ହୋଣ୍ଡା ଏବର୍ଷ ୮୦୦ କୋଟି ନିବେଶ କରିବ

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଚଳିତ ଆର୍ଥିକ ବର୍ଷ ଭାରତରେ ୮୦୦ କୋଟି ଟଙ୍କା ନିବେଶ କରିବ। ଏଥିସହିତ ଗୋଟିଏ ନୂଆ ମଡେଲ ଗାଡ଼ି ଆଣିବା ସହିତ ୧୮ଟି ଗାଡ଼ିର ଅପ୍‌ଗ୍ରେଡ୍‌ ଆଣିବ। ଏଥିସହିତ କମ୍ପାନି ଏହାର ନେଟଓ୍ଵାର୍କ ସଂଖ୍ୟାକୁ ବୃଦ୍ଧି କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୬୦୦୦ରେ ପହଞ୍ଚାଇବ। ଗ୍ରାହକଙ୍କ ପାଇଁ ମଧ୍ୟ ଜୟ କ୍ଲବ୍‌ ନାମରେ ଏକ ଲୟାଲିଟି କାର୍ଯ୍ୟକ୍ରମ ଆରମ୍ଭ କରିବ। କମ୍ପାନିର ସଭାପତି ତଥା ସିଇଓ ମିନୋରୁ କାଟୋ ଆଜି ଏହି ଘୋଷଣା କରିଛନ୍ତି।
ଏହି ଅବସରରେ ଶ୍ରୀ କାଟୋ କହିଛନ୍ତି ଗତବର୍ଷ ୨୨% ଅଭିବୃଦ୍ଧି ହାସଲ କରିବା ପରେ ଆମେ କ୍ରମାଗତ ତୃତୀୟ ବର୍ଷ ପାଇଁ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ। ୨୦୨୦କୁ ନଜରରେ ରଖି ହୋଣ୍ଡା ଏହାର ୨୦୧୮-୧୯ ଯୋଜନାକୁ ପ୍ରସ୍ତୁତ କରିଛି। ୨୦୨୦କୁ ଲକ୍ଷ୍ୟ ରଖି ହୋଣ୍ଡା ବିଏସ୍‌-୬ ଯାନ ପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛି। ପରିମାଣ ଓ ଗୁଣାତ୍ମକ ମାନ ଦୃଷ୍ଟିରୁ ଭାରତ ଓ ବିଶ୍ୱରେ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି। ସବୁ କାରଖାନାର ଆଧୁନିକୀକରଣ ଓ ୟୁନିଫିକେସନ୍‌ ଉତ୍ପାଦନ ଉପରେ ଜୋର ଦେଉଛି। ଭାରତରେ ବ୍ରାଣ୍ଡ୍‌ର ଶକ୍ତି ବଢ଼ାଇବା ପାଇଁ ନୂଆ ବ୍ରାଣ୍ଡ୍‌ ଆଣ୍ଡ କମ୍ୟୁନିକେସନ୍‌ କାରବାର ଆରମ୍ଭ କରିବାକୁ ଯୋଜନା ରଖିଛି।
ବିଏସ୍‌-୬କୁ ନେଇ ହୋଣ୍ଡା ପକ୍ଷରୁ ବିକ୍ରି, ଇଞ୍ଜିନିୟରିଂ, ଗବେଷଣା ଓ ବିକାଶ, ଖରିଦ ଓ କ୍ୱାଲିଟିକୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି। ଏ ସଂପର୍କରେ କମ୍ପାନି ଉପକରଣ ଯୋଗାଣକାରୀଙ୍କୁ ମଧ୍ୟ ଆଗୁଆ ସୂଚନା ଦେଉଛି। ସୁରୁଖୁରୁରେ ୨୦୨୦ ସୁଦ୍ଧା ସବୁ ଗାଡ଼ି ବିଏସ୍‌-୬ ନିୟମ ଅନୁଯାୟୀ ପ୍ରସ୍ତୁତ କରିବାକୁ କମ୍ପାନି ଉଦ୍ୟମ ଚଳାଇଛି। ଏହି ଅବସରରେ କମ୍ପାନିର ବରିଷ୍ଠ ଉପସଭାପତି (ବିକ୍ରି ଓ ବିପଣନ) ଓ୍ଵାଇ ବି ଗୁଲେରିଆ କହିଛନ୍ତି ଯେ, ୨୦୧୭-୧୮ ଆମ ପାଇଁ ଐତିହାସିକ ବର୍ଷ ଥିଲା। ଆମେ ୪ଟି ନୂଆ ମଡେଲ ଆଣିଥିଲୁ ଓ ୫୦୦ ନୂଆ ଆଉଟଲେଟ୍‌ ଖୋଲିଥିଲୁ। ଭବିଷ୍ୟତରେ ଆମର ଉଦ୍ୟମ ଆହୁରି ବ୍ୟାପକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର