ଇଟାରେ ଛେଚି ହତ୍ୟା, ଭିନ୍ନକ୍ଷମ ଭାଇକୁ ବାନ୍ଧିଲା ପୁଲିସ

ପୁରୀ : ଗତକାଲି ରାତିରେ ପୁରୀ ଟାଉନ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହି ଖୁଣ୍ଟିଆ ବଗିଚାରେ ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ଉମାଶଙ୍କର ଆଚାର୍ଯ୍ୟ (୫୨)ଙ୍କ ଭାଇ ରବୀନ୍ଦ୍ର ଆଚାର୍ଯ୍ୟ ଏ ନେଇ ପୁରୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାରେ ମୃତକ ଉମାଶଙ୍କରଙ୍କ ଭିନ୍ନକ୍ଷମ ସାନଭାଇ ରମେଶ ଆଚାର୍ଯ୍ୟ (୪୦)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ହତ୍ୟାକାଣ୍ଡ ପଛରେ ପାରିବାରିକ କଳହ ଓ ଜମିବାଡ଼ି ବିବାଦ ଥିବା କୁହାଯାଉଛି।

ଆଜି ଭୋର ସମୟରେ ଚୁଡ଼ଙ୍ଗ ସାହି ଖୁଣ୍ଟିଆ ବଗିଚା ‌ଗଳିମୁଣ୍ଡରେ ଉମାଶଙ୍କରଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇବା ପରେ ଚୁଡ଼ଙ୍ଗ ସାହି ମାତା ଗୋସାଇଁ ଲେନ୍‌ରେ ରହୁଥିବା ଉମାଶଙ୍କରଙ୍କ ମଝିଆ ଭାଇ ରବୀନ୍ଦ୍ର ଟାଉନ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଟାଉନ ଥାନା ଇନ୍‌ସ୍ପେକ୍ଟର ଦେବୀପ୍ରସାଦ ପା‌ତ୍ର ସାଇଣ୍ଟିଫିକ୍ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଘଟଣାସ୍ଥଳରୁ ପୁଲିସ ରକ୍ତଭିଜା ଲୁଗା, ଇଟାଖଣ୍ଡକୁ ଜବତ କରିବା ପରେ ସନ୍ଦେହରେ ମୃତକ ଉମାଶଙ୍କରଙ୍କ ସାନଭାଇ ରମେଶଙ୍କୁ ଧରି ଥାନାକୁ ନେଇ ଯାଇଥିଲା। ହତ୍ୟାକାଣ୍ଡରେ ରମେଶର ସମ୍ପୃକ୍ତି ଥିବା ନେଇ ପୁଲିସ ନିଶ୍ଚିତ ହେବା ପରେ ତାକୁ ଆଜି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର