ଗୋଇଠା ମାଡ଼‌ରେ ମହିଳାଙ୍କ ଗର୍ଭନଷ୍ଟ : ୩ ଗିରଫ

ଛୁଆ ପାଟି କରିବାରୁ ଘର ମାଲିକଙ୍କ ଅମାନବୀୟ କାଣ୍ଡ

ବାରିପଦା: ଭଡ଼ାଘରେ ରହୁଥିବା ଜଣେ ମହିଳା‌ଙ୍କ ୧୪ ମାସର ପୁଅ ପାଟି କରିବାରୁ ଘର ମାଲିକ ଓ ତାଙ୍କ ପରିବାର ଏବଂ ଅନ୍ୟ ଜଣେ ଭଡ଼ାଟିଆ ମହିଳା ମଣିଷପଣିଆ ଭୁଲିଗଲେ। ପୁଅକୁ ମାଡ ମାରିଲେ। ଆଉ ମା’କୁ ବିଧା ଗୋଇଠା ମାରିବା ସହ ଲୁହା ରଡ଼ରେ ବି ପିଟିଲେ। ଏଥିରେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବାରିପଦାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ମାଡ଼ରେ ମହିଳାଙ୍କ ୨ମାସର ଗର୍ଭ ନଷ୍ଟ ହୋଇଯାଇଥିବା ବେଳେ ଘଟଣାକୁ ବାରିପଦା ଟାଉନ ପୁଲିସ ଗୁରୁତର ସହ ନେଇ ୩ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି।

ବନ୍ଧା ହୋଇଥିବା ୩ ଜଣ ମଧ୍ୟରେ ଅଛନ୍ତି ଘର ମାଲିକ ସତ୍ୟବ୍ରତ ବେହେରା, ତାଙ୍କ ପତ୍ନୀ ମିନତୀ ବେହେରା ଓ ତାଙ୍କ ଘରେ ଭଡ଼ାରେ ରହୁଥିବା ରୀତାରାଣି ଭଞ୍ଜ। ତେବେ ରୀତାରାଣିଙ୍କ ପୁଅ ଲକି ଫେରାର୍‌ ଥିବାବେଳେ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ବାରିପଦା ଟାଉନ ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି। ଅଭିଯୋଗ ଅନୁଯାୟୀ ବୈଶିଙ୍ଗା ଥାନା ଅଞ୍ଚଳର ପ୍ରଦୀପ କୁମାର ପତି ଡ୍ରାଭଇର ଭାବେ କାମ କରନ୍ତି। ସେ ୭ ମାସ ପୂର୍ବେ ପତ୍ନୀ ଭାରତୀ ପଣ୍ଡା ଓ ପୁଅକୁ ଆଣି ବାରିପଦା ସହର ୧ ନମ୍ବର ୱାର୍ଡ ବେଲଗଡ଼ିଆସାହି‌ରେ ସତ୍ୟବ୍ରତ ବେହେରାଙ୍କ ଘରେ ଭଡ଼ା ଘରେ ରହୁଥିଲେ। ଗତ ୧୧ ତାରିଖ ଦିନ ତାଙ୍କ ପୁଅର ବଡ଼ ପାଟିରେ କେଥାହେବାକୁ ନେଇ ଅଭିଯୁକ୍ତମାନେ ଏହି ଅମାନବୀୟ କାଣ୍ଡ ଘଟାଇଥିଲେ।

ସମ୍ବନ୍ଧିତ ଖବର