ଭିମ୍‌ ଆପ୍‌ ବ୍ୟବହାରକାରୀଙ୍କୁ ମାସକୁ ୭୫୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବ

ନୂଆଦିଲ୍ଲୀ: ଡିଜିଟାଲ ଆର୍ଥିକ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଭିମ୍‌ (ଭାରତ ଇଣ୍ଟରଫେସ୍‌ ଫର୍‌ ମନି) ଆପ୍‌ ବ୍ୟବହାରକାରୀଙ୍କୁ ମାସିକ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ସୁବିଧା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛି। ଉଭୟ ଗ୍ରାହକ ଏବଂ ବ୍ୟବସାୟୀ ଏହି କ୍ୟାସ୍‌ବ୍ୟାକ୍‌ ସୁବିଧା ପାଇପାରିବେ। ଉକ୍ତ ଆପ୍‌କୁ ଡାଉନଲୋଡ୍‌ କରିବାଠାରୁ ଆରମ୍ଭ କରି କାରବାର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଗ୍ରାହକମାନେ କ୍ୟାସବ୍ୟାକ୍‌ ପାଇବେ। ପ୍ରତିମାସରେ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ପାଇବାକୁ ଗ୍ରାହକମାନେ ଯୋଗ୍ୟ ହୋଇପାରିବେ। ଭିମ୍‌ ଆପ୍‌କୁ ଡାଉନ୍‌ଲୋଡ୍‌ କରି ସଫଳତାର ସହିତ ପ୍ରଥମ କାରବାର କରିଲେ ୫୧ ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ଏତଦ୍‌ବ୍ୟତୀତ ଅତିକମ୍‌ରେ ୧୦୦ ଟଙ୍କାର ପ୍ରତି ନୂଆ ନୂଆ ଆର୍ଥିକ କାରବାର ପାଇଁ ୨୫ ଟଙ୍କା ଲେଖାଏଁ କ୍ୟାସବ୍ୟାକ୍‌ ମିଳିବ। ଏ ବାବଦରେ ମାସକୁ ଜଣେ ସର୍ବାଧିକ ୫୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ପାଇପାରିବ। ଏତଦ୍‌ବ୍ୟତୀତ ୨୫ ଥରରୁ ଅଧିକ ଏବଂ ୫୦ ଥରରୁ କମ୍‌ କାରବାର ପାଇଁ ୧୦୦ ଟଙ୍କାର ପ୍ରୋତ୍ସାହନ ମିଳିବ। ସେହିଭଳି ୫୦ରୁ ଅଧିକ ଏବଂ ୧୦୦ରୁ କମ୍‌ ଥରର କାରବାର ପାଇଁ ୨୦୦ ଟଙ୍କା ଏବଂ ୧୦୦ ଥରରୁ ଅଧିକ କାରବାର ପାଇଁ ୨୫୦ ଟଙ୍କାର ପ୍ରୋତ୍ସାହନ ମିଳିବ। ବ୍ୟବସାୟୀମାନେ ମଧ୍ୟ ଏହି ଆପ୍‌ ବ୍ୟବହାରକାରୀ କ୍ୟାସ୍‌ବ୍ୟାକ୍‌ ପାଇପାରିବେ। ସେମାନେ ପ୍ରତି କାରବାର ପିଛା କାରବାର ମୂଲ୍ୟର ୧୦ ପ୍ରତିଶତ (ସର୍ବାଧିକ ୫୦ ଟଙ୍କା) କ୍ୟାସ୍‌ବ୍ୟାକ୍‌ ପାଇପାରିବେ। କିନ୍ତୁ ଏଥିପାଇଁ ସର୍ବନିମ୍ନ କ୍ରେଡିଟ୍‌ ଟ୍ରାଞ୍ଜାକ୍‌ସନ ୧୦ ଥରରୁ ଅଧିକ ଏବଂ ସର୍ବନିମ୍ନ କାରବାର ମୂଲ୍ୟ ୨୫ ଟଙ୍କାରୁ ଅଧିକ ହୋଇଥିବା ଆବଶ୍ୟକ।

ସମ୍ବନ୍ଧିତ ଖବର