ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ବଦଳ ଖେଳାଳି ବଦଳାଇ ଦେଲେ ଭାଗ୍ୟ

ଭାରତର ବିଜୟରେ ରାହୁଲ, ନଟରାଜନ, ଜାଦେଜା, ଚହଲ ଚମକ

କାନବେରା : ପ୍ରଥମ ପସନ୍ଦର ୧୧ ଜଣିଆ ଦଳରେ ସେ ଅଲୋଡ଼ା ଥିଲେ। କିନ୍ତୁ ଆହତ ଖେଳାଳିଙ୍କ ବଦଳ ଖେଳାଳି ଭାବେ ଆସି ମ୍ୟାଚ୍‌ ବିଜେତା ସାବ୍ୟସ୍ତ ହୋଇଗଲେ। ଅନ୍ତର୍ଜାତୀୟ କ୍ରି‌କେଟ୍‌ରେ ଶୁକ୍ରବାର ଏଭଳି ଗୌରବର ଅଧିକାରୀ‌ ହୋଇଛନ୍ତି ସ୍ପିନର ଯୁଜବେନ୍ଦ୍ର ଚହଲ। ବ୍ୟାଟିଂ ବେଳେ ଆହତ ରବୀନ୍ଦ୍ର ଜାଦେଜାଙ୍କ ପାଇଁ ବଦଳ ଖେଳାଳି ସୁଯୋଗ ପାଇଥିବା ଚହଲ ନିଜ ଦିନିକିଆ ପ୍ରଦର୍ଶନ ନିରାଶାକୁ ପଛରେ ପକାଇ ଭାରତକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଛନ୍ତି। ଫଳରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି। ୧୧ ରନ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବାରୁ ଚହଲ (୪-୦-୨୫-୩)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ମିଳିଛି। ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଏଭଳି ଉଦାହ‌ରଣ ନଜରକୁ ଆସିଛି। ନିଜ ପ୍ରଥମ ଦୁଇ ଓଭରରେ ଆରୋନ୍‌ ଫିଞ୍ଚ୍‌ ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଦୁଇ ବଡ଼ ୱିକେଟ୍ ନେବା ପରେ ମାଥ୍ୟୁ ୱା‌ଦେଙ୍କୁ ତୃତୀୟ ଶିକାର କରିଥିଲେ। ୧୬୨ ରନ୍‌ ବିଜୟ ଲକ୍ଷ୍ୟରେ ଏକଦା ୫୬/୦‌ରେ ପହଞ୍ଚିଥିବା ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ‌ ଠେଲି ଦେଇଥିଲେ ଚହଲ। ବ୍ୟାଟିଂ ବେଳେ ଯନ୍ତ୍ରଣା ଭିତରେ ୨୩ ବଲ୍‌ରୁ ୪୪* ରନ୍ କରିଥିବା ଜାଦେଜାଙ୍କ ଠିକଣା ବିକଳ୍ପ ଉଭା ହୋଇ ତାଙ୍କ ବୋଲିଂ ଅଭାବକୁ ବି ଯଥାର୍ଥରେ ପୂରଣ କରିଥିଲେ।

୧୧ ରନ୍‌ ବିଜୟ
ଟସ୍ ଜିତି ଅଷ୍ଟ୍ରେଲିଆ କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିଥିଲା। ଶିଖର ଧାୱନ ଏବଂ ବିରାଟ କୋହଲି ଶସ୍ତାରେ ଆଉଟ୍ ହୋଇଯିବା ପରେ କେଏଲ୍ ରାହୁଲ ଏବଂ ସଂଜୁ ସାମସନ୍‌ ପାଳି ସମ୍ଭାଳିଥିଲେ। ୧୧ ଓଭର ବେଳକୁ ଭାରତ ୨ ୱିକେଟ ବିନିମୟରେ ୮୬ ରନ୍ ସଂଗ୍ରହ କରି ବଡ଼ ସ୍କୋର୍‌ ସମ୍ଭାବନା ସୃଷ୍ଟି କରିଥିଲା। ସଂଜୁ ସାମସନ (୨୩, ୧୫ ବଲ)ଙ୍କୁ ମୋଜେସ୍‌ ହେନରିକ୍ସ ଦ୍ବାଦଶ ଓଭରର ପ୍ରଥମ ବଲରେ ଆଉଟ୍ କରି ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହି ସମୟରେ ହଠାତ ଚାପରେ ପଡ଼ି ଭାରତ ଆଉ ୩ ୱିକେଟ୍ ହରାଇବାରୁ ୧୧୪/୬ରେ ସଂଘର୍ଷ କରିଥିଲା। ହେନରିକ୍ସ ନିଜ ପରବର୍ତୀ ଦୁଇ ଓଭରରେ କେଏଲ୍ ରାହୁଲ (୫୧) ଏବଂ ହାର୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍ କରି ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ମଝିରେ ମନୀଷ ପାଣ୍ଡେଙ୍କୁ ଆଦାମ ଜାମ୍ପା ଗଲି ଅଞ୍ଚଳରେ କ୍ୟାଚ୍‌ କରାଇନେଇଥିଲେ। ସପ୍ତମ ୱିକେଟ୍ ପାଇଁ ରବୀନ୍ଦ୍ର ଜାଦେଜା କିନ୍ତୁ ୱାସିଂଟନ୍ ସୁନ୍ଦର (୭)ଙ୍କୁ ସାଥୀ କର ୩୮ ରନ୍ ଭାଗୀଦାରି ଗଢ଼ିବା ନିର୍ଣ୍ଣାୟକ‌ ସାବ୍ୟସ୍ତ‌‌ ହୋଇଥିଲା। ଜାଦେଜା ସାହସିକ ବ୍ୟାଟିଂ କରି ୨୩ ବଲ୍‌ରୁ ୪୪* ରନ୍ କରିବାରୁ ଭାରତ ୧୬୧/୭ରେ ପାଳି ଶେଷ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୫୦/୭ରେ ସୀମିତ ରହି ୧୧ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା।

ନଟରାଜନଙ୍କ ସ୍ମରଣୀୟ କାନବେରା ପଦାର୍ପଣ
ତାମିଲ ଦ୍ରୁତ‌ ବୋଲର ଥଙ୍ଗାରାସୁ ନଟରାଜନଙ୍କ ପାଇଁ ଅଷ୍ଟ୍ରେଲିଆ ରାଜଧାନୀ କାନବେରା ଅନେକ ଦିନ ଯାଏ ଅଭୁଲ ରହିବ। କାନବେରାର ମନୁକା ଓଭାଲରେ ଏହି ୟର୍କର ସ୍ପେସାଲିଷ୍ଟ ଭାରତର ଉଭୟ ଫର୍ମାଟରେ କେବଳ ପଦାର୍ପଣ କରିନଥିଲେ। ନିଜ ଅନ୍ତର୍ଜାତୀୟ ଆଗମନକୁ ବି ସ୍ମରଣୀୟ ରଖିଛନ୍ତି। ବୁଧବାର ଦିନିକିଆ ପଦାର୍ପଣରେ ୨ ୱିକେଟ୍ ନେଇଥିବା ନଟରାଜନ ଶୁକ୍ରବାର ୩ ୱିକେଟ୍ ନେଇ ଭାରତର ବିଜୟରେ ଅନ୍ୟତମ ପ୍ରମୁଖ ଯୋଗଦାନ ରଖିଥିଲେ। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡାଏର୍କି ସର୍ଟ, ବିପଜ୍ଜନକ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଅଲରାଉଣ୍ଡର୍‌ ମିଚେଲ୍ ଷ୍ଟାର୍କଙ୍କ ୱିକେଟ୍ ନେଇ ଟି-୨୦ ପଦାର୍ପଣକୁ ୪-୦-୩୦-୩ରେ ଶେଷ କରିଥିଲେ। ମହମ୍ମଦ ସାମି (୦/୪୬) ମହଙ୍ଗା ସାବ୍ୟସ୍ତ‌ ହୋଇଥିବା ବେଳେ ବଦଳ ଖେଳାଳି ଭୂମିକାରେ ଆସିଥିବା ୟୁଜବେନ୍ଦ୍ର ଚହଲ (୪-୦-୨୫-୩) ବିଜୟର କର୍ଣ୍ଣଧାର ସାଜିଥିଲେ। ଚହଲଙ୍କ ସାଥୀ ସ୍ପିନର ୱାସିଂଟନ୍ ସୁନ୍ଦର (୪-୦-୧୬-୦) ୱିକେଟ୍‌ ଶୂନ୍ୟ ରହିଥିଲେ ମଧ୍ୟ ମିତବ୍ୟୟୀ ରହିବାରୁ ଭାରତ ୧୬୧ ରନ୍‌କୁ ସୁରକ୍ଷିତ ରଖିପାରିଥିଲା।

 

ଜାଦେଜାଙ୍କ ଯନ୍ତ୍ରଣା ଓ ମସ୍ତିସ୍କାଘାତ
ରବୀନ୍ଦ୍ର ଜାଦେଜାଙ୍କ ମସ୍ତିସ୍କାଘାତ ପୂର୍ବରୁ ସେ ଯନ୍ତ୍ରଣା ଭିତରେ ୨୩ ବଲ୍‌ରୁ ସାହସିକ ୪୪* ରନ୍‌ର ପାଳି ଖେଳି ଭାରତର ସମ୍ମାନ ରଖିଥି‌ଲେ। ମସ୍ତିସ୍କାଘାତ ବଦଳ ଖେଳାଳି ଭାବେ ୟୁଜବେନ୍ଦ୍ର ଚହଲଙ୍କୁ ନିଆଯାଇଥିବାରୁ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଏହାକୁ ବିରୋଧ କରିଥିଲେ। କିନ୍ତୁ ବିସିସିଆଇ ଡାକ୍ତରଙ୍କ ରିପୋର୍ଟ ଭିତ୍ତିରେ ଆଇସିସି ମ୍ୟାଚ୍‌ ରେଫରି ଡେଭିଡ୍‌ ବୁନ୍‌ ଚହଲଙ୍କୁ ବଦଳ ଖେଳାଳି ଭାବେ ଅନୁମୋଦନ ଦେଇଥିଲେ। ଜାଦେଜାଙ୍କ ମାଂସପେଶୀ ଟାଣି ହୋଇଯିବାରୁ ସେ ଠିକ୍‌ ଭାବେ ଚାଲି ପାରୁନଥିଲେ। ୱାସିଂଟନ୍ ସୁନ୍ଦରଙ୍କ ସହ ୩୮ ରନ୍‌ର ସପ୍ତମ ୱିକେଟ୍‌ ଭାଗୀଦାରିରେ ସେ ଅଧିକ ନ ଦୌଡ଼ି ବଡ଼ ସଟ୍ ଖେଳିବାକୁ ଯୋଜନା କରିଥିଲେ। ଶେଷ ଓଭର ବୋଲିଂ କରିଥିବା ମିଚେଲ ଷ୍ଟାର୍କଙ୍କ ଏକ ବଲ୍‌ କିନ୍ତୁ ତାଙ୍କ ବ୍ୟାଟ୍‌ ଓ ହେଲମେଟ୍‌ରେ ମାଡ଼ ହୋଇ ବ୍ୟାକୱାର୍ଡ ପଏଣ୍ଟକୁ ଚାଲିଯାଇଥିଲା। କ୍ୟାଚ୍‌ ହାତଛଡ଼ା ହେବାରୁ ଜାଦେଜା ବର୍ତିଯାଇଥିଲେ। ମାତ୍ର ୪ ବଲ୍‌ ଥିବାରୁ ସେ କିନ୍ତୁ ଡାକ୍ତରୀ ଚିକିତ୍ସା ନ କରି ଅବଶିଷ୍ଟ ବଲ୍‌ ଖେଳିଥିଲେ। ଅଷ୍ଟ୍ରେଲିଆ ପାଳିରେ କିନ୍ତୁ ସେ କ୍ଷେତ୍ରରକ୍ଷଣ କରିବା ସ୍ଥିତିରେ ନଥିବାରୁ ୟୁଜବେନ୍ଦ୍ର ଚହଲଙ୍କୁ ମସ୍ତିସ୍କାଘାତ ବଦଳ ଖେଳାଳି ଭାବେ ଆଇସିସି ଅନୁମୋଦନ କରିଥିଲା। ମସ୍ତିସ୍କାଘାତର ଲକ୍ଷଣ ୨/୩ ଦିନ ପର୍ଯ୍ୟନ୍ତ ପ୍ରଭାବ ରଖୁଥିବାରୁ ଜାଦେଜା ଶୃଙ୍ଖଳାର ଅବଶିଷ୍ଟ ଭାଗରେ ଖେଳିବା ନେଇ ଆଶଙ୍କା ରହିଛି।

ଜାଦେଜା ବାଦ୍‌, ସାର୍ଦୁଲ ସ‌ାମିଲ
ଶୁକ୍ରବାର ମସ୍ତିସ୍କାଘାତ କାରଣରୁ ଦ୍ବିତୀୟ ପାଳିରେ ଖେଳିପାରିନଥିବା ଭାରତୀୟ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜା ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାର ଅବଶିଷ୍ଟ ଦୁଇ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଅସୁସ୍ଥତାର ତର୍ଜମା କରିବା ପରେ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ଘୋଷଣା କରିଛି। ଜାଦେଜାଙ୍କୁ ଡାକ୍ତରୀ ଅନୁଧ୍ୟାନ ମଧ୍ୟରେ ରଖାଯାଇଛି ଏବଂ ଆକଳନ ପାଇଁ ଶନିବାର ସକାଳେ ଅଧିକ ସ୍କାନ୍‌ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଟି-୨୦ ଶୃଙ୍ଖଳାର ଅବଶିଷ୍ଟ ଭାଗରେ ସେ ଭାଗନେବେ ନାହିଁ ବୋଲି ଏହି ବିବୃତ୍ତିରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ବିସିସିଆଇର ଜାତୀୟ ବରିଷ୍ଠ ଚୟନକର୍ତାମାନେ ଜାଦେଜାଙ୍କ ବିକଳ୍ପ ଖେଳାଳି ଭାବେ ଦ୍ରୁତ ବୋଲର ସାର୍ଦୁଲ ଠାକୁରଙ୍କୁ ସାମିଲ କରିଛି। ସାର୍ଦୁଲ ପୂର୍ବରୁ‌ କେବଳ ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଥିଲେ। ଭାରତ ଭଳି ଅଷ୍ଟ୍ରେଲିଆକୁ ମଧ୍ୟ ଆହତ ସମସ୍ୟା ପିଛା କରିଛି। ଘରୋଇ ଦଳ ଅଧିନାୟକ ଅରୋନ୍‌ ଫିଞ୍ଚ୍‌ ଶୁକ୍ରବାର ମ୍ୟାଚ୍‌ ବେଳେ ଆହତ ହୋଇଥିବାରୁ ରବିବାର ଓ ମଙ୍ଗଳବାର ଖେଳାଯିବାକୁ ଥିବା ଶେଷ ଦୁଇ ଟି-୨୦ ଦ୍ବୟରେ ଭାଗନେବା ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର