ଛେଳି ଚରାଳିଙ୍କୁ ରକ୍ତ‌ାକ୍ତ କଲେ ୩ ଭାଲୁ

ସମ୍ବଲପୁର/ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ରେଙ୍ଗାଲି ବଡ଼ମାଲସ୍ଥିତ ଖଇରଟାପ ଗ୍ରାମରେ ଜଣେ ଛେଳି ଚରାଳିଙ୍କୁ ୩ଟି ଭାଲୁ ସଂଘବଦ୍ଧ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି। ଆହତ ଯୁବକ ଜଣକ ହେଲେ ଖଇରଟାପ ଗ୍ରାମର ଲଲିତ ବାଗ(୪୫)। ଭାଲୁମାନେ ଲଲିତଙ୍କ ଗୋଟିଏ ଆଖି ତାଡ଼ି ନେଇଥିବା ବେଳେ ତାଙ୍କ ମୁହଁ, ହାତ ଓ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତବିକ୍ଷତ କରିଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଲଲିତ ସବୁଦିନ ପରି ସକାଳୁ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ସେଠାରୁ ଛେଳି ନେଇ ଫେରିବା ସମୟରେ ଏକାସାଙ୍ଗରେ ୩ଟି ଭାଲୁ ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲେ। ଲଲିତଙ୍କ ଉପରେ ଭାଲୁମାନେ ଆକ୍ରମଣ କରିବା ପରେ ଚିତ୍କାର ଶୁଣି ପାଖରେ ଛେଳି ଚରାଉଥିବା ଅନ୍ୟ ୨ ଜଣ ସେଠାକୁ ଦଉଡ଼ି ଆସିବାରୁ ଭାଲୁମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଭାଲୁମାନେ ଲଲିତଙ୍କ ଗୋଟିଏ ଆଖି ତାଡ଼ି ନେଇଥିବା ବେଳେ ନଖ ବାଜି ଆଉ ଗୋଟିଏ ଆଖି ମଧ୍ୟ ବାହାରକୁ ବାହାରି ପଡ଼ିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର