ମୋତେ ଆର୍ଥିକ ମୃତ୍ୟୁଦଣ୍ଡ ମିଳିଛି

ମୁମ୍ବାଇ: କେନ୍ଦ୍ର ସରକାର ଗତବର୍ଷଠାରୁ କାର୍ଯ୍ୟକାରୀ କରିଥିବା ପଳାତକ ଆର୍ଥିକ ଅପରାଧୀ ଆଇନକୁ ମାଲ୍ୟା ଦୃଢ଼ ବିରୋଧ କରିଛନ୍ତି। ଏହି ଆଇନ ଅଧୀନରେ ତାଙ୍କ ସମ୍ପତ୍ତିକୁ ଜବତ କରି ବାଜ୍ୟାପ୍ତି କରିବା ଏବଂ ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବା ଆର୍ଥିକ ମୃତ୍ୟୁଦଣ୍ଡ ସହିତ ସମାନ ବୋଲି ଦେଶ ଛାଡ଼ି ଲଣ୍ଡନରେ ରହୁଥିବା ମଦ ବ୍ୟବସାୟୀ ମାଲ୍ୟା ବମ୍ବେ ହାଇକୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି। ଗତବର୍ଷ ଅଗଷ୍ଟରୁ ଦେଶରେ ‌ଏହି ନୂଆ ପଳାତକ ଅର୍ଥନୈତିକ ଅପରାଧ ଆଇନ କାର୍ଯ୍ୟକାରୀ ହେଉଛି। ଏହି ଆଇନରେ ରହିଥିବା କେତେକ ବ୍ୟବସ୍ଥାକୁ ମାଲ୍ୟାଙ୍କ ଓକିଲ ଅମିତ ଦେଶାଇ ଆଜି ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ଏହି ସମୟରେ ସେ ଉପରୋକ୍ତ ଯୁକ୍ତି ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି ବିଚାରପତି ରଂଜିତ ମୋରେ ଏବଂ ବିଚାରପତି ଭାରତୀ ଡାଙ୍ଗ୍ରେ କରୁଛନ୍ତି। ଦେଶରେ ତାଙ୍କର ସମ୍ପତ୍ତି ବାଜ୍ୟାପ୍ତି ଉପରେ ସ୍ଥଗିତାଦେଶ ଦେବା ପାଇଁ ସେ ଖଣ୍ଡପୀଠକୁ ଅନୁରୋଧ କରିଥିଲେ। କିନ୍ତୁ ଖଣ୍ଡପୀଠ କୌଣସି ଅନ୍ତରୀଣ ରିହାତି ଦେବାକୁ ମନା କରିଦେଇଥିଲେ।
ମାଲ୍ୟା ତାଙ୍କ ଓକିଲଙ୍କ ମାଧ୍ୟମରେ ଏହା ମଧ୍ୟ କହିଛନ୍ତି, ମୋ ଋଣ ଉପରେ ସୁଧ ବଢ଼ିଚାଲିଛି। ଏହି ଋଣ ପରିଶୋଧ କରିବା ଲାଗି ମୋର ସମ୍ପତ୍ତି ରହିଛି। କିନ୍ତୁ ଋଣକୁ ପରିଶୋଧ କରିବା ପାଇଁ ମୋର ସମ୍ପତ୍ତି ବିକ୍ରି କରିବାକୁ ମୋତେ ଅନୁମତି ମିଳୁନାହିଁ। ମୋ ସମ୍ପତ୍ତି ଉପରେ ମୋର କୌଣସି ଅଧିକାର ନାହିଁ। ଏହା ହେଉଛି ଏକ ଆର୍ଥିକ ମୃତ୍ୟୁ ଦଣ୍ଡ ଏବଂ ଏହି ଦଣ୍ଡ ମୋତେ ଦିଆଯାଇଛି ବୋଲି ସେ କହିଛନ୍ତି। ପଳାତକ ଆର୍ଥିକ ଅପରାଧୀ ଆଇନ ଅନୁଯାୟୀ, ଚଳିତବର୍ଷ ଜାନୁଆରିରେ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଛି। ଏହି ଘୋଷଣାକୁ ଚ୍ୟାଲେଞ୍ଜ କରି ମାଲ୍ୟା ଯେଉଁ ମାମଲା ଦାଏର କରିଛନ୍ତି ତାହାକୁ ହାଇକୋର୍ଟର ଅନ୍ୟ ଏକ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ପଳାତକ ଆର୍ଥିକ ଅପରାଧୀ ଆଇନକୁ ମାଲ୍ୟାଙ୍କ ଓକିଲ ଶ୍ରୀ ଦେଶାଇ ଅତ୍ୟନ୍ତ ନିଷ୍ଠୁର ଏବଂ ଅସାମ୍ବିଧାନିକ ବୋଲି ଦର୍ଶାଇଛନ୍ତି। ଜଣେ ତାଙ୍କ ସମ୍ପତ୍ତି ଅପରାଧ ମାଧ୍ୟମରେ କ୍ରୟ କରିଛନ୍ତି କି ନାହିଁ ତାହାକୁ ନଦେଖି ଏହି ଆଇନ କେନ୍ଦ୍ର ସରକାରଙ୍କୁ ସେହି ସମ୍ପତ୍ତି ନିଜ ଅଧୀନକୁ ନେବାକୁ ଅନୁମତି ପ୍ରଦାନ କରିଛି। ତେବେ ମାଲ୍ୟାଙ୍କ ଓକିଲଙ୍କ ଏହି ଯୁକ୍ତିକୁ ପ୍ରବର୍ତନ ନିର୍ଦେଶାଳୟର ଓକିଲ ଡି ପି ସିଂହ ବିରୋଧ କରିଥିଲେ। ଏହା ନିଷ୍ଠୁର ନୁହେଁ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର