ଗାନ୍ଧୀ ପାର୍କରେ ମହିଳାଙ୍କୁ ଦୁଷ୍କର୍ମ

ଭୟରେ ଘାସ ମରା ଔଷଧ ପିଇ ଦେଇଥିଲା ଅଭିଯୁକ୍ତ

କଟକ : କଟକର କାଠଯୋଡ଼ି ବେଲଭ୍ୟୁ ଛକ ନିକଟରେ ଥିବା ନବନିର୍ମିତ ଗାନ୍ଧୀ ପାର୍କ ଭିତରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ପାର୍କ ଭିତରେ ଜଣେ ବିବାହିତ ମହିଳାଙ୍କୁ ସକାଳ ୯ଟା ବେଳେ ଦୁଷ୍କର୍ମ କରାଯାଇଛି। ପାର୍କରେ କାମ କରୁଥିବା ସୁପରଭାଇଜର୍ ଜଣେ ବିବାହିତା ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ କରିଥିବା ଲାଲବାଗ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତ ସୁପରଭାଇଜର୍ ଜଗତପୁରର ସୀତାରାମ ପ୍ରଧାନ(୪୯)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଗାନ୍ଧୀ ପାର୍କ ଭିତରେ ଘାସରେ ପାଣି ଦେବାକୁ କହି ସୀତାରାମ ଜଗତପୁର ମୁଣ୍ଡାସାହିର ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଗଲା ୨ ତାରିଖ ସକାଳେ ଫୁସୁଲାଇ ଆଣିଥିଲା। ସକାଳ ପ୍ରାୟ ୯ଟା ବେଳେ ପାର୍କ ଭିତରେ ଥିବା ଶୌଚାଳୟ ଭିତରକୁ ସୀତାରାମ ସମ୍ପୃକ୍ତ ମହିଳାଙ୍କୁ ଡାକିନେଇ ଦୁଷ୍କର୍ମ କରିଥିଲା। ମହିଳା ଜଣକ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ। ନିଜ ଘରେ ପହଞ୍ଚି ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ସେ ଦିନ ମହିଳା ଜଣକ ପ୍ରଥମେ ଜଗତପୁର ଥାନାକୁ ଯାଇଥିଲେ। ଏହି ଘଟଣା ଲାଲବାଗ ଥାନା ଅଞ୍ଚଳରେ ଘଟିଥିବାରୁ ଜଗତପୁର ପୁଲିସ ମହିଳାଙ୍କୁ ଲାଲବାଗ ଥାନାରେ ଆଣି ସେଦିନ ଛାଡ଼ିଥିଲା।

ଲାଲବାଗ ପୁଲିସ ଅଭିଯୁକ୍ତ ସୀତାରାମକୁ କାବୁ କରି ଥାନାକୁ ଆଣିଥିଲା। ଦୁଷ୍କର୍ମ ଘଟଣା ପ୍ରଘଟ ହୋଇଯାଇଥିବାରୁ ସେ ଗିରଫ ଭୟରେ ପାର୍କରେ ଘାସ ମରା ଔଷଧ ପିଇ ଦେଇଥିବା ପୁଲିସକୁ କହିବାରୁ ପୁଲିସ ପ୍ରଥମେ ତାକୁ ସିଟି ହସପିଟାଲ୍ ଓ ପରେ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଆଜି ଅଭିଯୁକ୍ତ ସୀତାରାମ ସୁସ୍ଥ ହେବା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର