କରୋନା ପାଇଁ ୬୦% ପରିବାରର ଆୟ ପ୍ରଭାବିତ

ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଏଥିଯୋଗୁ ଦେଶର ୬୦ ପ୍ରତିଶତ ପରିବାରର ଆୟ ପ୍ରଭାବିତ ହୋଇଛି। ମାର୍ଚ୍ଚ-ଜୁନ୍‌ ମଧ୍ୟରେ ଲୋକମାନେ ଖର୍ଚ୍ଚ କରିବା ପାଇଁ ଯେଉଁ ପୁରୁଣା ଯୋଜନା କରିଥିଲେ ତାହାକୁ ବଦଳାଇ ଦେଇଛନ୍ତି ବୋଲି ନିଲ୍‌ସନ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଏହା କୁହାଯାଇଛି। ୧୨ଟି ସହରର ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରୁ ଏହି ନିଷ୍କର୍ଷ ବାହାରିଛି। ଲକ୍‌ଡାଉନ୍‌ର ଅବଧି ଯେତେ ବଢ଼ି ବଢ଼ି ଯାଉଛି ଲୋକଙ୍କ ଆର୍ଥିକ ଅସୁବିଧା ବି ସେହି ମାତ୍ରାରେ ବଢ଼ୁଛି। ସର୍ଭେରୁ ଏହି ତଥ୍ୟ ପଦାକୁ ଆସିଛି ଯେ, ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଲୋକମାନେ ବଡ଼ ଧରଣର ଖର୍ଚ୍ଚ ଯୋଜନା ରଖିଥିଲେ।

ସର୍ଭେରେ ପ୍ରତି ୧୦ ଜଣରେ ୮ ଜଣ ଏହି ଉତ୍ତର ଦେଇଥିଲେ। ଅର୍ଥାତ୍ ସେମାନେ ବିମାନ ଯାତ୍ରା କରିବା ସମେତ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ଆଦି କ୍ରୟ କରିବା ନେଇ ଯୋଜନା ରଖିଥିଲେ। ସର୍ଭେରେ ଭାଗ ନେଇଥିବା ୨୮ ପ୍ରତିଶତ ଲୋକ କହିଛନ୍ତି, ଲକ୍‌ଡାଉନ୍‌ ଶେଷ ହେବା ପରେ ‌ହିଁ ସେମାନେ ପୂର୍ବବତ୍ ଖର୍ଚ୍ଚ କରିବେ। ତେବେ କରୋନା ଯୋଗୁଁ ଲୋକଙ୍କ ଆର୍ଥିକ ବ୍ୟବହାରରେ ପରିବର୍ତ୍ତନ ଆସିଛି। କରୋନା ପୂର୍ବରୁ ୨୦ ପ୍ରତିଶତ ଲୋକ ଆୟରୁ ନିବେଶ କରୁଥିଲେ। କିନ୍ତୁ କରୋନା ଯୋଗୁଁ ୧୬ ପ୍ରତିଶତ ଲୋକ ନିବେଶ କରୁଛନ୍ତି। କିନ୍ତୁ କରୋନା ପୂର୍ବରୁ ଲୋକମାନେ ସେମାନଙ୍କ ଆୟରୁ ୨୫ ପ୍ରତିଶତ ଅର୍ଥ ବ୍ୟାଙ୍କରେ ଜମା ରଖୁଥିବାବେଳେ ଏବେ ତାହା ୨୭ ପ୍ରତିଶତକୁ ବଢ଼ିଯାଇଛି। ସର୍ଭେରେ ଏହା କୁହାଯାଇଛି ଦେଶରେ ଏପ୍ରିଲ ମାସରେ ଏଫଏମସିଜି ସାମଗ୍ରୀର ବିକ୍ରିରେ ୩୪ ପ୍ରତିଶତ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର