ପାଟଣା : ୩ ହଜାର ଟଙ୍କା ପାଇଁ ଯୁବକକୁ ପିଟିପିଟି ମାରିଦେଲେ, ଅଭିଯୁକ୍ତ ଗିରଫ

ପାଟଣା : ଚୋରି ସନ୍ଦେହରେ ଯୁବକଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟା। ଏଭଳି ବୀଭତ୍ସ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ପାଟଣା ଭୂମିଜ ସାହିରେ ଗତକାଲି ରାତିରେ ଘଟିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କ ସୂଚନା ଅନୁସାରେ ‌ସନ୍ତୋଷ ନାୟକଙ୍କ ଘରୁ ୩ ହଜାର ଟଙ୍କା ଚୋରି ହୋଇଥିଲା। ଏହି ଟଙ୍କା ବବଲୁ ନାୟକ ନାମକ ଜଣେ ବ୍ୟକ୍ତି ନେଇଥିବା ସେ ସନ୍ଦେହ କରିଥିଲେ। ଏହାକୁ ନେଇ ସେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସନ୍ତୋଷ ଉତକ୍ଷିପ୍ତ ହୋଇ ବବଲୁଙ୍କୁ କାଠ ଫାଳିଆରେ ନିର୍ଧୂମ ପିଟିଥିଲେ। ଫଳରେବବଲୁଙ୍କର ମୃତ୍ୟୁ ଘଟିଥିଲା ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ଅନ୍ୟପଟେ ହତ୍ୟାକାଣ୍ଡ ସଂପର୍କରେ ସନ୍ତୋଷ ଭିନ୍ନ କଥା କହିଛନ୍ତି। ତାଙ୍କ ପତ୍ନୀଙ୍କୁ ବବଲୁ ଅସଦାଚରଣ କରିବାରୁ ଉଭୟଙ୍କ ମଧ୍ୟରେ ଗତକାଲି ରାତିରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଏକ କାଠଫାଳିଆରେ ବବଲୁଙ୍କୁ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସେ କହିଛନ୍ତି। ମୃତ ବବଲୁଙ୍କ ମୂଳ ଘର ମୟୂରଭଞ୍ଜ ଜିଲ୍ଲା କାଦଡିହା ଗ୍ରାମରେ। ସେ କିଛି ଦିନ ହେଲା ଆସି ଏଠାରେ ଥିବା ତାଙ୍କ ସମ୍ପର୍କୀୟ ପୁତୁରାଙ୍କ ସହଯୋଗରେ  ରହୁଥିଲେ। ଏକ କୁଡ଼ିଆଘରେ ସେ ଓ ତାଙ୍କ ସ୍ତ୍ରୀ ରହି ମୂଲମଜୁରି କରି ଚଳୁଥିଲେ।

ପାଟଣା ପୁଲିସ ୪୫/୨୦, ଦଫା ୩୦୨, ୩୨୩ରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ବବ୍‌ଲୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର