ଲିବର୍ଟି ସୁଜ୍‌ର ସମ୍ପତ୍ତିକୁ ନେଇ ବାପପୁଅ ଝଗଡ଼ା

ମୁମ୍ବାଇ: ଲବର୍ଟି ସୁଜ୍‌ର ମାଲିକ ଗୁପ୍ତା ପରିବାରରେ ସମ୍ପତ୍ତିକୁ ନେଇ ବାପ ପୁଅ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଛି। ଲବର୍ଟି ସୁଜ୍‌ର ମାଲିକ ହେଉଛନ୍ତି ଆଦେଶ ଗୁପ୍ତା। ତାଙ୍କ ବିରୋଧରେ ପୁଅ ପ୍ରଣବ ଗୁପ୍ତା କୋର୍ଟରେ ମାମଲା ଦାୟର କରିଛନ୍ତି। ଲବର୍ଟି ସୁଜ୍‌ରେ ପ୍ରଣବଙ୍କର ୧.୫% ଅଂଶଧନ ରହିଛି। ପାରିପାରିକ ସମ୍ପତ୍ତିରେ ଅଧିକ ଭାଗ ଦାବି କରି ସେ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ସେଥିରେ ସେ ଅଭିଯୋଗ କରିଛନ୍ତି ବାପା ଆଦେଶ ଗୁପ୍ତା ଓ ଅନ୍ୟ ଅଂଶଧନକାରୀଙ୍କ ଦ୍ୱାରା ସେ ଠକାମିର ଶିକାର ହୋଇଛନ୍ତି।ପରିବାରରେ ସାଂଘାତିକ ଠକେଇ ଚାଲିଥିବା ଅଭିଯୋଗ କରି ସେ ସିବିଆଇ, ସେବି, ଏସ୍‌ଏଫ୍‌ଆଇଓ, ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ରେଜିଷ୍ଟ୍ରାର୍‌ ଅଫ୍‌ କଂପାନିଜ୍‌କୁ ଚିଠି ଲେଖିଛନ୍ତି।ପ୍ରବଣଙ୍କ ବୟସ ହେଉଛି ୩୦ ବର୍ଷ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ଅନେକ ଦାମୀ ସେୟାରକୁ ସେ ବିଦେଶରେ ଥିବା ବେଳେ ଚତୁରତାର ସହିତ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଲିବର୍ଟି ସୁଜ୍‌କୁ ତିନି ଜଣ ବ୍ୟକ୍ତି ମିଶି ପ୍ରତିଷ୍ଠା କରିଥିଲେ। ଏବେ ଏହି କଂପାନିର ୧୧ ଜଣ ମାଲିକ ରହିଛନ୍ତି। ସମସ୍ତେ ହେଉଛନ୍ତି ଏହି ତିନି ପ୍ରତିଷ୍ଠାତାଙ୍କ ପୁଅ।

ସମ୍ବନ୍ଧିତ ଖବର