ଭାରତୀୟ ଛାତ୍ର ଦିନକୁ କେତେ ଥର ନିଜ ଫୋନ୍‌ ଚେକ୍‌ କରନ୍ତି? ଜାଣନ୍ତୁ କ’ଣ କହେ ଗବେଷଣା

ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଭାରତୀୟ କଲେଜ ଛାତ୍ରମାନେ ଦିନକୁ ସେମାନଙ୍କ ଫୋନ୍‌କୁ ଅତି କମ୍‌ରେ ୧୫୦ ଥର ଚେକ୍‌ କରିଥାନ୍ତି। ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭରସିଟି ଏବଂ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ରିସର୍ଚ ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏହି ଗବେଷଣାର ନାମ ଥିଲା ‘ସ୍ମାର୍ଟଫୋନ୍‌ ଡିପେନ୍‌ଡେନ୍ସି, ହେଣ୍ଡୋନିଜିମ୍‌ ଆଣ୍ଡ୍‌ ପର୍ଚେସ ବିହେଭିୟର୍‌: ଇମ୍ପ୍ଲିକେସନ୍‌ ଫର୍‌ ଡିଜିଟାଲ୍‌ ଇଣ୍ଡିଆ ଇନିସିଏଟିଭ୍‌ସ’। ଏହି ଗବେଷଣା ୨୦ଟି ଜାତୀୟ ବିଶ୍ୱବିଦ୍ୟାଳୟରେ ହୋଇଥିଲା। ପ୍ରତ୍ୟେକ ୟୁନିଭରସିଟିରୁ ୨୦୦ ଲେଖାଏ ଛାତ୍ର ଯୋଗଦାନ ଦେଇଥିଲେ।

ଗବେଷଣାରୁ ଜାଣିବାକୁ ମିଳିଛି ଯେ ଛାତ୍ରଛାତ୍ରୀମାନଙ୍କର ଏଭଳି ଭାବେ ଫୋନ୍‌ ଉପରେ ନିର୍ଭରଶୀଳତା ସେମାନଙ୍କର ଉଭୟ ପାଠ ପଢ଼ା ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ମାତ୍ର ୨୬% ଭାଗିଦାରୀ ସେଲ୍‌ଫୋନ୍‌କୁ କେବଳ କଲ୍‌ ପାଇଁ ବ୍ୟବହାର କରନ୍ତି ବୋଲି ଜାଣିବାକୁ ମିଳିଛି। ଅନ୍ୟ ସମସ୍ତେ କଲ୍‌ ବ୍ୟତୀତ ସେଲ୍‌ଫୋନ୍‌କୁ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌, ଚଳଚ୍ଚିତ୍ର ଦେଖିବା ଏବଂ ଅନ୍ୟାନ୍ୟ ମନୋରଞ୍ଜ ପାଇଁ ବ୍ୟବହାର କରିଥାନ୍ତି।

୨୦୧୭ ମସିହାରେ ସେଲ୍‌ଫୋନ୍‌କୁ ନେଇ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଥିଲା ଯେ ଏହାର ବହୁଳ ବ୍ୟବହାର ବିଶାଦ, ଅତ୍ୟଧିକ ଉତ୍ସାହିତ, ଏବଂ ଅନିଦ୍ରା ଆଦି ରୋଗର କାରଣ ହୋଇଥାଏ।

ସମ୍ବନ୍ଧିତ ଖବର