‘ବ୍ଲୁ ଷ୍ଟାର୍‌’ ଆଣିବ ଏୟାର ପ୍ୟୁରିଫାୟର୍‌ ଥିବା ଏସି

ଭୁବନେଶ୍ୱର: ଦେଶର ଅଗ୍ରଣୀ ଏସି ନିର୍ମାତା ବ୍ଲୁ ଷ୍ଟାର୍‌ ବଜାରକୁ ଏଭଳି ଏୟାର କଣ୍ଡିସନର ଆଣିବା ଉପରେ କାମ କରୁଛି ଯାହା ଶୀତଳତା ପ୍ରଦାନ କରିବା ସହିତ ବାୟୁକୁ ମଧ୍ୟ ବିଶୋଧନ କରିପାରିବ। ଦେଶର ବିଭିନ୍ନ ସହରରେ ବଢ଼ୁଥିବା ବାୟୁ ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି କଂପାନି ଏଭଳି ଏସି ଆଣିବା ଉପରେ ବିଚାର କରୁଛି। ଏବେ ଲୋକମାନେ ଘରର ଭିତରେ ବିଶୁଦ୍ଧ ବାୟୁ ପାଇବା ପାଇଁ ଏୟାର ପ୍ୟୁରିଫାୟର୍‌ ବ୍ୟବହାର କରୁଛନ୍ତି। ବ୍ଲୁ ଷ୍ଟାର୍‌ ଯେଉଁ ଏସି ଆଣିବ ତାହା ଘରେ ଲଗାଇଲେ ଆଉ ଏୟାର ପ୍ୟୁରିଫାୟରର ଆବଶ୍ୟକତା ପଡ଼ିବ ନାହିଁ ବୋଲି କଂପାନିର ସଭାପତି-ବିକ୍ରି ଓ ମାର୍କେଟିଂ ସି ପି ମୁକୁନ୍ଦନ ମେନନ କହିଛନ୍ତି। ୪୦ଟି ନୂଆ ମଡେଲ୍‌ର ଏସିକୁ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି। ତାଙ୍କ ସହିତ ଉପସ୍ଥିତ ଥିଲେ କଂପାନିର ଆଞ୍ଚଳିକ ପ୍ରବନ୍ଧକ ଦୀପକ ଗୁର୍‌ନାନି। ନୂତନ ଏସିଗୁଡ଼ିକୁ ବାସଗୃହ, ବ୍ୟାବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ଆଦିଗୁଡ଼ିକରେ ବ୍ୟବହାର କରାଯାଇପାରିବ। ନୂତନ ଏସିଗୁଡ଼ିକ ୩-ଷ୍ଟାର୍‌ ଓ ୫-ଷ୍ଟାର୍‌ ବିଶିଷ୍ଟ। କଂପାନି ପକ୍ଷରୁ ମୋଟ ଉପରେ ଉନ୍ମୋଚନ କରାଯାଇଥିବା ୧୦୦ଟି ରୁମ୍‌ ଏସି ମଧ୍ୟରୁ ୪୦ଟି ଅତ୍ୟାଧୁନିକ ଇନଭର୍ଟର ଏସି ରହିଛି। କଂପାନିର ଏସିଗୁଡ଼ିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। କମ୍ପାନି କୁଲର୍‌ ମଧ୍ୟ ବିକ୍ରି କରୁଛି ଯାହାର ମୂଲ୍ୟ ୭ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଓଡ଼ିଶାର ଏସି ବଜାର ଉପରେ ସୂଚନା ଦେଇ ଶ୍ରୀ ମେନନ କହିଛନ୍ତି ଯେ ଏଠାରେ ବର୍ଷକୁ ପାଖାପାଖି ଏକ ଲକ୍ଷ ଏସି ବିକ୍ରି ହେଉଛି।

ସମ୍ବନ୍ଧିତ ଖବର