହଞ୍ଚିଥିଲେ।

ପୋଖରୀ କୂଳରେ ଲୁଗା ଥୁଆ ହୋଇଥିବା ବେଳେ ଅଞ୍ଜଳିଙ୍କର ଦେଖା ମିଳିନଥିଲା। ବହୁତ ସମୟ ଧରି ଖୋଜାଖୋଜି କରିବା ପରେ ସନ୍ଧ୍ୟା ହେବାରୁ ସମସ୍ତେ ଫେରିଆସିଥିଲେ। ପରଦିନ ଖୋଜାଖୋଜି କରି ମଧ୍ୟ ନପାଇବାରୁ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ବୈପାରିଗୁଡା ସ୍ଥିତ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଦଳପୁର ନିକଟସ୍ଥ ଝିଲିମିଲିଗୁଡା ପହଞ୍ଚି ପୋଖରୀ ଭିତରେ ଖୋଜିବା ପରେ ଅଞ୍ଜଳିଙ୍କର ମୃତ ଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ଏସଂପର୍କରେ ଅର୍ଜୁନଙ୍କ ସହ ଯୋଗାଯୋଗ କରିବା ପାଇଁ ଗ୍ରାମବାସୀମାନେ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ଯୋଗୁଁ ସୂଚନା ଦେଇପାରିନଥିଲେ। ତେବେ ଅଞ୍ଜଳିଙ୍କ ପରିବାରକୁ ଏସଂପର୍କରେ ଜଣାଇଥିଲେ ଏବଂ ରାମଗିରି ଥାନାରେ ଏତଲା ଦେଇଥିଲେ। ରାମଗିରି ଥାନା ଏଏସ୍ଆଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର