ସଇନ୍ତଳା : ଫସଲ ବୀମା କରିବାକୁ ଯାଇ ଯୁବକ ନିଖୋଜ

ନର୍ସରିରୁ ରକ୍ତଭିଜା ବାଇକ୍‌ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ସଇନ୍ତଳା : ଫସଲ ବୀମା ପଞ୍ଜୀକରଣ ପାଇଁ ଯାଇ ନିଖୋଜ ହୋଇଯାଇଛନ୍ତି ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଭଦ୍ରା ପଞ୍ଚାୟତ ନୂଆଁପଡ଼ା ଗାଁର ଚାଷୀ ଲେମ୍ବୁ ସାହୁ (୨୫ବର୍ଷ)। ଶନିବାର ସକାଳୁ ଘୁନସର ଡିଗ୍ରି କଲେଜ ନିକଟ ମୁଖ୍ୟ ରାସ୍ତାରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ପାଖରେ ଥିବା ନର୍ସରି ମଧ୍ୟରୁ ରକ୍ତ ଲାଗିଥିବା ଲେମ୍ବୁଙ୍କ ବାଇକ୍‌ ମିଳିଥିଲା। ଖବର ପାଇ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ସଇନ୍ତଳା ଥାନାଧିକାରୀ ବାରିଣୀ ଦାସଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ସନ୍ଧାନୀ କୁକୁର ଘଟଣାସ୍ଥଳ ନିକଟରେ ଥିବା ଏକ ପୋଖରୀ ପର୍ଯ୍ୟନ୍ତ ଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସଂପୃକ୍ତ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପାଇ ନଥିଲେ। ତଥାପି ପୁଲିସ କିଛି ଲୋକଙ୍କୁ ଡାକି ପଚରାଉଚୁରା ଜାରି ରଖିଛି।

ଅନ୍ୟପକ୍ଷରେ ନିଖୋଜ ଲେମ୍ବୁଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ସାହୁ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି। ଏନେଇ ଲେମ୍ବୁଙ୍କ ଭିଣୋଇ ରାଘବ ସାହୁ ବେଲଗାଁ ଫାଣ୍ତିରେ ଲିଖିତ ଅଭିଯୋଗ କରିଛନ୍ତି। ନୂଆଁପଡ଼ା ଗ୍ରାମ ନିକଟ ଚାରଭଟା ଗ୍ରାମ ପାଖରେ ପଲିଥିନ ମଧ୍ୟରେ କିଛି କଟାମାଂସ ପଡ଼ିଥିବା ସନ୍ଧ୍ୟା ସମୟରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ ଉକ୍ତ ମାଂସ ମଣିଷର ନା କୌଣସି ଜୀବଜନ୍ତୁର ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଲେମ୍ବୁଙ୍କ ସନ୍ଧାନ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର