ସେୟାର ମାର୍କେଟରେ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା

ବାଲିଆପାଳ: ବାଲିଆପାଳ ଥାନା ଅସ୍ତି ପଞ୍ଚାୟତ ସର୍ଦ୍ଦାରସାହି ଗ୍ରାମର ଜନୈକ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଜଣକ ହେଲେ ସ୍ୱର୍ଗତ ଶଶିଭୂଷଣ ଦାସଙ୍କ ପୁଅ ସନ୍ତୋଷ(୪୦)।

ସନ୍ତୋଷଙ୍କ ମୃତଦେହ ଆଜି ତାଙ୍କ ଶୋଇବା ଘରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ଦେଖି ବାଲିଆପାଳ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସେଠାରୁ ଏକ ଡାଏରୀ ଜବତ କରିଥିଲା। ସେୟାର ମାର୍କେଟରେ ପାଖାପାଖି ୩୫ ଲକ୍ଷ ଟଙ୍କା ଗାଉଁଲି ସୁଧରେ ଆଣି ଲଗାଇଥିଲେ। ତେବେ ସେଥିରେ ବିପୁଳ କ୍ଷତି ସହିବା ସହ ଲୋକଙ୍କ ଉଧାର ଟଙ୍କା ଫେରାଇବା ନେଇ ଚିନ୍ତାରେ ରହୁଥିଲେ ସନ୍ତୋଷ। ଟଙ୍କା ବ୍ୟବସ୍ଥା କରି ନ ପାରି ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ନେଇ ଉକ୍ତ ଡାଏରୀରେ ଉଲ୍ଲେଖ କରିଥିବା ପୁଲିସ ସୁତ୍ରରୁ ଜଣାଯାଇଛି। ତେବେ ସନ୍ତୋଷଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଭିନ୍ନ ଭିନ୍ନ କଥା ଆଲୋଚନା କରୁଥିବା ବେଳେ ଉକ୍ତ ଡାଏରୀରେ ଥିବା ଲେଖା ସନ୍ତୋଷଙ୍କର କି ନୁହେଁ ତାହା ତଦନ୍ତ ସାପେକ୍ଷ।

ବାଲିଆପାଳ ପୁଲିସ ଘଟଣାରେ ୧୭/୨୨ରେ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ କରିଛି। ବ୍ୟବଚ୍ଛେଦ ରିର୍ପୋଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଇଆଇସି ପର୍ଶୁରାମ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର