ଭଦ୍ରକରେ ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ: ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ନିର୍ବାଚନ କମିସନଙ୍କୁ ଭେଟିଲା ବିଜେପି

ଭଦ୍ରକ/ଭୁବନେଶ୍ବର : ଭଦ୍ରକ ବ୍ଲକ୍‌ ବ୍ରହ୍ମପୁର ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗାଁରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ରାଜନୈତିକ ଶତ୍ରୁତା କାରଣରୁ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା‌ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ହତ୍ୟା ପ୍ରସଙ୍ଗରେ ବିଜେପି ନିର୍ବାଚନ କମିସନଙ୍କୁ ଭେଟି ଦୃଷ୍ଟାନ୍ତମୂଳକ କ‌ାର୍ଯ୍ୟାନୁଷ୍ଠାନ ଦାବି କରିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁର ପଞ୍ଚାୟତ ବ୍ରହ୍ମପୁର ଗାଁର କିଛି ଶାସକ ଦଳର ଯୁବକ ସ୍ଥାନୀୟ ବିଦ୍ୟାଳୟ ପଡ଼ିଆ ଜବରଦଖଲ କରି ରଖିଛନ୍ତି। ଏହାସହିତ ସେଠାରେ ଥିବା କ୍ଲବ୍‌ ଘରକୁ ମଧ୍ୟ ନିଜ ଅକ୍ତିଆରକୁ ନେଇଛନ୍ତି। ଯାହାକୁ ବ୍ରହ୍ମପୁର ଗ୍ରାମର ବିଜେପି କର୍ମୀ ଶୁଭାଶିଷ ଗିରି (୨୬) ବିରୋଧ କରି ଆସୁଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଶୁଭାଶିଷ ଓ ଜବରଦଖଲକାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହି ସମୟରେ ପ୍ରତିପକ୍ଷ ଶୁଭାଶିଷଙ୍କୁ ଏକ ଟ୍ୟୁବ୍‌ୱେଲ୍‌ ହ୍ୟାଣ୍ଡେଲ୍‌ରେ ପିଟି ପାଖ ପୋଖରୀକୁ ଠେଲି ଦେଇଥିଲେ। ଫଳରେ ଶୁଭାଶିଷଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା।

ଏନେଇ ମୃତକଙ୍କ ସମ୍ପର୍କୀୟ ଓ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ପାଢ଼ୀଙ୍କ ନେତୃତ୍ବରେ ଦଳୀୟ କର୍ମୀ ଓ ଉତ୍ତ୍ୟକ୍ତ ଲୋକ ମୃତଦେହ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ରଖି ଆନ୍ଦୋଳନ କରିଥିଲେ। ସେହିପରି ଇଚ୍ଛାପୁର ନିକଟରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା। ସ୍ଥାନୀୟ ୪ଟି ଥାନାର ଥାନାଧିକାରୀ ଓ ଭଦ୍ରକ ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଶେଷ ଖବର ସୁଦ୍ଧା ମୃତ ଶୁଭାଶିଷଙ୍କ ଭଉଣୀ ଅର୍ଚ୍ଚନା ଗିରି ଘଟଣା ବାବଦରେ ସାବରଙ୍ଗ ଥାନାରେ ଏତଲା ଦେଇଛନ୍ତି। ଫଳରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ବୀଭତ୍ସ ହତ୍ୟାକାଣ୍ଡରେ ଅଭିଯୁକ୍ତ ବିଜେଡି ଗୁଣ୍ଡା କର୍ମୀ ମହେଶ୍ୱର ସାହୁ, ଜ୍ୟୋତିରଞ୍ଜନ ସେନାପତି, ପ୍ରିୟରଞ୍ଜନ ସେନାପତି, ମହେଶ୍ୱର ମାହାଲ, ପ୍ରଶାନ୍ତ ଅର୍ଖ ପ୍ରମୁଖ ସ୍ଥାନୀୟ ବିଜେଡି ବିଧାୟକଙ୍କ ଦୃଢ ସମର୍ଥକ ଅଟନ୍ତି। ଏହି ଘଟଣା ଘଟାଉଥିବାବେଳେ ସେମାନେ ବିଧାୟକଙ୍କ ପାଖ ଲୋକ ଏବଂ ସେମାନଙ୍କୁ କେହି କିଛି କରିପାରିବେ ନାହିଁ ବୋଲି ଚିତ୍କାର କରି କହୁଥିଲେ। ହେଲେ ପୁଲିସ ଏଥିରେ ଅଭିଯୁକ୍ତଙ୍କୁ ଗିରଫ କରିନି। ତେଣୁ ରାଜ୍ୟ ନିର୍ବାଚନ କମିସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ ଜଣାଇଛନ୍ତି। ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଲିଗାଲ ସେଲ୍‌ର ଜୟନ୍ତ ଜେନା, ରବିଶଙ୍କର ପଟ୍ଟନାୟକ, ମହେନ୍ଦ୍ର ଜେନା, ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର