‘ଇ-ସିମ୍‌’କୁ ମିଳିଲା ମଞ୍ଜୁରୀ ,ଏବେ ସିମ୍‌ ନ ବଦଳାଇ ପରିବର୍ତ୍ତନ କରିପାରିବେ ନମ୍ବର ଓ ନେଟଓ୍ଵର୍କ

ନୂଆଦିଲ୍ଳୀ: ସାଧାରଣତଃ ନେଟଓ୍ଵର୍କ ଏବଂ ନମ୍ବର ପରିବର୍ତ୍ତନ କରିବାକୁ ହେଲେ ସେହି ସମୟରେ ସବୁଠାରୁ ବଡ଼ ଅସୁବିଧା ପାଲଟିଥାଏ ସିମକାର୍ଡ଼କୁ ପରିବର୍ତ୍ତନ କରିବା । ଏପରି ମଧ୍ୟ ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନଙ୍କୁ ବର୍ଷକ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ପଡ଼ିଥାଏ, ସେହି ସମୟରେ ରାଜ୍ୟ ଏବଂ ଦେଶ ବଦଳିବା ସହ ସେମାନଙ୍କୁ ନମ୍ବର ମଧ୍ୟ ବଦଳାଇବାକୁ ପଡ଼ିଥାଏ । ନମ୍ବର ସହ ସିମ୍‌କାର୍ଡ ପରିବର୍ତ୍ତନ କରିବା ସେହି ସମୟରେ ବହୁ କଷ୍ଟକର ହୋଇଥାଏ ।

କିନ୍ତୁ ବର୍ତ୍ତମାନ ଆପଣ ବିନା ସିମ୍‌କାର୍ଡ ପରିବର୍ତ୍ତନ କରି ସମାନ ନମ୍ବର ସହ ନେଟଓ୍ଵାର୍କ ମଧ୍ୟ ପରିବର୍ତ୍ତନ କରିପାରିବେ । ଟେଲିକମ ବିଭାଗ ବର୍ତ୍ତମାନ ‘ଇ-ସିମ୍‌କାର୍ଡ଼’କୁ ମଞ୍ଜୁରୀ ପ୍ରଦାନ କରିଛି। ଏହା ଦ୍ୱାରା ଆପଣଙ୍କୁ ନୂଆ ନମ୍ବର ନେବା ପାଇଁ ବାରମ୍ବାର ସିମ୍‌ ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଆପଣ ଗୋଟିଏ ସିମ୍‌କୁ କେବଳ ଅପଡେଟ୍‌ କରାଇ ନମ୍ବର ଏବଂ ନେଟଓ୍ଵର୍କ ସହଜରେ ପରିବର୍ତ୍ତନ କରିପାରିବେ । ଟେଲିକମ୍‌ ବିଭାଗ ସମସ୍ତ ମୋବାଇଲ୍‌ କମ୍ପାନିକୁ ଏମବେଡ୍‌ ସିମ୍‌ ବା ଇ-ସିମ୍‌ ଯୋଗାଇ ଦେଇଛି। ଏହି ସିମ୍‌ଟି ମୋବାଇଲ କିଣିବା ସମୟରେ ମୋବାଇଲ୍‌ରେ ପୂର୍ବରୁ ଖଞ୍ଜା ହୋଇଥିବା ଅବସ୍ଥାରେ ମିଳିବ । ଏଥିପାଇଁ ଆପଣଙ୍କୁ କେବଳ ସର୍ଭିସ ପ୍ରୋଭାଇଡରଙ୍କୁ ଫୋନ କରି ନିଜର ସିମ୍‌ର ଡ଼ାଟା ଅପଡ଼େଟ କରିବା ପାଇଁ ପଡ଼ିବ । ଯଦି ଆପଣ କିଛି ନୂତନ ନେଟଓ୍ଵର୍କ କିମ୍ବା ନମ୍ବର ନେଉଛନ୍ତି ତେବେ କେବଳ ସର୍ଭିସ ପ୍ରୋଭାଇଡରଙ୍କୁ ଫୋନ ଯୋଗେ ନୂତନ କନେକସନ୍‌ର ସମସ୍ତ ସୂଚନା ପ୍ରଦାନ କରିବାକୁ ପଡ଼ିବ। ଏହାପରେ କମ୍ପାନି ସେହି ସିମ୍‌ରେ ହିଁ ଆପଣଙ୍କ ନମ୍ବର ଏବଂ ସମସ୍ତ ସୂଚନା ଅପଡ଼େଟ କରିଦେବେ । ଏହାସହ ଟେଲିକମ୍‌ କମ୍ପାନି ଗ୍ରାହକଙ୍କ ସୁବିଧା ପାଇଁ ଜଣଙ୍କ ପିଛା ସିମ୍‌ କ୍ରୟ କରିବା ସଂଖ୍ୟାରେ ବୃଦ୍ଧି କରିଛି। ବର୍ତ୍ତମାନ ଜଣେ ବ୍ୟକ୍ତି ସର୍ବଧିକ ୯ଟି ସିମ୍‌ ସ୍ଥାନରେ ୧୮ଟି ସିମ୍‌ କିଣିପାରିବେ ।

ସମ୍ବନ୍ଧିତ ଖବର