ଗର୍ଭବତୀଙ୍କୁ ଲେବର ରୁମରୁ ଫେରାଇ ଦେଲେ ଡାକ୍ତର, କ୍ୟାପିଟାଲ ହସ୍ପିଟାଲର ଫୁଟପାଥରେ ସନ୍ତାନ ପ୍ରସବ କଲେ ମହିଳା

ଭୁବନେଶ୍ୱର : ‘ମୋ ସରକାର’ ଯୋଜନାରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଉଥିବା ବେ‌ଳେ ଖୋଦ ରାଜଧାନୀରେ ଏହାକୁ ଗୁରୁତ୍ବ ଦେଉନାହାନ୍ତି ସରକାରୀ ହସ୍ପିଟାଲ। ଗତକାଲି କ୍ୟାପିଟାଲ୍ ହସ୍ପିଟାଲରେ ଘଟିଥିବା ଘଟଣା ରାଜ୍ୟ ସରକାରଙ୍କ ମହତ୍ୱକାଂକ୍ଷୀ ଅଭିଯାନ ‘ମୋ ସରକାର’ ଯେ ପ୍ରଭାବହୀନ ତାହା ଚିନ୍ତା କରିବାକୁ ବାଧ୍ୟ କରିଛି।   ଉପାନ୍ତ ଅଂଚଳ ନୁହେଁ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଗର୍ଭବତୀଙ୍କୁ  ଲେବର ରୁମରୁ ଡ଼ାକ୍ତର ଫେରାଇ ଦେବାରୁ ସେ ହସ୍ପିଟାଲ ସାମ୍ନା ଫୁଟପଥରେ ସନ୍ତାନ ପ୍ରସବ କରିଛନ୍ତି । ଏହା ନିଶ୍ଚିତ ଭାବେ ସ୍ବାସ୍ଥ୍ୟସେବାରେ ସମ୍ବେଦନଶୀଳତାର ଅଭାବ ବୋଲି କହିବାକୁ ହେବ।

ଶୁକ୍ରବାର ରାତି ପ୍ରାୟ ୮ଟା  ବେଳେ ସାଲିଆ ସାହିରେ ରହୁଥିବା ପାନା ମୁର୍ମୁଙ୍କର  ପ୍ରସବ ଯନ୍ତ୍ରଣା ହେବା ପରେ ସେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ଏମସିଏଚରେ ଥିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଡ଼ାକ୍ତରଙ୍କୁ ଦେଖାଇବା ପରେ ଲେବର ରୁମକୁ ଯାଇଥିଲେ । କିନ୍ତୁ ଡ଼୍ୟୁଟିରେ ଥିବା ଡ଼ାକ୍ତର ତାଙ୍କୁ ପ୍ରସବ କରାଇ ନଥିଲେ । ଅବସ୍ଥା ଜଟିଳ ଅଛି କଟକ ପଳାଅ ବୋଲି ଡ଼ାକ୍ତର କହିଥିଲେ । ପାନାଙ୍କ ଯନ୍ତ୍ରଣା ଦେଖି ପରିବାର ଲୋକ ପ୍ରସବ କରାଇବାକୁ  ଡ଼ାକ୍ତରଙ୍କୁ ନେହୁରା ହୋଇଥିଲେ ।

ହେଲେ ଡ଼ାକ୍ତର ଜଣକ ପାନା ପ୍ରତି ସାମାନ୍ୟ ସମ୍ବେଦନଶୀଳତା ଦେଖାଇ ନଥିଲେ । ବରଂ ଏପରି ଅବସ୍ଥାରେ  ତାଙ୍କୁ ଲେବର ରମରୁ ବାହାର କରି ଦେଇଥିଲେ । କଟକ ଯିବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା । ବାଧ୍ୟ ହୋଇ ସେ ରାସ୍ତା କଡ଼ ଫୁଟପାଥରେ ବସି ପଡ଼ିଥିଲେ । ମାତ୍ର କିଛି ସମୟ ଭିତରେ ଫୁଥପାଥରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଖପାଖରେ ଥିବା ଲେକେ ଦେଖିବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର