ଭଦ୍ରକରେ ପ୍ରବଳ ବର୍ଷା: ଚିନ୍ତାରେ ଚାଷୀ, କୋହଲା ପାଗ ପାଇଁ ଜନଜୀବନ ଅସ୍ତବ୍ୟସ୍ତ

ଭଦ୍ରକ: ଭଦ୍ରକରେ ଶୁକ୍ରବାର ଝିପି ଝିପି ବର୍ଷା ଲାଗି ରହିଥିଲା। ଦିନ ପ୍ରାୟ ୧୦ଟା ପରେ ବର୍ଷାର ପ୍ରକୋପ ବୃଦ୍ଧି ପାଇଥିଲା। ଅପରାହ୍ନ ପ୍ରାୟ ଗୋଟାଏ ବେଳକୁ ବର୍ଷାର ପ୍ରକୋପ ବୃଦ୍ଧି ପାଇଁ ପ୍ରବଳ ବର୍ଷା ହୋଇଥିଲା। ଏଇ ବର୍ଷା ପ୍ରାୟ ଦୁଇ ଘଣ୍ଟା ଧରି ଲାଗି ରହିବାରୁ ଲୋକମାନେ କୋହଲା ପାଗ ସହ ବର୍ଷା ମାଡରେ କଲବଲ ହୋଇଥିଲେ। କୋହଲା ପାଗ ଓ ବର୍ଷା ଯୋଗୁଁ ଭଦ୍ରକ ସହରରେ ବଜାର ହାଟ ପରିସ୍ଥିତି ଭଲ ନଥିଲା। ଅଧିକାଂଶ ଦୋକାନୀଙ୍କର ବେପାର ଭଲ ହୋଇ ନଥିବା ଜଣାପଡିଛି।

ଗୋଟିଏ ପଟେ ଶୀତ ଓ କୋହଲା ପାଗ ସହ ବର୍ଷା ଲୋକଙ୍କୁ ବେହାଲ କରିଥିବା ବେଳେ ଜିଲ୍ଲାରେ ବିଶେଷ ଭାବେ ଚାଷୀ କ୍ଷତିଗ୍ରସ୍ତ ହୋଇଛି। ଅନେକ ଚାଷୀଙ୍କର ବିଲରେ ଧାନ କଟା ଚାଲିଥିବା ବେଳେ ଅନେକ ଚାଷୀଙ୍କର ଧାନ କଟା ଯାଇ ବିଲରେ ପଡିଛି। ଆଉ କିଛି ଚାଷୀ ଧାନ କାଟି ଏହାକୁ ମେସିନ୍‌ ଦ୍ୱାରା ବିଲରେ ପିଟୁଥିବା ବେଳେ ଅନେକ ଚାଷୀ ସେମାନଙ୍କର ଧାନ ଅମଳ କରି ଖଳାରେ କୁଢ଼ କୁଢ଼ କରି ରଖିଛନ୍ତି। ଆଉ କିଛି ଧାନ ବସ୍ତା ସବୁ ଖଳାରେ ପଡିଛି।

ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବୁଲ୍‌ ବୁଲ୍‌ ପରେ ଏବେର ବର୍ଷା ଚାଷୀଙ୍କୁ ବେଶୀ ଡରାଉଛି। ପାଚିଲା ଧାନ ଓ ଅମଳ ଧାନକୁ ନେଇ ଚିନ୍ତାରେ ଚାଷୀ। ଅନ୍ୟପାଟେ ଧାନ ବିକ୍ରୀ ପାଇଁ ମଣ୍ଡି ଖୋଲା ଯାଇ ନ ଥିବାରୁ ବେଳେ ଚାଷୀ ଧାନକୁ ନେଇ କଣ କରିବ। କେଉଁଠି ରଖିବ, କହାକୁ ବିକ୍ରୀ କରିବ। ସେଇ ଚିନ୍ତାରେ ଘାରି ହେଉଥିବା ବେଳେ ଆଜିର ବର୍ଷା ଚାଷୀର କଟା ଘା’ରେ ଚୂନ ମାରିଛି।

ସମ୍ବନ୍ଧିତ ଖବର