ପରୀକ୍ଷାଦିନ ଜେରକ୍ସ ଦୋକାନ ବନ୍ଦ

ଆନନ୍ଦପୁର/ହାଟଡିହି : ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ପୂର୍ବରୁ ଭାଇରାଲ ହେଉଛି ଉତ୍ତରଖାତା। ପରୀକ୍ଷା ଆରମ୍ଭ ହେବାପୂର୍ବରୁ ଏହାକୁ ପାଇବା ପାଇଁ ସୋମବାର ଦିନ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ବିଭିନ୍ନ ଜେରକ୍ସ ଦୋକାନରେ ଛାତ୍ରଛାତ୍ରୀଙ୍କ ଅସମ୍ଭାଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ଆନନ୍ଦପୁର ଉପଖଣ୍ଡ ପ୍ରଶାସନ ତତ୍ପରତା ଦେଖାଇଛି। ପରୀକ୍ଷା ଦିନ ୧୦ଟା ପୂର୍ବରୁ କେନ୍ଦ୍ରର ୨ କିମି ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି ଜେରକ୍ସ ଦୋକାନ ନ ଖୋଲିବାକୁ ଆନନ୍ଦପୁର ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମାଟ୍ରିକ୍‌ ପରୀକ୍ଷାର ପ୍ରଥମଦିନ ମାତୃଭାଷା ଥିଲା। ଏହିଦିନ ମଧ୍ୟ ପରୀକ୍ଷା ପୂର୍ବରୁ ଉତ୍ତରଖାତା ଭାଇରାଲ ହୋଇଥିଲା। କିଛି ଛାତ୍ରଛାତ୍ରୀ ଏହାକୁ ନେଇଥିଲେ। ଆଉକିଛି ସନ୍ଦେହରେ ନେଇନଥିଲେ। ତେବେ, ପରୀକ୍ଷା ପରେ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଏବଂ ଉତ୍ତରଖାତାରେ ଥିବା ଉତ୍ତର ଶତ ପ୍ରତିଶତ ଠିକ୍‌ ଥିବା ଜଣାପଡ଼ିଥିଲା। ପ୍ରଥମଦିନ ପରି ସୋମବାର ଦିନ ମଧ୍ୟ ପରୀକ୍ଷା ପୂର୍ବରୁ ଉତ୍ତର ଖାତା ଭାଇରାଲ୍‌ ହୋଇଥିଲା। ଏହାକୁ ପାଇବା ପାଇଁ ଜେରକ୍ସ ଦୋକାନ ଆଗରେ ଛାତ୍ରଛାତ୍ରୀଙ୍କ ଭିଡ଼ ଲାଗିଥିଲା। ଦୋକାନୀମାନେ ୨୦ରୁ ୫୦ଟଙ୍କା ଦରରେ ଏହି ଉତ୍ତରପତ୍ରର ଜେରକ୍ସ କପି ବିକ୍ରି କରିଥିଲେ। ସୋମବାର ଦିନ ପଡ଼ିଥିବା କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନର ୪୧ଟି ଠିକ୍‌ ଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ଏ ସମ୍ପର୍କରେ କିଛି ପରୀକ୍ଷାକେନ୍ଦ୍ରର ଅଧୀକ୍ଷକମାନଙ୍କୁ ପଚାରିବାରୁ, ସେମାନେ କେବଳ ଉତ୍ତରଖାତା ଭାଇରାଲ୍‌ ହେଉଥିବା ଶୁଣିବାକୁ ପାଇଛନ୍ତି। ଦେଖିନାହାନ୍ତି ବୋଲି କହିଛନ୍ତି। କିଛି ଶିକ୍ଷକ କହିଛନ୍ତି, ସାରାରାଜ୍ୟରେ ଏପରି ଚାଲୁଛି। ଯେହେତୁ ସମେଟିଭ-୧ ପରୀକ୍ଷା ସରିଛି, କେହି ଏହାକୁ ଅନୁମାନ କରି ଉତ୍ତର ଖାତା ପ୍ରସ୍ତୁତ କରିଥାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର