ଦୁର୍ନୀତି କରିବେନି ବୋଲି ପୁଣି ଶପଥ ନେଲେ : ‘୫ଟି’ ଛାଟ, ବାଧ୍ୟତାମୂଳକ ଅବସରର ବି ପଡ଼ୁନି ପ୍ରଭାବ

ଲୁଚିଯାଉଛି ସଚ୍ଚୋଟ କର୍ମଚାରୀଙ୍କ ସବୁ ଭଲ କାମ ଓ ସଫଳତା

ଭୁବନେଶ୍ୱର : ଭିଜିଲାନ୍ସ ସପ୍ତାହ ଅବସରରେ ରାଜ୍ୟରୁ ଦୁର୍ନୀତିର ମୂଳୋତ୍ପାଟନ ଲାଗି ରାଜ୍ୟ ସରକାରଙ୍କର ପ୍ରାୟ ସବୁ କାର୍ଯ୍ୟାଳୟରେ ଆଜି ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ମଚାରୀମାନେ ଉପରକୁ ହାତଟେକି ଘୋଷଣା କରିଛନ୍ତି, ‘‘ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନର ଶାସନକୁ ଅନୁପାଳନ କରିବେ। ଉତ୍କୋଚ ନେବେ ନାହିଁ କି ଦେବେ ନାହିଁ। ସମସ୍ତ ଦାୟିତ୍ବକୁ ସାଧୁତା ଓ ସ୍ବଚ୍ଛତାର ସହିତ ସଂପାଦନ କରିବେ। ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଉଦାହରଣ ହେବେ। ଦୁର୍ନୀତି ସଂପର୍କରେ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ।’’

ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଅଫିସରଙ୍କ ଠାରୁ ଆରମ୍ଭ କରି ତଳସ୍ତରର କର୍ମଚାରୀ ସମସ୍ତେ ଭାଗ ନେଇଥିଲେ। କିନ୍ତୁ ବିଭିନ୍ନ ମହଲରେ ଏହି କାର୍ଯ୍ୟକ୍ରମଟି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଇଥିପାଇଁ ଯେ ପ୍ରତିବର୍ଷ ଭିଜିଲାନ୍ସ ସପ୍ତାହ ଅବସରରେ ଦୁର୍ନୀତି ନିବାରଣ ପାଇଁ କର୍ମଚାରୀମାନେ ଏଭଳି ଶପଥ ନେଇଥାନ୍ତି। ହେଲେ ଯେଉଁ କର୍ମଚାରୀ ଓ ଅଫିସର ଆଜି ଶପଥ ନେଉଛନ୍ତି, ଆସନ୍ତାକାଲି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ପୁଣି ବାନ୍ଧୁଛି କେମିତି? ଥରେ ଶପଥ ନେବା ପରେ ପୁଣି ଥରେ ସାଧାରଣ ଲୋକଙ୍କୁ ଓ ସେମାନଙ୍କ ଟିକସ ଅର୍ଥକୁ ଲୁଟିବା ପାଇଁ ଏମାନେ କେମିତି ସାହସ କରିପାରୁଛନ୍ତି? ସର୍ବୋପରି ଶପଥ େନବା ପରେ ଯଦି ଜଣେ କର୍ମଚାରୀ ଦୁର୍ନୀତି କରୁଛନ୍ତି, ତେବେ ଏ କ୍ଷେତ୍ରରେ ସରକାରୀ ନିୟମଟି କ’ଣ?

କିଛି ବରିଷ୍ଠ ପ୍ରଶାସକ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ସରକାରୀ ବ୍ୟବସ୍ଥାରେ ଏମିତି କିଛି କର୍ମଚାରୀ ଅଛନ୍ତି ଯେଉଁମାନଙ୍କର ମାନବିକତା, ମାନସିକତା ବିରଳ ଓ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଭଳି। ଗତ ଦୁଇବର୍ଷର କରୋନା କାଳରେ କର୍ମଚାରୀମାନେ ଯେଭଳି ନିଜ ପରିବାର ଓ ସବୁକିଛି ଛାଡି ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଲଢ଼େଇ କରିଛନ୍ତି, ତା’ର ପରିଣାମରେ ଓଡ଼ିଶା କୋଭିଡ୍ ମୁକାବିଲାରେ ସଫଳତା ହାସଲ କରିଛି। କେବଳ ଏହି କ୍ଷେତ୍ରରେ ନୁହେଁ, କିଏ ଦୁର୍ଗମ ପାହାଡ ଚଢି ସାଧାରଣ େଲାକଙ୍କ ପାଖରେ ପ୍ରଶାସନର ଉପସ୍ଥିତି ଜାହିର କରୁଛନ୍ତି ତ ଆଉ କିଏ ନିଷ୍ଠାର ସହିତ କାର୍ଯ୍ୟ କରି ସରକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ଅର୍ଥ, ଶିଳ୍ପ ଆଦି ସବୁ ବିଭାଗରେ ଏଭଳି ଅନେକ କର୍ମଚାରୀ ଅଛନ୍ତି। ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲା ଯାଇପାରିବ ନାହିଁ। ଅଳ୍ପ କିଛି କର୍ମଚାରୀଙ୍କ ଭୁଲ କାରଣରୁ ଅଧିକ କର୍ମଚାରୀଙ୍କ ଭଲ କାମଟି ଲୁଚିଯାଉଛି। କିନ୍ତୁ ଦ୍ବନ୍ଦ୍ବଟି ହେଉଛି, ଏମାନଙ୍କୁ ପ୍ରଶାସନ ବା ସରକାର କ୍ବଚିତ୍ ସ୍ବୀକୃତି ଦେଇଥାଏ, ସମାଜ ଏବଂ ଗଣମାଧ୍ୟମ ବି।

କିନ୍ତୁ ଆଉ କିଛି କର୍ମଚାରୀ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ସରକାରଙ୍କ ‘୫ଟି’ଛାଟ, ଭିଜିଲାନ୍ସ ଚଢ଼ାଉ ସବୁକିଛି ଅକାମୀ ହୋଇଯାଉଛି। ଗାଁ ଗଣ୍ଡା କଥା ଦୂରେ ଥାଉ, ଏମାନେ ସହରରେ ମଧ୍ୟ ସାଧାରଣ, ଗରିବ, ଖଟିଖିଆଙ୍କ ଅର୍ଥ ହରିଲୁଟ୍ କରିବା ଲାଗି କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଏପରିକି ରାଜ୍ୟ ଭିଜିଲାନ୍ସ ଥରୁଟିଏ ଚଢ଼ାଉ କରି ତାଙ୍କ ବିେରାଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପରେ ବି ସେମାନେ ଚେତିବା ବା ସତର୍କ ହେବା ବଦଳରେ ପୁଣି ଥରେ ଅନୁରୂପ କାର୍ଯ୍ୟରେ ଲାଗୁଛନ୍ତି। ରାଜ୍ୟ ସରକାର ଏ କ୍ଷେତ୍ରରେ କଠୋରତା ଅବଲମ୍ବନ କରି ୧୨୨ ଜଣଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନେଇସାରିଲେଣି। କିଛି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି।

କିଛି ପୂର୍ବତନ ପ୍ରଶାସକଙ୍କର ଯୁକ୍ତି ହେଉଛି ଯେ ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି, ଯାହା ଫଳରେ ଜଣେ କର୍ମଚାରୀ ବାରମ୍ବାର ଶପଥ ନେବା ପରେ ବି ଦୁର୍ନୀତି କରିବା ଲାଗି ଉତ୍ସାହିତ ହେଉଛି। ସରକାରଙ୍କ ଯେକୌଣସି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ସେମାନଙ୍କୁ ଆଦୌ ଡରାଇପାରୁନାହିଁ। କାହିଁକି ଥରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନେବା ପରେ ଦ୍ବିତୀୟ ଥର ସଂପୃକ୍ତ କର୍ମଚାରୀ ଏଭଳି ପଦକ୍ଷେପ ଲାଗି ସାହସ କରିପାରୁଛନ୍ତି? ବ୍ୟବସ୍ଥା ଭିତରେ ଥାଇ ଏଭଳି ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ ଦେଉଥିବା ଆଉ ଏକ ପକ୍ଷ ଏଥିପାଇଁ ଦାୟୀ ନୁହେଁ କି? ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା େକ୍ଷତ୍ରରେ ସରକାରୀ ଦୃଷ୍ଟିଭଙ୍ଗୀ କ’ଣ ଦୁର୍ବଳ ବୋଲି କୁହାଯିବନାହିଁ? ଏହବ୍ୟତୀତ ମାମଲାର ଫଏସଲା ବିଳମ୍ବ ହେବା ମଧ୍ୟ ଏକ କାରଣ ବୋଲି କୁହାଯାଇପାରେ। ସର୍ବୋପରି େକାର୍ଟରେ ପାଖାପାଖି ଅଧା ମାମଲାରେ ଅଭିଯୁକ୍ତ ଖସିଯିବା ଏମାନଙ୍କ ମନୋବଳ ବଢାଇବାରେ ପରୋକ୍ଷରେ ସାହାଯ୍ୟ କରୁଛି।

ଭିଜିଲାନ୍ସରେ କାର୍ଯ୍ୟ କରିଥିବା ଜଣେ ପୂର୍ବତନ ଅଧିକାରୀ କହିଛନ୍ତି, ୨୦୦୦ ମସିହାରୁ ସିଭିସିଙ୍କ ନିର୍ଦେଶକ୍ରମେ ଏଭଳି ଶପଥପାଠ କରାଯାଉଛି। କେବଳ ଓଡ଼ିଶା ନୁହେଁ, ପୂରା ଦେଶରେ ଏହା ଅନୁସୃତ ହେଉଛି। ସରକାରୀ କର୍ମଚାରୀ ଏହାକୁ ପାଳନ କରୁଛନ୍ତି; ବେସରକାରୀ କର୍ମଚାରୀ ମଧ୍ୟ ଏମିତି ଶପଥ ନେବା କଥା।

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ େନଇ ଜଣେ ଦୁର୍ନୀତି କଲେ ସ୍ବତନ୍ତ୍ର ଦଣ୍ଡବିଧାନ ବ୍ୟବସ୍ଥା ନାହିଁ। କାରଣ ଶପଥ ଗ୍ରହଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦୁର୍ନୀତି ବିେରାଧରେ କର୍ମଚାରୀମାନଙ୍କ ମଧ୍ୟରେ ଆତ୍ମ ସଚେତନତା ବଢାଇବା। ଥରେ ଜଣେ କର୍ମଚାରୀ ନିଜେ ବଡ଼ ପାଟିରେ ଶପଥ େନବା ପରେ ଯଦି ଦୁର୍ନୀତି କରିବ ବା ଏଥିଲାଗି ସୁଯୋଗ ସୃଷ୍ଟି କରିବ, ତେବେ ତାର ବିବେକକୁ ବାଧିବା କଥା।

ଉଲ୍ଲେଖଥାଉକି, ନିକଟରେ ରାଜ୍ୟ ସରକାରଙ୍କର ତିନି ତିନି ଜଣ ପ୍ରଥମ ଶ୍ରେଣୀ ବର୍ଗର ଅଫିସରଙ୍କ ଠାରୁ ଚଢ଼ାଉ ବେଳେ ଭିଜିଲାନ୍ସ ବିଭାଗ ନଗଦ ୨୨ଲକ୍ଷ ୬୧ହଜାର ୪୩୦ ଟଙ୍କା ଜବତ କରିବା ଘଟଣା ସଙ୍କେତ ଦେଉଛି, ଦୁର୍ନୀତି କେବଳ ତଳସ୍ତରରେ ନୁହେଁ, ଉପରସ୍ତରକୁ ବେଶ୍ ଛୁଇଁଛି। ସବୁଠାରୁ ବଡ଼ କଥା ହେଲା, ଏତେ ପରେ ବି ଅଧିକାରୀମାନେ ଏତେ ଟଙ୍କା ଧରି ଖୋଲାଖୋଲି ବୁଲୁଛନ୍ତି। ଏମାନେ ଆଦର୍ଶବାନ ନ ହେଲେ, ତଳକୁ ଆଉ କିଭଳି ବାର୍ତ୍ତା ଯାଆନ୍ତା?

ସମ୍ବନ୍ଧିତ ଖବର