ଆଇସିସି ମହିଳା ଉଦ୍ୟୋଗୀ କମିଟିର ସମ୍ମିଳନୀ ‘ଉଦ୍ୟୋଗୀଙ୍କ ପାଇଁ ପ୍ରତିଦିନ ଉନ୍ନତି ଆଣିବା ଜରୁରୀ’

ଭୁବନେଶ୍ବର: ଉଦ୍ୟୋଗ ଜଗତରେ ସଫଳ ହେବାକୁ ହେଲେ ଲକ୍ଷ୍ୟ ହାସଲ କରିବା ଲାଗି ପ୍ରତିଦିନ କିଛି ନା କିଛି ଉନ୍ନତି ଆଣିବାକୁ ପଡ଼ିବ। ରାତାରାତି ସଫଳତା ମିଳିବ ନାହିଁ। ଯଦିଓ ଦୈନିକ ଉନ୍ନତି ଛୋଟ ଭଳି ମନେ ହେବ କିନ୍ତୁ ବର୍ଷସାରାର ୩୬୫ ଦିନରେ ହୋଇଥିବା ଉନ୍ନତିକୁ ମିଶାଇ ଦେଲେ ତାହା ବାସ୍ତବରେ ବହୁତ ବଡ଼ ଉନ୍ନତି ଭାବେ ଜଣାପଡ଼ିିବ ବୋଲି ନାଚୁରାଲ୍ ସେଲୁନ୍‌ ଶୃଙ୍ଖଳାର ପ୍ରତିଷ୍ଠାତା ସି କେ କୁମାରଭେଲ କହିଛନ୍ତି।

ଆଜି ହୋଟେଲ୍‌ ପାଲ୍‌ ହାଇଟସ୍‌ରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)ର ମହିଳା ଉଦ୍ୟୋଗୀ କମିଟି ତରଫରୁ ‘କର୍ମ-ଜୀବନ ସନ୍ତୁଳନ’ ଉପରେ ଅୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‌ସେ କହିଛନ୍ତି, ଉଦ୍ୟୋଗ ଜଗତରେ ସଫଳ ହୋଇଥିବା ପ୍ରତିଟି ଲୋକଙ୍କ ପାଖରେ ଗୋଟିଏ କଥା ଦେଖିବାକୁ ମିଳେ। ତାହା ହେଉଛି ଲକ୍ଷ୍ୟ ପ୍ରତି ଧ୍ୟାନ। ଧ୍ୟାନ ରହିଲେ ସବୁ କଥା ପାଇଁ ମନରୁ ‘ହଁ’ ଆସିବ। ମନରେ ନକାରାତ୍ମକ ଭାବନା ଆସିବା ଲକ୍ଷ୍ୟପଥରୁ ୯୯% ବିଚ୍ୟୁତ ହୋଇଯିବା ସହ ସମାନ ବୋଲି ସେ କହିଛନ୍ତି। ଠେକୁଆକୁ ଅନୁଧାବନ କରିବା କାହାଣୀ ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି, ଦୁଇଟି ଠେକୁଆ ପଛରେ ଗୋଡ଼ାଇଲେ କିଛି ବି ମିଳିବ ନାହିଁ। କେଉଁ ପଦ୍ଧତି ଏବଂ ପ୍ରକ୍ରିୟାକୁ ଗ୍ରହଣ କରି ଠେକୁଆ ପଛରେ ଗୋଡ଼ାଇଲେ ତାହା ମିଳିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ମହାତ୍ମା ଗାନ୍ଧୀ, ଏପିଜେ ଅବଦୁଲ କଲାମ ଏବଂ ସଚିନ ତେନ୍ଦୁଲକରଙ୍କ ଲକ୍ଷ୍ୟ ପ୍ରତି ରହିଥିବା ନିଷ୍ଠା ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଆଇସିସି ଓଡ଼ିଶା ପରିଷଦର ସହ ଅଧ୍ୟକ୍ଷ ଜେ ବି ପାଣି କହିଛନ୍ତି ଯେ, କର୍ମମୟ ଜୀବନ ଓ ପାରିବାରିକ ଜୀବନ ଭିତରେ ସନ୍ତୁଳନ ଆଣିବା ଲାଗି କୌଣସି ନିର୍ଦିଷ୍ଟ ଫର୍ମୁଲା ନାହିଁ। ମହିଳା ଉଦ୍ୟୋଗୀ ଓ ପେସାଦାରମାନଙ୍କୁ ନିଜ ଜୀବନରେ ଅନେକ ଭୂମିକା ନିର୍ବାହ କରିବାକୁ ପଡ଼ିଥାଏ। ପ୍ରତି ଭୂମିକାରେ ସେମାନେ ନିଜ ପାଇଁ ପ୍ରତିଷ୍ଠା ଏବଂ ସନ୍ତୁଳନ ଆଣିବା ଲାଗି ପ୍ରୟାସ କରନ୍ତି। ଏହା ଏକ ନିରନ୍ତର ପ୍ରକ୍ରିୟା। ପରିସ୍ଥିତି ଅନୁସାରେ ସେମାନଙ୍କୁ ସଠିକ୍ ଭୂମିକା ତୁଲାଇବାକୁ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଓଡ଼ିଶାର ମୁଖ୍ୟ ଜେ ପି ପାଲ, ମହିଳା ଉଦ୍ୟୋଗୀ କମିଟିର ସଂଯୋଜିକା ସୁକିର୍ତୀ ପଟ୍ଟନାୟକ ଓ ସହ-ଅଧ୍ୟକ୍ଷା ଚିଦତ୍ମିକା ଖଟୁଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର