ଆୟକର ଦିବସ ଉପଲକ୍ଷେ: ଆୟକର ବିଭାଗ ଓ ସଶକ୍ତ ଭାରତ

0 48

୧୮୫୭ ମସିହାରେ ସଂଘଟିତ ସିପାହୀ ବିଦ୍ରୋହରେ ତତ୍କାଳୀନ ବ୍ରିଟିସ ସରକାରଙ୍କୁ ପ୍ରଭୂତ କ୍ଷତି ସହିବାକୁ ପଡ଼ିଥିଲା। ସେହି କ୍ଷତିକୁ ଭରଣା କରିବା ଉଦ୍ଦେଶ୍ୟରେ ସେ ସମୟର ବ୍ରିଟିସ ପ୍ରଧାନମନ୍ତ୍ରୀ ଲର୍ଡ ପାଲମେର୍ଷ୍ଟନ୍‌ଙ୍କ ମନ୍ତ୍ରୀମଣ୍ଡଳର ଅର୍ଥମନ୍ତ୍ରୀ ସାର୍‌ ଜେମ୍ସ ଓ୍ଵିଲସନ୍‌ ୧୮୬୦ ମସିହାରେ ଭାରତ ପାଇଁ ପ୍ରଥମ ସଂଘୀୟ ବଜେଟରେ ଲୋକଙ୍କ ଆୟ ଉପରେ କର ଆଦାୟର ପ୍ରସ୍ତାବ ଆଣିଥିଲେ। ଇଂଲଣ୍ଡ ପାର୍ଲାମେଣ୍ଟରେ ତାହା ଅନୁମୋଦିତ ହେବାପରେ ଭାରତରେ ୧୮୬୦ ମସିହା ଜୁଲାଇ ୨୪ ତାରିଖରୁ ଆୟ ଉପରେ ଟିକସ ଲଗାଇବାର କ୍ଷମତା ସେ ସମୟର ଇଂରେଜ ସରକାରଙ୍କୁ ମିଳିଥିଲା। ତେଣୁ ଭାରତରେ ଜୁଲାଇ ୨୪ ତାରିଖକୁ ଆୟକର ଦିବସ ଭାବେ ପାଳନ କରାଯାଏ। ଆୟ ଉପରେ କର ଲାଗୁ କରିବା ପ୍ରାଚୀନ ମିଶର ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଆଧୁନିକ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟକରର ପ୍ରଚଳନ ୧୮୬୧ ଅଗଷ୍ଟ ୫ରୁ ଆରମ୍ଭ ହେଲା। ବି୍ରଟେନ୍‌ରେ ଆୟକରର ପ୍ରଚଳନ ୧୭୯୯ରୁ ଆରମ୍ଭ ହୋଇଛି।
ଭାରତ ସମ୍ବିଧାନର ସପ୍ତମ ଅନୁସୂଚୀର ପ୍ରଥମ ସୂଚୀ ବା ସଂଘ ସୂଚୀରେ ଆୟକର ଉପରେ ନିୟମ ପ୍ରଣୟନ କ୍ଷମତା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି। ବର୍ତ୍ତମାନର ଆୟକର ଅଧିନିୟମଟି ୧ ଅପ୍ରେଲ ୧୯୬୧ରୁ ପ୍ରଚଳିତ। ୧୯୬୩ରେ ପ୍ରଣୟନ କରାଯାଇଥିବା କେନ୍ଦ୍ରୀୟ ରାଜସ୍ୱ ବୋର୍ଡ ଅଧିନିୟମର ଧାରା ୩ ଅନୁସାରେ ୧ ଜାନୁଆରି ୧୯୬୪ରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସ୍ୱତନ୍ତ୍ର ଭାବେ ଭାରତରେ ପ୍ରତ୍ୟକ୍ଷ କରର ପ୍ରଶାସନ, ଲାଗୁକରଣ ଓ କର ସଂଗ୍ରହ ଦାୟିତ୍ୱ ବହନ କରିଛି।
ଆୟକର ଏକ ପ୍ରତ୍ୟକ୍ଷ କର ଅଟେ। ତେଣୁ ଏହା ଲୋକଙ୍କୁ ସିଧାସଳଖ ପ୍ରଭାବିତ କରେ। ଭାରତର ପ୍ରତ୍ୟକ୍ଷ କର ବ୍ୟବସ୍ଥାକୁ ଏକ ପ୍ରଗତିଶୀଳ କର ବ୍ୟବସ୍ଥା କୁହାଯାଏ। ବର୍ଷକୁ ବର୍ଷ ଏହି କର ସଂଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ସଂଗୃହୀତ ଉପରୋକ୍ତ କର ଦେଶର ବିକାଶରେ ହିଁ ବିନିଯୋଗ ହେଉଛି। ରାସ୍ତାଘାଟ, ରେଳ, ବିମାନ ବନ୍ଦର, ପୋତାଶ୍ରୟ ଭଳି ଭିତ୍ତିଭୂମିର ବିକାଶ ଏହି ଟିକସ ସମ୍ବଳ ଯୋଗୁଁ ହିଁ ସମ୍ଭବ ହେଉଛି। ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପରିବହନ, ସମାଜର ଦୁର୍ବଳ ଶ୍ରେଣୀଙ୍କ ଉନ୍ନତି ଓ ଲୋକମାନଙ୍କ ଜୀବନର ବହୁମୁଖୀ ବିକାଶରେ ଆୟକରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଗତିଶୀଳତା ଭାରତର ପ୍ରତ୍ୟକ୍ଷ କର ନୀତିର ଏକ ବୈଶିଷ୍ଟ୍ୟ। ଏକ ସୁଦକ୍ଷ ଓ ପ୍ରଭାବଶାଳୀ କର ପ୍ରଶାସନ ମାଧ୍ୟମରେ ନାଗରିକ ମାନଙ୍କ ଦ୍ୱାରା ସ୍ୱତଃପ୍ରବୃତ କର ପ୍ରଦାନକୁ ଉତ୍ସାହିତ କରିବା ଏ ବିଭାଗର ଅନ୍ୟତମ ଲକ୍ଷ୍ୟ। ତତ୍‌ସହିତ କର ଫାଙ୍କିକୁ ଆଦୌ ନ ସହିବାର ଦୃଢ଼ ଶପଥ ନେଇ ଆୟକର ବିଭାଗ ଏ ଦେଶର ବିକାଶ ପାଇଁ ସଂକଳ୍ପବଦ୍ଧ। ଆଜି ଦେଶରେ ୫୬୦ରୁ ଅଧିକ ଜାଗାରେ ଆୟକର ବିଭାଗର ଅଫିସ ସବୁ ରହିଛି। ପ୍ରାୟ ୫୫ ହଜାରରୁ ଅଧିକ କର୍ମଚାରୀ କର ସଂଗ୍ରହ ଭଳି ରାଷ୍ଟ୍ରୀୟ କର୍ତ୍ତବ୍ୟରେ ନିୟୋଜିତ। ଦେଶ ସ୍ୱାଧୀନ ହେବା ସମୟରେ ଅଳ୍ପ ସଂଖ୍ୟକ ଆୟକର ଦାତା ଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୬ କୋଟିରୁ ଊର୍ଧ୍ୱରେ ପହଞ୍ଚିଲାଣି। ଏହାସତ୍ତ୍ୱେ ୧୩୩ କୋଟି ବିଶିଷ୍ଟ ଭାରତ ବର୍ଷ ପାଇଁ ଏହି ସଂଖ୍ୟା ମୋଟେ ଉତ୍ସାହପ୍ରଦ ନୁହେଁ। ଆର୍ଥିକ ବର୍ଷ ୨୦୧୭-୧୮ରେ ପ୍ରତ୍ୟକ୍ଷ କର ସଂଗ୍ରହ ୧୦.୦୨ ଲକ୍ଷ କୋଟିରେ ପହଞ୍ଚିଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୮% ଅଧିକ।
ସାଢ଼େ ଚାରି କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାରେ ଆର୍ଥିକ ବର୍ଷ ୨୦୧୭-୧୮ରେ ୧୦,୫୩୫ କୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟ ହୋଇପାରିଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୩% ଅଧିକ। ଓଡ଼ିଶାର ପ୍ରମୁଖ ପ୍ରତ୍ୟକ୍ଷ କରଦାତାମାନଙ୍କ ମଧ୍ୟରେ ନାଲ୍‌କୋ, ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ ଏବଂ ଓଡ଼ିଶା ଖଣି ନିଗମ ଆଦି ରହିଛନ୍ତି। ବର୍ତ୍ତମାନ ଆୟକର ବିଭାଗ ନିଜର ସମସ୍ତ କାର୍ଯ୍ୟକୁ ସୂଚନା ପ୍ରଦ୍ୟୋଗିକ ବିଜ୍ଞାନ ମାଧ୍ୟମରେ ନିଷ୍ପାଦନ କରୁଛି। କମ୍ପ୍ୟୁଟର ମାଉସ୍‌ କ୍ଲିକ୍‌ରେ ଆୟକର ରିଟର୍ଣ୍ଣ ଦାଖଲ ହୋଇପାରୁଛି। ରିଫଣ୍ଡ୍‌ ପାଇଁ ବିଭାଗର ଦପ୍ତରକୁ ଆସିବାକୁ ପଡ଼ୁନାହିଁ, ଆପଣାଛାଏ କରଦାତାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯାଉଛି। ଏତଦ୍‌ବ୍ୟତୀତ ଇଲେକ୍‌ଟ୍ରୋନିକ୍ସ ମାଧ୍ୟମରେ ସ୍କୁ୍ରଟିନି, ଅଭିଯୋଗ ସମାଧାନ ଆଦି କରାଯାଉଛି।
ଦେଶର ବିକାଶ ପାଇଁ ଆୟକର ବିଭାଗ ଦ୍ୱାରା ଜାରି ରହିଥିବା ପ୍ରଚେଷ୍ଟାରେ କରଦାତାଙ୍କର ସହଯୋଗ ରହିଆସିଛି। ଆଗକୁ ସେମାନଙ୍କର ସହଯୋଗ ଏ ମହାନ ଦେଶକୁ ନିଶ୍ଚିତ ଭାବେ ବିକାଶର ନୂତନ ଶିଖରରେ ପହଞ୍ଚାଇବ ଏବଂ ବିଶ୍ୱ ଦରବାରରେ ଭାରତକୁ ଆହୁରି ଅଧିକ ସମ୍ମାନଜନକ ସ୍ଥାନ ପ୍ରଦାନରେ ସହାୟକ ହେବ।
ସୁରେଶ ଚନ୍ଦ୍ର ମହାପାତ୍ର
ଆୟକର ବିଭାଗ, ଭୁବନେଶ୍ୱର

ସମ୍ବନ୍ଧିତ ଖବର

Leave A Reply

Your email address will not be published.