୭୦ କଂପାନି, ୩.୬ ଲକ୍ଷ କୋଟି ଋଣ:ମହଲତ ଶେଷ, ଟଣା ହେବେ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଭିତରେ ୭୦ଟି କଂପାନି ଋଣ ଅର୍ଥ ପରିଶୋଧ କରିପାରିନାହାନ୍ତି। ସେମାନେ ୩ ଲକ୍ଷ ୬୦ ହଜାର କୋଟି ଟଙ୍କାର ଋଣ ନେଇଥିଲେ। ଏବେ ତାଙ୍କୁ ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ର ସାମ୍ନା କରିବାକୁ ପଡ଼ିବ। ବ୍ୟାଙ୍କରପ୍‌ସି ନିୟମ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ସେମାନଙ୍କୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)କୁ ଟଣାଯିବ। ଟ୍ରିବ୍ୟୁନାଲ୍‌ରେ ବିଚାର ପ୍ରକ୍ରିୟା ଚାଲିବ ଓ ଯେଉଁ କଂପାନି ଦେବାଳିଆ ଘୋଷିତ ହେବ ତାହାକୁ ନିଲାମ କରାଯିବ।
ଚଳିତ ବର୍ଷ ଫେବ୍ରୁଆରିରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କରପ୍‌ସିକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି। ଥରେ କୌଣସି ସଂସ୍ଥା ପେମେଣ୍ଟ୍‌ ଦେବାରେ ବିଫଳ ହେଲେ ତାହାକୁ ଗମ୍ଭୀରତାର ସହିତ ଗ୍ରହଣ କରି ପରବର୍ତୀ ୧୮୦ ଦିନ ଭିତରେ ଉକ୍ତ ଋଣ କିଭଳି ଆଦାୟ ହେବ ତାହାର ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ସେହି ୧୮୦ ଦିନର ଅବଧି ଶେଷ ହୋଇଯାଇଛି। ଏବେ ଦେଶର ୭୦ଟି କଂପାନି ପ୍ରତି ବ୍ୟାଙ୍କରପ୍‌ସି ଭୟ ସୃଷ୍ଟି ହୋଇଛି।
ନିୟମ ଅନୁସାରେ ନିର୍ଧାରିତ ମହଲତ ଶେଷ ହୋଇଯିବା ପରେ ବ୍ୟାଙ୍କ ବାଧ୍ୟତାମୂଳକ ଭାବେ କଂପାନି ବିରୋଧରେ ବ୍ୟାଙ୍କରପ୍‌ସି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନିଜ ଋଣ ଅର୍ଥ ଫେରିପାଇବା ପାଇଁ ଏନ୍‌ସିଏଲ୍‌ଟିର ଦ୍ୱାରସ୍ଥ ହେବ। ଦେଶରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକର ୧୪ ଲକ୍ଷ ୭୦ ହଜାର କୋଟି ଟଙ୍କାର ଋଣ ଚାପ ମଧ୍ୟରେ ରହିଛି। ଅର୍ଥାତ କୌଣସି ନା କୌଣସି କାରଣ ଯୋଗୁ ସେହି ଋଣ ଅର୍ଥ ଆଦାୟ ହୋଇପାରୁନାହିଁ। ୪୦ଟି କଂପାନିକୁ ଅଦାଲତକୁ ଟାଣିବା ପାଇଁ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର