ଧରାପଡ଼ିଲା ଜିଏସ୍‌ଟି କାରସାଦି:ଗ୍ରାହକଙ୍କୁ ଦେଉନଥିଲା ସୁବିଧା

୧୦୦ କୋଟି ଲାଭ କରିଛି: କାରସାଦି ଧରିଲା ଡିଜିଏପି

ନୂଆଦିଲ୍ଲୀ: ଏଫ୍‌ଏମ୍‌ସିଜି କମ୍ପାନି ନେସ୍‌ଲେର ଗ୍ରାହକ ଶୋଷଣ କାରନାମା ପଦାକୁ ଆସିଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ‌ଘଟୁଥିବା ହ୍ରାସର ଲାଭ ଏହି କମ୍ପାନି ଗ୍ରାହକମାନଙ୍କୁ ନିୟମ ଅନୁଯାୟୀ ପ୍ରଦାନ କରିନାହିଁ। ଏ ବାବଦରେ କମ୍ପାନି ପ୍ରାୟ ୧୦୦ କୋଟି ଟଙ୍କାର ମୁନାଫା କମାଇଛି। ମୁନାଫାଖୋର ବିରୋଧୀ ମହାନିର୍ଦ୍ଦେଶାଳୟ (ଡିଜିଏପି) ପକ୍ଷରୁ କରାଯାଇଥିବା ତଦନ୍ତରୁ କମ୍ପାନିର ଏହି କାରନାମା ଧରାପଡ଼ିଛି।
ଡିଜିଏପି ପକ୍ଷରୁ ନ୍ୟାସନାଲ ଆଣ୍ଟି ପ୍ରଫିଟିୟରିଂ ଅଥରିଟି ନିକଟରେ ଏହି ତଥ୍ୟ ଦାଖଲ କରାଯାଇଛି। ଡିଜିଏପି ନେସ୍‌ଲେର ଏକାଧିକ ଉତ୍ପାଦ ଉପରେ ତଦନ୍ତ କରିବା ପରେ ଜାଣିବାକୁ ପାଇଛି ଯେ, ଜିଏସ୍‌ଟି ଯେଉଁ ହାରରେ ହ୍ରାସ ପାଇଛି କମ୍ପାନି ସେହି ହାରରେ ତାହାର ‌େ‌କତେକ ଉତ୍ପାଦ ମୂଲ୍ୟ ହ୍ରାସ କରିନାହିଁ।
ତେବେ ଏ ନେଇ ନେସ୍‌ଲେ ଇଣ୍ଡିଆର ପ୍ରବକ୍ତା କହିଛନ୍ତି, କମ୍ପାନି ଯେତିକି ପରିମାଣର ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକଙ୍କୁ ପ୍ରଦାନ କରିପାରି ନାହିଁ ସେ ବାବଦ ଅର୍ଥକୁ ନିଜ ତରଫରୁ ଖାଉଟି କଲ୍ୟାଣ ପାଣ୍ଠିରେ ଜମା କରିଛି। ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ରେ ହ୍ରାସ କିମ୍ବା ଓଜନରେ ବୃଦ୍ଧି କରାଯାଇ ଗ୍ରାହକଙ୍କୁ ଯେଉଁ ଲାଭ ତୁରନ୍ତ ପ୍ରଦାନ କରାଯାଇ ପାରିନାହିଁ ସେ ବାବଦ ଅର୍ଥର ଲାଭ ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାହକଙ୍କୁ ଦେବା ଲାଗି ରଖାଯାଇଛି। ଏପରିକି ତାହାକୁ ବିକ୍ରି କିମ୍ବା ଲାଭରେ ହିସାବ କରାଯାଇନାହିଁ ବୋଲି ନେସ୍‌ଲେ ଇଣ୍ଡିଆର ଜଣେ ପ୍ରବକ୍ତା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଜିଏସ୍‌ଟି ହ୍ରାସ ଜନିତ ଲାଭ ଯେଉଁମାନେ ଗ୍ରାହକଙ୍କୁ ଦେବାରେ ସମର୍ଥ ହୋଇପାରି ନାହାନ୍ତି ସେ ବାବଦ ଅର୍ଥକୁ ଖାଉଟି କଲ୍ୟାଣ ପାଣ୍ଠିରେ ଜମା କରିବାର ବ୍ୟବସ୍ଥା ଜିଏସ୍‌ଟି ଆଇନରେ ରହିଛି। ନେସ୍‌ଲେ ପକ୍ଷରୁ ମାଗି ନାମରେ ନୁଡୁଲ, ନେସକେଫ୍‌ ନାମରେ କଫି ଏବଂ କିଟକାଟ୍‌, ମଞ୍ଚ୍‌, ମିଲ୍କିବାର ଆଦି ନାମରେ ଚକୋଲେଟ ବିକ୍ରି କରାଯାଉଛି।
ଗତବର୍ଷ ନଭେମ୍ବରରେ ଜିଏସ୍‌ଟି ପରିଷଦ ଏକାଧିକ ଉତ୍ପାଦ ଉପରେ ଟିକସ ହ୍ରାସ କରିଥିଲା। ତେବେ ଏହି ଟିକସ ହ୍ରାସର ଲାଭ ନେସ୍‌ଲେ ଗ୍ରାହକଙ୍କୁ ଦେଉ ନଥିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗର ତଦନ୍ତ ଡିଜିଏପି କରିଥି‌ଲା। ଏତଦବ୍ୟତୀତ ନେସଲେ ପକ୍ଷରୁ କୁହାଯାଇଛି ଯେ, ନେ‌ସଲେ ଏକ ଦାୟିତ୍ବସମ୍ପନ୍ନ କର୍ପୋରେଟ ନାଗରିକ। ନେସ୍‌ଲେ ସମେତ ଅନ୍ୟ କେତେକ କମ୍ପାନି ଆଣ୍ଟି ପ୍ରଫିଟିୟରିଂ ଆଇନରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରି ସ୍ପଷ୍ଟ ନିୟମ ପ୍ରଣୟନ କରିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ଭାରତରେ ବ୍ୟବସାୟିକ ବାତାବରଣକୁ ଆହୁରି ସହଜ କରିବ ବୋଲି ନେସଲେର ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର