ଜିଏସ୍‌ଟି ଆଦାୟ ୮ ହଜାର କୋଟି ଟପିଲା

ଭୁବନେଶ୍ବର: ଓଡ଼ିଶାରେ ୨୦୧୮-୧୯ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ କରାଯାଇଛି। ରାଜ୍ୟରେ ମୋଟ ୮୨୯୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ଯାହା ଧାର୍ଯ୍ୟ କରାଯାଇଥିବା ୫୫୯୦ କୋଟି ଟଙ୍କା ଠାରୁ ବହୁତ ଅଧିକ ବୋଲି ଜିଏସ୍‌ଟି/କେନ୍ଦ୍ରୀୟ କର, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଏବଂ ସୀମା ଶୁଳ୍କ କାର୍ଯ୍ୟାଳୟ, ଭୁବନେଶ୍ବର ଜୋନ୍‌ର ମୁଖ୍ୟ ଆୟୁକ୍ତ ନରେଶ ପେନୁମାକା କହିଛନ୍ତି। ସେ କହିଲେ, ଆମେ ରାଜ୍ୟରେ ୧୭,୭୧୨ କୋଟି ଟଙ୍କାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ, ୨୪୭ କୋଟି ଟଙ୍କାର ସେବା କର ଏବଂ ୫୨୯୭ କୋଟି ଟଙ୍କାର ସୀମା ଶୁଳ୍କ ଆଦାୟ କରିଛୁ। ମୋଟ ଉପରେ ୨୦୧୮-୧୯ରେ ରାଜ୍ୟରେ ୩୧,୩୦୮ କୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟ କରାଯାଇଛି ଯାହା ଦିଆଯାଇଥିବା ଟାର୍ଗେଟ୍ ୨୮,୩୨୦ କୋଟି ଟଙ୍କା ଠାରୁ ୨୯୮୮ କୋଟି ଟଙ୍କା ଅଧିକ ବୋଲି ସେ କହିଛନ୍ତି। ଆଲୋଚ୍ୟ ବର୍ଷ ପାଇଁ ୧୭,୬୨୦ କୋଟି ଟଙ୍କାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଓ ୫୧୧୦ କୋଟି ଟଙ୍କାର ସୀମା ଶୁଳ୍କ ଆଦାୟ କରିବାକୁ ରାଜ୍ୟକୁ ଟାର୍ଗେଟ୍ ଦିଆଯାଇଥିଲା।
୨୦୧୭-୧୮ ବର୍ଷର ତଥ୍ୟ ପ୍ରଦାନ କରି ସେ କହିଛନ୍ତି ଯେ, ଗତବର୍ଷ ୩୦୬୩ କୋଟି ଟଙ୍କାର ଜିଏସ୍‌ଟି, ୧୮,୬୦୦ କୋଟି ଟଙ୍କାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ, ୪୨୭୦ କୋଟି ଟଙ୍କାର ସୀମା ଶୁଳ୍କ ଓ ୧୩୦୫ କୋଟି ଟଙ୍କାର ସେବା କର ଆଦାୟ କରାଯାଇଥିଲା। ୨୦୧୮-୧୯ରେ ସବୁ କ୍ଷେତ୍ରରେ ଓଡ଼ିଶାରେ ଅଧିକ ଟିକସ ଆଦାୟ ହୋଇଛି ବୋଲି ଶ୍ରୀ ପେନୁମାକା କହିଛନ୍ତି। ଏହି ବର୍ଷ ବିମାନ ବନ୍ଦରରୁ ୧୩.୭୭ କେଜି ସୁନା ଜବତ କରାଯାଇଛି ଯାହାର ମୂଲ୍ୟ ହେଉଛି ୪.୪୬ କୋଟି ଟଙ୍କା ଏବଂ ଏହି ମାମଲାରେ ୭ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ବୋଲି ସେ କହିଛନ୍ତି। ଭୁବନେଶ୍ବର ଜୋନ୍‌ ତରଫରୁ ୧୮୩.୧୯ କୋଟି ଟଙ୍କାର ୫୪ଟି ନକଲି ଜିଏସ୍‌ଟି ଇନ୍‌ପୁଟ୍ ଇନ୍‌ଭଏସ୍‌ ମାମଲା ଦାୟର ମଧ୍ୟ କରାଯାଇଥିଲା। ଓଡ଼ିଶାରେ ଜିଏସ୍‌ଟି ପାଇଁ ୨ ଲକ୍ଷ ପାଖାପାଖି ଟିକସଦାତା ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ହଜାର ରାଜ୍ୟ ଭାଗରେ ରହିଥିବା ବେଳେ ଏକ ଲକ୍ଷ ୨୦ ହଜାର ଟିକସଦାତା କେନ୍ଦ୍ର ଭାଗରେ ରହିଛନ୍ତି। ସେମାନଙ୍କୁ ମଧ୍ୟରୁ ୭୦% ଟିକସଦାତା ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍ କରୁଛନ୍ତି। ଏହି ଅବସରରେ ଜିଏସ୍‌ଟି/କେନ୍ଦ୍ରୀୟ କର, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଏବଂ ସୀମା ଶୁଳ୍କ କାର୍ଯ୍ୟାଳୟ ଭୁବନେଶ୍ବର ଜୋନ୍‌ର ଆୟୁକ୍ତ ସଞ୍ଜୀବ ଦେବାଲ୍‌ୱର୍‌ ଏବଂ ଅତିରିକ୍ତ ଆୟୁକ୍ତ ସନ୍ତୋଷ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର