କୋଇଲା ରୟାଲ୍‌ଟି ସଂଶୋଧନ କରୁନି କେନ୍ଦ୍ର

ରାଜ୍ୟ ହରାଇଲାଣି ବିପୁଳ ରାଜସ୍ୱ, ୨୦୧୫ରୁ ପଡ଼ି ରହିଛି ପ୍ରସ୍ତାବ

ଭୁବନେଶ୍ୱର: କୋଇଲା ରୟାଲ୍‌ଟି ବଢ଼ାଇବା ପାଇଁ ଓଡ଼ିଶା ସରକାର ବାରମ୍ବାର ଦାବି କରି ଆସୁଛନ୍ତି। ୨୦୧୫ରୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ନିକଟରେ ଏହି ପ୍ରସ୍ତାବ ପଡ଼ିରହିଛି। ରୟାଲ୍‌ଟି ସଂଶୋଧନ ହେଉ ନଥିବା ଯୋଗୁଁ ଗତ ୩ ବର୍ଷରେ ରାଜ୍ୟ ବିପୁଳ ପରିମାଣର କ୍ଷତି ସହିଛି ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି। କୋଇଲା ରୟାଲ୍‌ଟି ଶେଷ ଥର ଲାଗି କେନ୍ଦ୍ର ସରକାର ୨୦୧୨ ମଇ ୧୦ ତାରିଖରେ ସଂଶୋଧନ କରିଥିଲେ। ପ୍ରତି ୩ ବର୍ଷରେ ଏହି ରୟାଲ୍‌ଟି ସଂଶୋଧନ ହେବା କଥା। ୨୦୧୫ ମଇ ମାସରୁ କୋଇଲା ରୟାଲ୍‌ଟି ସଂଶୋଧନ ଅପେକ୍ଷାରେ ଥିବାରୁ କେନ୍ଦ୍ର ସରକାର ତୁରନ୍ତ ଏହାର ସଂଶୋଧନ କରିବା ଆବଶ୍ୟକ ବୋଲି ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓଡ଼ିଶା ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କୋଇଲା ରୟାଲ୍‌ଟି ବୃଦ୍ଧି ପାଇଁ କହିଥିଲେ। ଏଥିସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରୟାଲ୍‌ଟି ପ୍ରସଙ୍ଗକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିବା ଲାଗି ଶ୍ରୀ କୁମାରଙ୍କୁ ଅନୁରୋଧ କରିଥିଲେ। ୨୦୧୨ ମସିହାର ସଂଶୋଧନ ଅନୁଯାୟୀ ରାଜ୍ୟ ସରକାର ଏବେ ୧୪ ପ୍ରତିଶତ ରୟାଲଟି ପାଉଛନ୍ତି। ଓଡ଼ିଶାରେ ଅଧିକ ପରିମାଣର କୋଇଲା ମହଜୁଦ ରହିଛି। କୋଇଲା ଖଣି ଖନନ, ଲୋକଙ୍କୁ ବିସ୍ଥାପନ, ପରିବେଶ ପ୍ରଦୂଷଣ ଏବଂ ଜଙ୍ଗଲ ହ୍ରାସ ପାଇ ରାଜ୍ୟ ସରକାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ଲାଗି ବର୍ତ୍ତମାନ ମିଳୁଥିବା ୧୪ ପ୍ରତିଶତ ଅର୍ଥ ପର୍ଯ୍ୟାପ୍ତ ହେଉନାହିଁ।

ପୂର୍ବରୁ ଏସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବା ସହିତ କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଭେଟି ପ୍ରାଥମିକତା ଭିତ୍ତିରେ କୋଇଲା ରୟାଲଟି ସଂଶୋଧନ ପାଇଁ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାତିଲ ହୋଇ ଯାଇଥିବା କୋଇଲା ଖଣି ଗୁଡ଼ିକରୁ କେନ୍ଦ୍ର ପ୍ରତି ଟନ୍‌ କୋଇଲାରୁ ଅତିରିକ୍ତ ଲେଭି ଆକାରରେ ୨୯୫ ଟଙ୍କା କରି ଆଦାୟ କରୁଥିବା ବେଳେ ଏହି ଟଙ୍କା ରାଜ୍ୟ ସରକାରଙ୍କ ନିକଟକୁ ଆସିବା କଥା। ସେହିଭଳି ୨୦୧୬-୧୭ ବଜେଟ୍‌ରେ କେନ୍ଦ୍ର ସରକାର ଗୋଟିଏ ଟନ୍‌ କୋଇଲା ଉପରେ ୪୦୦ ଟଙ୍କାର ‘କ୍ଲିନ୍‌ ଏନାଭର୍ଣ୍ଣମେଣ୍ଟ ସେସ୍‌’ ଲଗାଇଥିବା ବେଳେ ସେଥିରୁ ରାଜ୍ୟ ସରକାରଙ୍କୁ କିଛି ମିଳୁନାହିଁ। ନ୍ୟାସନାଲ କ୍ଲିନ୍‌ ଏନର୍ଜି ଫଣ୍ଡ୍‌ (ଏନ୍‌ସିସିଏଫ୍‌)ରୁ ୬୦ ପ୍ରତିଶତ ଅର୍ଥ ପାଇବା ପାଇଁ କୋଇଲା ଭିତ୍ତିକ ରାଜ୍ୟମାନେ ଦାବି କରିଆସୁଛନ୍ତି।

ସମ୍ବନ୍ଧିତ ଖବର