ମାର୍ଚ ପର୍ଯ୍ୟନ୍ତ ବଢ଼ିଲା ଆଧାର ସମୟସୀମା

ନୂଆଦିଲ୍ଲୀ: ସରକାରୀ ସ୍କିମ୍‌ଗୁଡ଼ିକ ଲାଭ ପାଇବା ପାଇଁ ଆଧାର ଆବଶ୍ୟକତାର ସମୟ ସୀମାକୁ ୨୦୧୮ ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଆଜି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହି ସୂଚନା ପ୍ରଦାନ କରିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ବେଳେ ସରକାର ଜଣାଇଛନ୍ତି ଯେ ସରକାରୀ ସ୍କିମ୍‌ ପାଇଁ ଆଧାର ଆବଶ୍ୟକତାର ସମୟ ସୀମା ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଥିଲା। ତାହାକୁ ଆସନ୍ତା ବର୍ଷ ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ବୋଲି ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ କହିଛନ୍ତି।

ବିଭିନ୍ନ ସ୍କିମ୍‌ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଓ୍ଵାନ କହିଛନ୍ତି ଯେ ବ୍ୟାଙ୍କ ଖାତା ଏବଂ ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗ କରାଯିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ସେ ବିଷୟରେ ମଧ୍ୟ କୋର୍ଟରେ ଆପତ୍ତି କରାଯାଇଥିଲା। ମୂଳ ଆଧାର ମାମଲାର ଶୁଣାଣି ଖୁବ୍‌ଶୀଘ୍ର ହେବ ବୋଲି ସେ ସୂଚନା ଦେଇଛନ୍ତି। ଯେଉଁମାନେ ବ୍ୟାଙ୍କ ଖାତା କିମ୍ବା ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗ କରିବେ ନାହିଁ, ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ବିଷୟରେ ସରକାର କିଛି ସ୍ପଷ୍ଟ କରୁନାହାନ୍ତି ବୋଲି ସେ କହିଛନ୍ତି।

ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ମୋବାଇଲ୍‌ ନମ୍ବର ଯାଞ୍ଚର ସରଳୀକରଣ

ନୂଆଦିଲ୍ଲୀ: ପୁରୁଣା ମୋବାଇଲ୍‌ ନମ୍ବରଗୁଡ଼ିକ ଆଧାର ଜରିଆରେ ପୁନଃ ଯାଞ୍ଚ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଏହି ପ୍ରକ୍ରିୟାରେ ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗମାନେ ଅସୁବିଧାର ସାମ୍ନା କରୁଥିବା ଖବର ସରକାରଙ୍କ ପାଖରେ ପହଞ୍ଚିବା ପରେ ଏହି ବ୍ୟବସ୍ଥାର ସରଳୀକରଣ କରାଯାଇଛି। ଯେଉଁମାନେ ନିଜେ ଆସି ଆଧାର ଯାଞ୍ଚ କରାଇପାରିବେ ନାହିଁ ସେମାନଙ୍କ ଘରେ ପହଞ୍ଚି ସୁବିଧା ଯୋଗାଇ ଦେବାକୁ ସରକାର ଦୂରସଂଚାର କଂପାନିଗୁଡ଼ିକୁ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବିଦ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ଶର୍ଯ୍ୟାଶାୟୀ ରୋଗୀମାନେ ଲାଭବାନ ହେବେ। ମୋବାଇଲ୍‌ କଂପାନିଗୁଡ଼ିକୁ ସରକାର କହିଛନ୍ତି ଯେ ଯେଉଁମାନେ ସେମାନଙ୍କ ଷ୍ଟୋର୍‌ କିମ୍ବା ଆଉଟ୍‌ଲେଟ୍‌ରେ ପହଞ୍ଚିପାରିବେ ନାହିଁ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଅନଲାଇନ୍‌ରେ କିମ୍ବା ଅନ୍ୟ ବ୍ୟବସ୍ଥା କର। କଂପାନିର କର୍ମଚାରୀମାନେ ସେଭଳି ଲୋକମାନଙ୍କ ଘରେ ପହଞ୍ଚି ଟିପ ଚିହ୍ନ ସଂଗ୍ରହ କରିବେ କିମ୍ବା ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ (ଓଟିପି) ଜରିଆରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବେ। ଅଧିକ ବୟସ ହୋଇଯାଇଥିବା ଲୋକମାନଙ୍କ ଟିପ ଚିହ୍ନ ଠିକ୍‌ ଭାବେ ଆସେ ନାହିଁ। ସେଭଳି ଲୋକମାନଙ୍କ ନେତ୍ରପିତୁଳା ସ୍କାନ୍‌ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ କୋଟି ମୋବାଇଲ୍‌ ଗ୍ରାହକ ଆଧାର ଡାଟାବେସ୍‌ରେ ପଞ୍ଜୀକୃତ ହୋଇସାରିଲେଣି। ସେମାନେ ଓଟିପି ଜରିଆରେ ନିଜ ମୋବାଇଲ୍‌ ନମ୍ବରର ପୁନଃ ଯାଞ୍ଚ କରିପାରିବେ। ଭାରତରେ ୧୦୦ କୋଟିରୁ ଅଧିକ ମୋବାଇଲ୍‌ ଗ୍ରାହକ ରହିଛନ୍ତି।

ସମ୍ବନ୍ଧିତ ଖବର