ଜବତ ହେବ ପଳାତକ ଆର୍ଥିକ ଅପରାଧୀଙ୍କ ସଂପତ୍ତି, ସରକାର ଆଣିଲେ ନୂଆ ଅଧ୍ୟାଦେଶ

ନୂଆଦିଲ୍ଲୀ : ଦେଶରେ ଆର୍ଥିକ ଅପରାଧ ବଢିଚାଲିଥିବାରୁ ସରକାରଙ୍କ ଉପରେ ଚାପ ବଢିଚାଲିଛି । ପ୍ରଥମେ ଲଲିତ ମୋଦି ଓ ବିଜୟ ମାଲ୍ୟା, ତାପରେ ନିରବ ମୋଦି ଓ ମେହୁଲ ଚୋକସୀ ଦେଶରେ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରି ଭାରତ ଛାଡି ଚାଲିଗଲେ । ଏହାପରେ ସରକାରଙ୍କ ଚେତା ପଶିଛି । ଆଗକୁ ଏପରି ଘଟଣାକୁ ରୋକିବା ପାଇଁ ସରକାର ଆଜି ପଳାତକ ଆର୍ଥିକ ଅପରାଧୀ ଅଧ୍ୟାଦେଶ ୨୦୧୮ ଜାରି କରିଛନ୍ତି । ଏହି ଅଧ୍ୟାଦେଶ ମାଧ୍ୟମରେ ଦେଶରୁ ପଳାୟନ କରିଥିବା ଆର୍ଥିକ ଅପରାଧୀଙ୍କ ସଂପତ୍ତିକୁ ଜବତ କରି ଋଣଦାତା (ବ୍ୟାଙ୍କ) ମାନଙ୍କୁ ପରିଶୋଧ କରାଯାଇପାରିବ । ଏହି ଅଧ୍ୟାଦେଶ ଅନୁସାରେ ଯେଉଁ ମାନେ ବ୍ୟାଙ୍କରୁ ୧୦୦ କୋଟିରୁ ଅଧିକ ପରିମାଣର ଋଣ ଆଣି ପରିଶୋଧ କରୁନଥିବେ, ଏପରି ସିଡ୍ୟୁଲଡ ଅପରାଧରେ ଯେଉଁମାନଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି ହୋଇଥିବ ଓ ଯେଉଁମାନେ ଭାରତ ଫେରିବାକୁ ମନା କରୁଥିବେ, ସରକାର ସେମାନଙ୍କର ସଂପତ୍ତି ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ଜବତ କରିପାରିବେ । ଏହି ସଂପତ୍ତିକୁ ବିକ୍ରି କରି ଋଣ ସୁଝିବେ । ଆହୁରି ମଧ୍ୟ ଜଣକୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିବାକୁ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ନିଯୁକ୍ତ ଜଣେ ନିର୍ଦ୍ଦେଶକ ବା ଉପନିର୍ଦ୍ଦେଶକ ଏକ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିପାରିବେ । ଉକ୍ତ ବ୍ୟକ୍ତିକୁ କାହିଁକି ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯିବ ତାହାର କାରଣ ମଧ୍ୟ ଦର୍ଶାଇବାକୁ ପଡିବ । ଏହା ସହିତ ଆବେଦନରେ ଉକ୍ତ ବ୍ୟକ୍ତି କେଉଁଠାରେ ଥିବା ସଂଦେହ କରାଯାଉଛି, ଭାରତରେ ତାହାର କେଉଁ କେଉଁ ସମ୍ପତ୍ତି ଅଛି ତାହାର ବିବରଣୀ ଦେବାକୁ ପଡିବ ।

ସମ୍ବନ୍ଧିତ ଖବର