ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପିତଳ ପଞ୍ଚାୟତରେ ମଦ ବେପାରକୁ ନେଇ କୁହୁଳୁଥିବା ଅସନ୍ତୋଷ ଆଜି ଉଗ୍ରରୂପ ଧାରଣ କରିଛି। ମଦ ବିରୋଧୀ ଅଭିଯାନର ମଙ୍ଗ ଧରିଥିବା ପାକିଡ଼ି ଓ ଚଷାପିତଳ ଗ୍ରାମର ଶତାଧିକ ମହିଳା ଏକ ଦେଶୀ ମଦ ଭାଟି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, ଦମକଳବାହିନୀ ବି ଏହାକୁ ଆୟତ୍ତ କରିବାରେ ସଫଳ ହୋଇପାରି ନଥିଲା। ଫଳରେ, ଭାଟି ଭିତରେ ଥିବା ସମସ୍ତ ସାମଗ୍ରୀ ସମେତ ୫ରୁ ୭ ବଖରା ପୋଡ଼ିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳ ପ୍ରାୟ ୯ଟାରେ ଶତାଧିକ ମହିଳା ଓ ପୁରୁଷ ମଦ ଭାଟି ଭିତରକୁ ଧସେଇ ପଶିଥିଲେ। ସେଠାରେ ଗଚ୍ଛିତ ଥିବା ମଦ ସବୁ ନଷ୍ଟ କରିବା ସହ ବ୍ୟାରେଲ୍ ପୋଡ଼ିବା ସେଥିରେ ନିଆଁ ଲଗାଇ ଦେଇଥିଲେ। ଯାହାଫଳରେ ମହୁଲି, ଚାଉଳ, ମଦ ପ୍ରସ୍ତୁତି କଞ୍ଚାମାଲ୍, ପ୍ୟାକିଂ ମେସିନ୍ ସାଙ୍ଗକୁ ସମସ୍ତ ସାମଗ୍ରୀ ଜଳିଯାଇଥିଲା। ତେବେ ଗ୍ୟାସ ସିଲିଣ୍ଡର ଓ ସ୍ପିରିଟ୍ ଯୋଗୁଁ ନିଆଁ କ୍ଷୀପ୍ର ଗତିରେ ବ୍ୟାପି ଯାଇଥିଲା। ଦମକଳବାହିନୀ ପହଞ୍ଚି ବି ନିଆଁକୁ ଆୟତ୍ତ କରିବାରେ ସମର୍ଥ ହୋଇ ନଥିଲେ।
ପରିସ୍ଥିତି ଅଣାୟତ୍ତ ହେବାରୁ ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା, ଥାନା ଅଧିକାରୀ ବିଶ୍ବରଂଜନ ନାୟକ, ହିଞ୍ଜିଳି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବ୍ୟାପକ ପୁଲିସ ଫୋର୍ସ ପହଞ୍ଚିଥିଲେ। ମଦ ଭାଟି ଉଚ୍ଛେଦ ସାଙ୍ଗକୁ ମଦ ବିକ୍ରି ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇବାକୁ ଆନ୍ଦୋଳନକାରୀ ଦାବି କରିଥିଲେ। ଭାଟି ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଆନ୍ଦୋଳନକାରୀ ମହିଳା ଅଭିଯୋଗ କରିଛନ୍ତି ଯେ, ‘ମଦ ଭାଟି ଯୋଗୁ ପାକିଡ଼ି ଗ୍ରାମ ରାସ୍ତା ଦେଇ ଚଷାପିତଳ ଓ ପାକିଡ଼ି ଗ୍ରାମର ବହୁ ମହିଳା ଓ ଝିଅ ଯାତାୟାତ କରୁଥିବାବେଳେ ଅସାମାଜିକ ଲୋକଙ୍କ ଅସୌଜନ୍ୟ ବ୍ୟବହାରର ସମ୍ମୁଖୀନ ହେଉଛନ୍ତି। ଏନେଇ ବହୁବାର ପ୍ରଶାସନକୁ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇଥିଲା। ଯାହାକୁ ନେଇ ଦୁଇ ଗାଁର ମହିଳାଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଥିଲା। ଫଳରେ ଭାଟି ପୋଡ଼ିବାକୁ ସେମାନେ ମନସ୍ଥ କରିଥିଲୁ’।
ଅନ୍ୟପକ୍ଷରେ ସମ୍ଭାବ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ପାକିଡ଼ି ଓ ଚଷାପିତଳ ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।