ପୂର୍ବତନ ସରପଞ୍ଚଙ୍କ ପୁଅର ଶବ କେନାଲ୍‌ରୁ ଉଦ୍ଧାର

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ନୂଆସାହି ସ୍ଥିତ ଗୋପ ବ୍ରାଞ୍ଚ୍‌ କେନାଲରୁ ଆଜି ଅପରାହ୍‌ଣ ସାଢ଼େ ଗୋଟାଏରେ ପ୍ରତାପରୁଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପଣ୍ଡାଙ୍କ ବଡ଼ପୁଅ ମନୋଜ(୪୮)ଙ୍କ ଶବ ଉଦ୍ଧାର କରାଯାଇଛି। ମନୋଜଙ୍କ ଶବ କେନାଲ ବ୍ରିଜ ନିକଟରେ ଭାସୁଥିବାର ଦେଖି ଗ୍ରାମବାସୀମାନେ ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନାନୁଯାୟୀ, ମନୋଜ ଚା’ ପାନ ଦୋକନ କରି ଚଳନ୍ତି। ତେବେ ସୋମବାର ରାତିରୁ ସେ ନିଖୋଜ ଥିଲେ। ଆଜି ମଧ୍ୟାହ୍ନରେ ଶବ କେନାଲରେ ଭାସୁଥିବା ଦେଖି ଗ୍ରାମବାସୀମାନେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ମନୋଜ କଲଭର୍ଟ ଉପରେ ବସିଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ମନୋଜଙ୍କ ଏକମାତ୍ର ପୁଅ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମନୋଜଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ଦିଗରେ ତହସିଲଦାର ତଥା ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର