ଚଳନ୍ତା ଅଟୋରୁ ଖସିପଡ଼ି ଯୁବତୀଙ୍କ ମୃତ୍ୟୁ, ମାନବିକତା ଦେଖାଇବା ବଦଳରେ ଚାଳକ ଫେରାର

କାଲିମେଳା: ଚଳନ୍ତା ଅଟୋରୁ ଖସିପଡ଼ିବାରୁ ଆଜି ଅପରାହ୍‌ଣରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଯୁବତୀ ଜଣକ ଅଟୋରୁ ଖସି ପଡ଼ିବା ପରେ ରାଜରାସ୍ତାରେ ଛଟପଟ ହେଉଥିଲା ବେଳେ  ଘଟଣାସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଇଛି। ଯୁବତୀ ଜଣକ ଦିନ ମଜୁରି କରି ପରିବାର ପୋଷୁଥିଲେ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି-୨୧ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରୁଚା ଗେଲେଇ।

ସୂଚନାଯୋଗ୍ୟ, କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଗ୍ରାମର ଗଣପତି ଗେଲେଇଙ୍କ ଝିଅ ରୁଚା ଗିଲେଇ ଅନ୍ୟ ଦିନ ଭଳି ଆଜି ମଧ୍ୟ ଦିନ ୨ଟା ସମୟରେ ଗ୍ରାମରୁ କାମ କରିବା ପାଇଁ ଏମପିଭି-୨୧କୁ ବାହାରି ଥିଲେ। ସେ ଏମ୍‌ପିଭି-୨୧ରୁ କାଲିମେଳା ଯାଇଥିବା ରାସ୍ତାରେ ନିଜ ଗାଁଠାରୁ ଏକ ଯାତ୍ରୀବାହୀ ଅଟୋରେ ଚଢ଼ିଥିଲେ। ତେବେ ଅଟୋଟି ମାତ୍ର ଏକ କିମି ଅତିକ୍ରମ କରିବା ପରେ ଏମ୍‌ପିଭି- ୨୧ ନିକଟରେ ରୁଚା ହଠାତ୍ ଅଟୋରୁ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ଛାତିରେ ଗଭୀର ଆଘାତ ଲାଗିଥିଲା। ଏହି ସମୟରେ ଅଟୋଚାଳକ ଜଣକ ରୁଚାଙ୍କୁ ଉଠାଇ ଡାକ୍ତରଖାନା ନେବା ବଦଳରେ ଘଟଣାସ୍ଥଳରୁ ପଳାୟନ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମପିଭି୨୧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ରୁଚାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନା ମିଳିବା ପରେ ପୁଲିସ ଡାକ୍ତରଖାନା ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରିଛି। ତେବେ ସଂପୃକ୍ତ ଅଟୋଚାଳକଙ୍କ ବ୍ୟବହାର ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଗଣପତିଙ୍କ ପରିବାର କହିଲେ ସ୍ତ୍ରୀ ଓ ତିନି ଝିଅ। ବଡ଼ ଓ ସାନ ଝିଅଙ୍କ ବିବାହ ସରିଯାଇଛି। ମଝିଆ ଝିଅ ରୁଚା ବିବାହ କରିବାକୁ ମନା କରିଦେଇଥିଲେ। ବାପା-ମା’ଙ୍କ ସେବା କରିବା ପାଇଁ ସେ ବିବାହ କରି ନଥିଲେ। କିଛି ମାସ ହେବ ଗଣପତିଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା। ମା’ଙ୍କର ଅଣ୍ଟା ଭାଙ୍ଗିଯାଇଥିବାରୁ ସେ ଶଯ୍ୟାଶାୟୀ। ଦିନ ମଜୁରି କରି ରୁଚା ବାପା-ମା’ଙ୍କୁ ଖାଇବା ଯୋଗାଉଥିଲେ।

ସମ୍ବନ୍ଧିତ ଖବର