ଭୁବନେଶ୍ୱର: ଏନ୍. କେ. ସିଂହଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର ପଞ୍ଚଦର୍ଶ ଅର୍ଥ ଆୟୋଗ ଗଠନ କରିବା ପରେ ରାଜ୍ୟ ସରକାରଙ୍କୁ ଏ ନେଇ ଚିନ୍ତା ଘାରିଲାଣି। ରାଜ୍ୟ ସରକାରଙ୍କଠାରୁ ଆୟୋଗ ବିଭିନ୍ନ ରିପୋର୍ଟ ମାଗିବାକୁ ଥିବାରୁ ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଆସନ୍ତା ୨୦୨୦-୨୦୨୫ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ ରାଶିର ଆବଣ୍ଟନ ନେଇ ଆୟୋଗ ତାର ସୁପାରିସ ୨୦୧୯ ଅକ୍ଟୋବର ୩୦ରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ। ସୁପାରିସ ପ୍ରସ୍ତୁତି ଲାଗି ଆୟୋଗ ଏହାର କାର୍ଯ୍ୟ ଆରମ୍ଭ କରିଦେଇଥିବା ବିଷୟ ରାଜ୍ୟ ସରକାରଙ୍କୁ ଜଣାଇ ଦେଇଛି। ତେଣୁ ଆୟୋଗର ବିଭିନ୍ନ ପ୍ରଶ୍ନର ସାମ୍ନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନ କାନ୍ତ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟକୁ ଶୀଘ୍ର ପଞ୍ଚଦଶ ଅର୍ଥ ଆୟୋଗ ଆସିବ। ବର୍ତମାନ ରାଜ୍ୟର ଆର୍ଥିକ ସ୍ଥିତି କ’ଣ ରହିଛି ତାହା ପରଖିବ। ବିଶେଷକରି ରାଜ୍ୟର ନିଅଣ୍ଟ, ଋଣ, ନଗଦ ଅର୍ଥ ସ୍ଥିତି ଓ ବିତ୍ତୀୟ ଶୃଙ୍ଖଳା ଆଦିକୁ ଦେଖିବ। ଅର୍ଥ ଆୟୋଗ ୨୦୦୦-୦୧ରୁ ଆରମ୍ଭ କରି ୨୦୨୦-୨୫ ବର୍ଷ ପର୍ଯ୍ୟନ୍ତ ଏସବୁ ବିଷୟକୁ ବିଚାରକୁ ନେବ। ଏହା ଏକ ବିରାଟ କାର୍ଯ୍ୟ ବୋଲି ଅଧିକାରୀମାନେ ସ୍ୱୀକାର କରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗ ଯେଉଁ ଅବଧି ପାଇଁ ତାଙ୍କ ସୁପାରିସ ପ୍ରଦାନ କରିବେ ସେହି ସମୟରେ ରାଜ୍ୟର ଉଭୟ ଟିକସ ଓ ଅଣ ଟିକସ ରାଜସ୍ୱ କେତେ ରହିବ ଏବଂ ବ୍ୟୟ କେତେ ହେବ ତାହାର ଏକ ତ୍ୱରିତ ଆକଳନ ରାଜ୍ୟ ସରକାରଙ୍କୁ ପ୍ରସ୍ତୁତ କରିବାକୁ ହେବ। ଏତଦ୍ବ୍ୟତୀତ ବାର୍ଷିକ ରାଜସ୍ୱ ଆଦାୟ ଏବଂ ବ୍ୟୟ ଅଭିବୃଦ୍ଧି କେତେ ରହିବ ତାହାର ହିସାବ ମଧ୍ୟ ପ୍ରସ୍ତୁତ କରିବାକୁ ହେବ।
ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ। ବନ୍ୟା, ବାତ୍ୟା ଏବଂ ମରୁଡ଼ି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟକୁ ଅନେକ ସମୟରେ ବହୁ ପରିମାଣର ସମ୍ବଳ ହରାଇବାକୁ ପଡ଼ୁଛି। ଏତଦ୍ବ୍ୟତୀତ ରାଜ୍ୟରେ ବହୁଲୋକ ଅଂଶୁଘାତ, ଘଡ଼ଘଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଉଛନ୍ତି। କିନ୍ତୁ ଏଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚନା କରାଯାଉ ନଥିବାରୁ କେନ୍ଦ୍ର ସରକାର ଏସବୁ କ୍ଷତି ବାବଦରେ ଟଙ୍କାଟେ ସାହାଯ୍ୟ କରୁନାହାନ୍ତି। ଏହି ଦୃଷ୍ଟିରୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟ ସରକାର କେତେ ସମ୍ବଳ ହରାଉଛନ୍ତି ତାହାର ଏକ ବିସ୍ତତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରସ୍ତୁତ କରିବାକୁ ହେବ। ବିପର୍ଯ୍ୟୟ ପରିଚାଳନା ପାଇଁ ସରକାରଙ୍କ ପାଣ୍ଠି ଯୋଗାଣର ବର୍ତମାନ ବ୍ୟବସ୍ଥା କ’ଣ ତାହାର ସମୀକ୍ଷା ପଞ୍ଚଦଶ ଅର୍ଥ ଆୟୋଗ କରିବ। ଏଥିପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନ୍ଡିଆର୍ଏଫ୍) ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍ଡିଆର୍ଏଫ୍)ରୁ ଅର୍ଥ ଯୋଗାଇ ଦିଆଯାଉଛି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅଧୀନରେ ଏହା ସମ୍ପାଦନ କରାଯାଉଛି। ଅର୍ଥ ଆୟୋଗ ଏହି ଅର୍ଥ ବଣ୍ଟନକୁ ବିଚାରକୁ ନେଇ ୨୦୨୦-୨୫ ପାଇଁ ଉପଯୁକ୍ତ ସୁପାରିସ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।
ଏତଦ୍ବ୍ୟତୀତ ରାଜ୍ୟ ସରକାରଙ୍କୁ ସେମାନଙ୍କ ପ୍ରଦର୍ଶନ ଅନୁଯାୟୀ ପ୍ରୋତ୍ସାହନ ରାଶି ସୁପାରିସ କରିବା ଲାଗି ଅର୍ଥ ଆୟୋଗକୁ କୁହାଯାଇଛି। ତେଣୁ ରାଜ୍ୟ ସରକାରଙ୍କୁ ମଧ୍ୟ ସେମାନଙ୍କ ପ୍ରଦର୍ଶନର ତାଲିକା ପ୍ରସ୍ତୁତ କରିବାକୁ ହେବ। ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏବଂ ଅନ୍ୟପକ୍ଷରେ ରାଜ୍ୟ ରାଜ୍ୟ ମଧ୍ୟରେ ଟିକସ ରାଶିର ଆବଣ୍ଟନ ନୀତି କ’ଣ ରହିବ ତାହା ଉପରେ ରାଜ୍ୟ ସରକାର ଆୟୋଗ ନିକଟରେ ମତ ରଖିବେ। ସେହିଭଳି ରାଜ୍ୟଗୁଡ଼ିକୁ ଅନୁଦାନ ପ୍ରଦାନରେ କି ପ୍ରକାର ନୀତି ଅବଲମ୍ବନ କରାଯିବା ଉଚିତ ସେ ନେଇ ମଧ୍ୟ ରାଜ୍ୟ ସରକାର ମତ ରଖିବେ। ଏତଦ୍ବ୍ୟତୀତ ରାଜ୍ୟ ସରକାର ମଧ୍ୟ ପଞ୍ଚାୟତିରାଜ ସଂସ୍ଥା ଓ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକୁ ପ୍ରଦାନ କରିବା ଲାଗି ଅର୍ଥ ଆୟୋଗ ଗଠନ କରିବେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଅର୍ଥ ବିଭାଗରେ ଏକ ଅର୍ଥ ଆୟୋଗ ସେଲ୍ ସ୍ଥାପନ ହେବ। ଏହି ସେଲ୍ ଅର୍ଥ ଆୟୋଗ ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରିବ ବୋଲି ଅଧିକାରୀ ଜଣକ କହିଛନ୍ତି।