ଏଟିଏମ୍ ସଂକଟ : ସ୍ଥିତିର ସମୀକ୍ଷା କଲେ ସରକାର, ଖୁବ ଶୀଘ୍ର ସ୍ୱାଭାବିକତା ଫେରିବ

ନୂଆଦିଲ୍ଲୀ : ଦେଶରେ ଏଟିଏମଗୁଡ଼ିକରେ ନଗଦ ଅର୍ଥ ସଂକଟ ଦେଖାଦେଇଥିବାରୁ ସରକାର ସ୍ଥିତି ଉପରେ ନିୟମିତ ନଜର ରଖିଛନ୍ତି । ଆଜି ଅର୍ଥମନ୍ତ୍ରାଳୟ ପକ୍ଷରୁ ଦେଶର ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ଭେଟି ସ୍ଥିତିର ସମୀକ୍ଷା କରିଛନ୍ତି । ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବିଗତ ୨୪ ଘଣ୍ଟା ମଧ୍ୟରେ ଏହାର ଏଟିଏମଗୁଡ଼ିକରେ ନଗଦ ଟଙ୍କାର ଉପଲବ୍ଧତା ବୃଦ୍ଧି ପାଇଛି । ଯଥାଶୀଘ୍ର ସ୍ଥିତିକୁ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି । ସେହିପରି ପିଏନବି, କାନାରା ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏଟିଏମ ଗୁଡ଼ିକର ସ୍ଥିତି ସୁଧୁରୁଛି । ନଗଦ ଅର୍ଥ ଅଭାବ ସମସ୍ୟା ଅଳ୍ପ କେତେକ ସ୍ଥାନରେ ସୀମିତ ରହିଛି । ଆକ୍ସିସ ବ୍ୟାଙ୍କ କହିଛି ଯେ ଏଟିଏମଗୁଡ଼ିକରେ ନଗଦ ଅର୍ଥ ସମସ୍ୟା ସେପରି କିଛି ନାହିଁ ।

ଗତ ତିନି ମାସ ମଧ୍ୟରେ ଦେଶରେ ନଗଦ ଟଙ୍କାର ଚାହିଦାରେ ଅସ୍ୱାଭାବିକ ବୃଦ୍ଧି ପରିଲକ୍ଷିତ ହୋଇଛି । ଚଳିତ ମାସ କେବଳ ପ୍ରଥମ ୧୩ ଦିନରେ ନୋଟ ଯୋଗାଣରେ ୪୫ ହଜାର କୋଟି ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି । ଏହି ନୋଟର ଚାହିଦାରେ ଅସ୍ୱାଭାବିକ ବୃଦ୍ଧି ଦେଶର କେତେକ ଭାଗ ଯେପରିକି ଆନ୍ଧପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି ।

ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସହ ମିଶ ନଗଦର ଅସ୍ୱାଭାବିକ ଚାହିଦା ପୂରଣ କରିବା ଲାଗି ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି । ସରକାର କହିଛନ୍ତି ଯେ ଆମ ପାଖରେ କରେନ୍ସି ନୋଟର ପର୍ଯ୍ୟାପ୍ତ ରିଜର୍ଭ ରହିଥିଲା । ଯାହାର ଉପଯୋଗ ବର୍ତ୍ତମାନ ସୁଦ୍ଧା ଉତ୍ପନ୍ନ ହୋଇଥିବା ସମସ୍ତ ଅସ୍ୱାଭାବିକ ଚାହିଦା ପୂରଣ କରିବା ଲାଗି କରାଯାଇଛି । ନଗଦ ଚାହିଦା ପୂରଣ କରିବା ଲାଗି ଆମ ପାଖରେ ଏବେ ମଧ୍ୟ ସମସ୍ତ ମୂଲ୍ୟ ବର୍ଗର କରେନ୍ସି ନୋଟର ପର୍ଯ୍ୟାପ୍ତ ଷ୍ଟକ ରହିଛି । ଏଥିରେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ମଧ୍ୟ ସାମିଲ ।

ସମ୍ବନ୍ଧିତ ଖବର