ବାଧ୍ୟତାମୂଳକ ହେବ ସୁନା ଗହଣାର ହଲ୍‌ମାର୍କିଂ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ସୁନା ଗହଣାର ହଲ୍‌ମାର୍କିଂକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଶୁଦ୍ଧତା ନାମରେ ହେଉଥିବା ଠକେଇରୁ ଗ୍ରାହକଙ୍କୁ ରକ୍ଷା କରିବା ଲାଗି ଏହି ନିୟମ ଲାଗୁ ହେବ। ସରକାର ଚଳିତ ସପ୍ତାହରେ ଏ ନେଇ ନିର୍ଦ୍ଦେଶାଳବଳୀ ଜାରି କରିବା ସମ୍ଭାବନା ରହିଛି। ଏହାପରେ ବିନା ହଲ୍‌ମାର୍କିଂରେ ସୁନା ଗହଣା ବିକିବା ସମ୍ଭବ ହେବନାହିଁ। ଫଳରେ ଆଗାମୀ ଦିନରେ ସବୁ ସୁନା ଗହଣା ବ୍ୟବସାୟୀଙ୍କୁ ହଲ୍‌ମାର୍କିଂର ଲାଇସେନ୍ସ ନେବାକୁ ହେବ। ବର୍ତ୍ତମାନ ସୁନା ଗହଣାର ହଲ୍‌ମାର୍କିଂ ଇଚ୍ଛାଧୀନ ରହିଛି। ହଲ୍‌ମାର୍କିଂ ନଥିବା ବ୍ୟବସାୟୀଙ୍କଠାରୁ ଗହଣା କିଣିବା ବେଳେ ଭରସା ଥିବା ବ୍ୟବସାୟୀଙ୍କୁ ହିଁ ଗ୍ରାହକ ପସନ୍ଦ କରିଥାନ୍ତି। ପ୍ରସ୍ତାବିତ ହଲ୍‌ମାର୍କିଂରେ ୨୨ କ୍ୟାରେଟ୍‌, ୧୮ କ୍ୟାରେଟ୍‌ ଏବଂ ୧୪ କ୍ୟାରେଟ୍‌ ସୁନାର ଶୁଦ୍ଧତାକୁ ମପାଯିବ। ଦେଶରେ ଏବେ ପ୍ରାୟ ଅଢ଼େଇ ଲକ୍ଷରୁ ଊର୍ଧ୍ୱ ଗହଣା ବ୍ୟବସାୟୀ ଥିବାବେଳେ ଏମାନଙ୍କ ମଧ୍ୟରୁ କେବଳ ୨୫ ହଜାର ବ୍ୟବସାୟୀଙ୍କ ପାଖରେ ହଲ୍‌ମାର୍କିଂ ଲାଇସେନ୍ସ ରହିଛି।କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀକୁ ଆସନ୍ତା ୬ ମାସ ମଧ୍ୟରେ ଲାଗୁ କରାଯିବ। ଦେଶର ବଡ଼ ସହର ଏବଂ ରାଜ୍ୟ ରାଜଧାନୀ ଗୁଡ଼ିକରେ ୬ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବା ଯୋଜନା ରହିଛି। ତେବେ ଛୋଟ ସହରରେ ଏହାକୁ ବର୍ଷକ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ମିିଳିଥିବା ସୂଚନା ଅନୁଯାୟୀ ନିତି ଆୟୋଗ ଏହି ପ୍ରସ୍ତାବକୁ ଲାଗୁ କରିବା ପାଇଁ ଖାଉଟି ବ୍ୟାପାର ମନ୍ତ୍ରାଳୟକୁ ଦେଇଥିଲା। ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଆଇନ ମନ୍ତ୍ରାଳୟକୁ ପଠାଇଥିଲା। ଆଇନ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

ସମ୍ବନ୍ଧିତ ଖବର