ଋଣ ନଶୁଝିବା ମହଙ୍ଗା ପଡ଼ିଲା, ଦେଶ ଛାଡ଼ିପାରିବେନି ଗ୍ୟାମନ୍ ଇଣ୍ଡିଆ ମୁଖ୍ୟ

ମୁମ୍ବାଇ: ବ୍ୟାଙ୍କ ଋଣ ଫେରାଇବାରେ ବିଫଳ ‌ହୋଇଥିବା ଆଉ ଜଣେ ବ୍ୟବସାୟୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେ ହେଉଛନ୍ତି ଭିତ୍ତିଭୂମି ନିର୍ମାଣ କରୁଥିବା କଂପାନି ଗ୍ୟାମନ୍ ଇଣ୍ଡିଆର ମୁଖ୍ୟ ଅଭିଜିତ ରଞ୍ଜନ। ତାଙ୍କ ବିଦେଶ ଗସ୍ତ ଉପରେ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ରୋକ ଲଗାଇଛନ୍ତି। ଗ୍ୟାମନ୍‌ ଇଣ୍ଡିଆ ଦେଶର ବିଭିନ୍ନ ବ୍ୟାଙ୍କ ଠାରୁ ପାଖାପାଖି ୭୦୦୦ କୋଟି ଟଙ୍କାର ଋଣ ନେଇଛି। ସେଥି ମଧ୍ୟରୁ ୩୭୫ କୋଟି ଟଙ୍କାର ଋଣ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ଠାରୁ ନେଇଛି। ନିଜ ଋଣ ଅର୍ଥ ଫେରି ପାଇବା ପାଇଁ ୟୁବିଆଇ ପକ୍ଷରୁ ଗ୍ୟାମନ୍ ଇଣ୍ଡିଆକୁ ଦେବାଳିଆ ଘୋଷଣା କରିବାକୁ ଏନ୍‌ସିଏଲ୍‌ଟିରେ ମାମଲା ଦାୟର କରାଯାଇଥିଲା। ସେହି ମାମଲାର ଶୁଣାଣି କରି ଏନ୍‌ସିଏଲ୍‌ଟିର ମୁମ୍ବାଇ ଖଣ୍ଡପୀଠ କଂପାନିର ମୁଖ୍ୟ ଓ ଅନ୍ୟ ଚାରି ଜଣ ନିର୍ଦେଶକଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇଛନ୍ତି। ଗତ ବର୍ଷ ସେପ୍ଟେମ୍ବର ୨୭ରେ ଏହି ମାମଲାର ଶୁଣାଣି ବେଳେ କଂପାନି କହିଥିଲା ଯେ ଋଣ ଶୁଝିବା ପାଇଁ ଆମେ ଏକ ଠୋସ୍‌ ପ୍ରସ୍ତାବ ପ୍ରଦାନ କରିବୁ। କିନ୍ତୁ ଧାର୍ଯ୍ୟ ସମୟ ସୀମା ଭିତରେ କଂପାନି କୌଣସି ପ୍ରସ୍ତାବ ଦେଇପାରିନଥିଲା। ୨୦୧୮ ଫେବ୍ରୁଆରିରୁ ଗ୍ୟାମନ୍ ଇଣ୍ଡିଆର ସମସ୍ୟା ବଢ଼ିବା ଆରମ୍ଭ ହୋଇଥିଲା। କଂପାନିର ଋଣ ପୁନର୍ଗଠନ କରିବାକୁ ରିଜର୍ଭ ବ୍ୟାଙ୍କ ମନା କରିଦେବା ପରେ କଂପାନି ଜଟିଳ ସମସ୍ୟାରେ ପଡ଼ିଯାଇଥିଲା। ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ, ଯଦି କୌଣସି କଂପାନି ୨୦୦୦ କୋଟି ଟଙ୍କାରୁ ଅଧିକ ଋଣ ନେଇ ଖିଲାପ କରିବ ତେବେ ସେହି ମାମଲାକୁ ୧୮୦ ଦିନ ଭିତରେ ସମାଧାନ କରାଯିବା ବାଧ୍ୟତାମୂଳକ। ଯଦି ସେହି ସମୟ ଭିତରେ କୌଣସି ସମାଧାନ ହୋଇନପାରିଲା ତେବେ କଂପାନିକୁ ଦେବାଳିଆ ଘୋଷଣା କରିବା ପାଇଁ ଏନ୍‌ସିଏଲ୍‌ଟିକୁ ଟଣାଯିବ। ଏନ୍‌ସିଏଲ୍‌ଟିରେ ଯଦି କଂପାନି କେସ୍ ହାରିଯିବ ତେବେ କଂପାନିକୁ ନିଲାମ କରି ସେଥିରୁ ଯେଉଁ ଟଙ୍କା ଆସିବ ତାହାକୁ ପେମେଣ୍ଟ୍‌ ପାଇବାକୁ ଥିବା ସଂସ୍ଥା ମଧ୍ୟରେ ବାଣ୍ଟିଦିଆଯିବ। ପୂର୍ବରୁ ଏନ୍‌ସିଏଲ୍‌ଟି ଏଭଳି ଅନେକ ମାମଲାର ସମାଧାନ ହୋଇଛି। ଭୂଷଣ ଷ୍ଟିଲ୍, ଇଲେକ୍ଟ୍ରୋଷ୍ଟିଲ୍‌ ଷ୍ଟିଲ୍‌ ଭଳି ବଡ଼ କଂପାନିକୁ ନିଲାମ କରାଯାଇଛି।

ସମ୍ବନ୍ଧିତ ଖବର