ବଦଳୁଛି ତରିକା: ନିଶା ବେପାରରେ ଯୁବତୀଙ୍କୁ ସାମିଲ

୨ ମହିଳା ଗିରଫ,୨୧.୫ କେଜି ଗଞ୍ଜେଇ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଇସ୍ପାତ ସହରରେ ଦେଶୀ ମଦ, ନକଲି ବିଦେଶୀ ମଦ, ଗଞ୍ଜେଇ ଚୋରାଚାଲାଣ ନିତିଦିନିଆ ହୋଇଛି। ପୁଲିସ ପକ୍ଷରୁ ଧରପଗଡ ହେବା ପରେ ମାଫିଆମାନେ ନିଶା ବେପାରର ତରିକା ବଦଳାଇଛନ୍ତି। ବିଭିନ୍ନ ପ୍ରକାର ନିଶା ବେପାରରେ ଏବେ ଯୁବତୀଙ୍କୁ ସାମିଲ କରୁଛନ୍ତି। ସେମାନଙ୍କ ଦ୍ବାରା ବ୍ରାଉନସୁଗାର, ଗଞ୍ଜେଇ ଓ ମଦ ଆଦି ଚାଲାଣ କରାଯାଉଛି। ସୋମବାର ଅବକାରୀ ପୁଲିସ ୨ ମହିଳା ଗଞ୍ଜେଇ ବେପାରୀଙ୍କୁ ବାନ୍ଧିବା ପରେ କଥା ପଦାକୁ ଆସିଛି। ଏହି ଦୁଇ ମହିଳା ବେପାରୀ ୨/୩ ବର୍ଷ ହେଲା ଏହି ବେପାର କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

ସୋମବାର ପୂର୍ବାହ୍ନ ସମୟର କଥା। ଖବରପାଇ ରାଉରକେଲା ଅବକାରୀ ‌ପୁଲିସ ରାଉରକେଲା ରେଳ ଷ୍ଟେସନ ସମ୍ମୁଖ ଶୌଚାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ଦୁଇ ମହିଳା ଏକ ଟ୍ରଙ୍କରେ କିଛି ସାମଗ୍ରୀ ଧରି ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇଥିବା ଦେଖିବାକୁ ପାଇଥିଲା। ପଚରାଉଚରା ପରେ ସେମାନେ ପାନପୋଷର ଜୀୟା କୁମାରୀ ଯାଦବ(୧୯) ଓ କୁତ୍ରା କିଶାନ ବସ୍ତିର ମୂଳ ବାସିନ୍ଦା ତଥା ବାଲୁଘାଟରେ ଏକ ଭଡ଼ା ଘରେ ରହୁଥିବା ଅନୂପମା ଟପ୍ପୋ(୨୩) ବୋଲି ଜାଣିବାକୁ ମିଳିଥିଲା। ଯାଞ୍ଚ ପରେ ଉଭୟଙ୍କଠାରୁ ୨୧ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଉଭୟଙ୍କୁ ଗିରଫ କରିବା ପରେ ବହୁ ତଥ୍ୟ ପୁଲିସକୁ ମିଳିଛି।

ଅନୁପମା ଓ ଜୀୟା କୁମାରୀ ଗତ ୨/୩ ବର୍ଷ ହେଲା ଗଞ୍ଜେଇ ଚୋରାଚାଲାଣରେ ଜଡ଼ିତ ଅଛନ୍ତି। ଏମାନଙ୍କ ପାଖକୁ ମାଫିଆମାନେ ବୌଦ୍ଧ, ଦେବଗଡ଼, ଫୁଲବାଣୀ ଆଦି ଅଞ୍ଚଳରୁ ଗଞ୍ଜେଇ ପଠାଇଥାନ୍ତି। ଉକ୍ତ ଗଞ୍ଜେଇକୁ ଏମାନେ ବିଳାଶପୁର, ପଶ୍ଚିମବଙ୍ଗ ଆଦି ଅଞ୍ଚଳକୁ ନିୟମିତ ଚାଲାଣ କରିଥାନ୍ତି। ଏମିତିକି ମାସକୁ ୭/୮ ଥର ବି ଚାଲାଣ କରୁଛନ୍ତି। ମହିଳା ହୋଇଥିବାରୁ ଅନାୟାସରେ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ କରିପାରୁଛନ୍ତି। ତେବେ ଏହା ପଛରେ ଅନୂପମାର ସ୍ବାମୀ ମଧ୍ୟ ସଂପୃକ୍ତ ଥିବା ଅବକାରୀ ପୁଲିସ ସନ୍ଦେହ କରୁଛି। ସେ ହିଁ ଗଞ୍ଜେଇ ଆଣୁଥିବାବେଳେ ସ୍ତ୍ରୀ ଅନୁପମା ଓ ଜୀୟା କୁମାରୀଙ୍କ ମାଧ୍ୟମରେ ଅନ୍ୟ ରାଜ୍ୟର ଗ୍ରାହକଙ୍କ ପାଖକୁ ପଠାଉଛନ୍ତି। ଅନୁପମାଙ୍କ ବାଲୁଘାଟସ୍ଥିତ ଭଡ଼ା ଘରେ ଚଢ଼ଉ ବେଳେ ତା’ର ସ୍ବାମୀ ଫେରାର ଥିବା ପୁଲିସ କହିଛି। ହେଲେ ନିଶା ବେପାରର ତରିକା ବଦଳୁଥିବାରୁ ପୁଲିସ ପାଇଁ ବେପାରୀଙ୍କୁ ଧରିବା ଚ୍ୟାଲେଞ୍ଜ ହୋଇପଡ଼ିଛି।

ସମ୍ବନ୍ଧିତ ଖବର