କେନ୍ଦ୍ର ଆଣୁଛି ଯୋଜନା ଗୋଟିଏ ଦେଶ, ‌ଗୋଟିଏ ବେତନ ଦିବସ

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ଟିକସ ଭଳି ସରକାର ଦେଶରେ ଗୋଟିଏ ବେତନ ଦିବସ କରିବା ପାଇଁ ଯୋଜନା କରୁଛନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ଚିନ୍ତା କରୁଛନ୍ତି।

ଦେଶର ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପ୍ରତିମାସରେ ଠିକ୍ ସମୟରେ ବେତନ ପାଇବା ଆବଶ୍ୟକ। ଏଥିପାଇଁ ସାରା ଦେଶରେ ଗୋଟିଏ ବେତନ ଦିବସ କରିବା ପାଇଁ ଯୋଜନା କରାଯାଉଛି ବୋଲି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି। ଏ ସଂକ୍ରାନ୍ତ ବିଲ୍‌କୁ ଶୀଘ୍ର ଗୃହୀତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରହୀ ଅଛନ୍ତି। ସେହିଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସର୍ବନିମ୍ନ ବେତନକୁ ସମାନ କରିବା ପାଇଁ ମଧ୍ୟ ସରକାର ଯୋଜନା ରଖିଛନ୍ତି। କର୍ମଚାରୀମାନଙ୍କୁ ଉନ୍ନତ ଜୀବିକା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଗଙ୍ଗୱାର କହିଛନ୍ତି। ସେଣ୍ଟ୍ରାଲ ଆସୋସିଏସନ ଅଫ୍ ପ୍ରାଇଭେଟ ସିକ୍ୟୁରିଟି ଇଣ୍ଡଷ୍ଟ୍ରି (ସିଏପିଏସଆଇ) ପକ୍ଷରୁ ଆୟୋଜିତ ସିକ୍ୟୁରିଟି ଲିଡରସିପ୍ ସମ୍ମିଟ ୨୦୧୯ରେ ଯୋଗଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ପେସାଗତ ନିରାପତ୍ତା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥିତି (ଓଏସଏଚ) କୋଡ୍‌ ଏବଂ ବେତନ କୋଡ୍‌ ଲାଗୁ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ସଂସଦରେ ବେତନ କୋଡ୍ ଗୃହୀତ ହୋଇ ସାରିଛି ଏବଂ ଏହାର କାର୍ଯ୍ୟକାରିତା ପାଇଁ ନିୟମ ପ୍ରସ୍ତୁତ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। ଚଳିତବର୍ଷ ଜୁଲାଇ ୨୩ରେ ଲୋକସଭାରେ ଓଏସଏଚ କୋଡ୍‌ ଆଗତ ହୋଇଥିଲା। ୧୩ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଇ ଏହି କୋଡ୍‌ ପ୍ରସ୍ତୁତ ହେବ। ଉକ୍ତ କୋଡ୍‌ରେ ଅନେକ ନୂଆ ବ୍ୟବସ୍ଥା ରହିଛି। ନିଯୁକ୍ତିଦାତାଙ୍କ ପକ୍ଷରୁ କର୍ମଚାରୀଙ୍କୁ ନିଯୁକ୍ତିପତ୍ର, ମାଗଣା ‌ଡାକ୍ତରୀ ପରୀକ୍ଷା ଆଦି ସୁବିଧା ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର