୨୮% ଜିଏସ୍‌ଟି ସ୍ଲାବ୍‌ ଆହୁରି ବଦଳିବ

ନୂଆଦିଲ୍ଲୀ: ୨୮ ପ୍ରତିଶତ ଜିଏସ୍‌ଟିର ସର୍ବୋଚ୍ଚ ଟିକସ ବର୍ଗ (୨୮ ପ୍ରତିଶତ)ରେ ଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରୁ ଆହୁରି କେତେକ ସାମଗ୍ରୀକୁ ତଳ ଟିକସ ବର୍ଗକୁ ଅଣାଯିବ। ଆଜି ଏଭଳି ସୂଚନା ଦେଇଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା। ପୂର୍ବରୁ ୨୮ ପ୍ରତିଶତ ଜିଏସ୍‌ଟି ବର୍ଗରେ ୨୨୮ଟି ସାମଗ୍ରୀ ରହିଥିଲା। କିନ୍ତୁ ଗତମାସ ୧୦ ତାରିଖରେ ଗୌହାଟିଠାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଏଥିରୁ ୧୭୮ଟି ସାମଗ୍ରୀକୁ ବାଦ୍‌ ଦିଆାଯାଇଥିଲା। ଫଳରେ ଏଥିରେ ଏବେ ୫୦ଟି ସାମଗ୍ରୀ ରହିଛି। ଜିଏସ୍‌ଟି ହାରରେ ଏହି ବଡ଼ଧରଣର ପରିବର୍ତନ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଗାମୀ ଦିନରେ ଆହୁରି ପରିବର୍ତନର ସୁଯୋଗ ରହିଥିବା ନେଇ ଆଭାସ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଜୁଲାଇରୁ ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ ହୋଇଛି। କେତେକ ସାମଗ୍ରୀକୁ ଜିଏସ୍‌ଟି ପରିସରରୁ ବାଦ୍‌ ଦିଆଯାଇଥିବାବେଳେ ଅନ୍ୟକେତେକ ସାମଗ୍ରୀ ଓ ସେବାକୁ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ବର୍ଗରେ ରଖାଯାଇଛି। ଏହାବାଦ୍‌ କେତେକ ସାମଗ୍ରୀ ଉପରୁ ସେସ୍‌ ମଧ୍ୟ ସରକାର ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର