ପ୍ରଯୁକ୍ତିରେ ଭାରତ ଅନ୍ୟ ଦେଶ ପାଇଁ ଉଦାହରଣ

ନାଲ୍‌କୋର ଜାତୀୟ ପ୍ରଯୁକ୍ତି ଦିବସ ବକ୍ତତାମାଳା

ଭୁବନେଶ୍ୱର: ବିଗତ କିଛି ବର୍ଷ ଭିତରେ ଭାରତ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ନିଜର ସ୍ଥିତିକୁ ବହୁତ ସୁଦୃଢ଼ କରିପାରିଛି। କ୍ଷେପଣାସ୍ତ୍ର ପରୀକ୍ଷା କ୍ଷେତ୍ରରେ ଏହା ଅନେକ ଦେଶକୁ ପଛରେ ପକାଇ ଦେଇଛି। ଅଗ୍ନି, ପୃଥିବୀ ଓ ଆକାଶ ଭଳି କ୍ଷେପଣାସ୍ତ୍ର ହେଉଛି ଏହାର ପ୍ରମାଣ। ଭାରତ ଏବେ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ନିର୍ମାଣ କରୁଛି। ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ କିଛି ବର୍ଷ ଭିତରେ ଏତେ ଆଗକୁ ବଢ଼ିଯାଇଛି ଯେ ତାହା ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ବୋଲି ଆଇଟିଆର୍‌ ଚାନ୍ଦିପୁରର ନିର୍ଦେଶକ ଡକ୍ଟର ବିନୟ କୁମାର ଦାସ କହିଛନ୍ତି।

ଏଠାରେ ନାଲ୍‌କୋ ପକ୍ଷରୁ ଆୟୋଜିତ ଜାତୀୟ ପ୍ରଯୁକ୍ତି ଦିବସ ବକ୍ତତାମାଳାରେ ଯୋଗ ଦେଇ ‘ପ୍ରଯୁକ୍ତି-ଦୁନିଆ ପାଇଁ ଭାରତ ଏକ ନୂଆ ଚେହେରା’ ଶୀର୍ଷକ ବିଷୟ ଉପରେ ବକ୍ତତା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, କ୍ଷେପଣାସ୍ତ୍ର କ୍ଷେତ୍ରରେ ଭାରତ ସବୁ ସଫଳତା ନିଜ ଉଦ୍ୟମରେ ପାଇଛି। ସେ କହିଲେ, ଅତୀତରେ ଆମକୁ କ୍ଷେପଣାସ୍ତ୍ର ପାଇଁ ଆମେରିକା ଓ ରୁଷିଆ ଭଳି ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା। ତାହା ବ୍ୟୟବହୁଳ ରହିବାରୁ ସରକାର ନିଜ ଉଦ୍ୟମରେ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଆମ ଦେଶର ବୈଜ୍ଞାନିକମାନେ ସେଥିପାଇଁ ଆଗେଇ ଆସିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ବିଫଳତା ମିଳିଲା। ସେହି ବିଫଳତାରୁ ବୈଜ୍ଞାନିକମାନେ ବହୁତ କିଛି ଶିଖିଲେ ଓ ନିଜସ୍ୱ ଜ୍ଞାନକୌଶକଳୁ ଅଧିକ ସୁଦୃଢ଼ କରି ଏଭଳି କ୍ଷେପଣାସ୍ତ୍ର ନିର୍ମାଣ କଲେ ଯାହା ସାରା ଦୁନିଆରେ ଚର୍ଚା ସୃଷ୍ଟି କରିପାରିଛି। ଏ ଦିଗରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମ୍‌ଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି। ପ୍ରଯୁକ୍ତି କ୍ଷେତ୍ର ବିଷୟରେ ସେ କହିଲେ ଯେ, ଆମ ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ଓ ବୈଷୟିକ କଲେଜରେ ପାଠ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ଅଧିକ ବେତନ ଆଶାରେ ବିଦେଶ ଚାଲିଯାଉଛନ୍ତି। ସେମାନଙ୍କ ବୌଦ୍ଧିକ ଶକ୍ତିକୁ ଅନ୍ୟ ଦେଶ ବିନିଯୋଗ କରି ସଫଳତା ପାଉଛନ୍ତି। ଯଦି ସେମାନେ ଭାରତରେ ରହି ନିଜ ଦେଶ ପାଇଁ କାମ କରନ୍ତେ ତେବେ ଭାରତକୁ ପ୍ରଯୁକ୍ତି କ୍ଷେତ୍ରରେ ଆହୁରି ବହୁତ ସଫଳତା ମିଳିପାରନ୍ତା। ସେହିପରି ଦେଶର ଜନସଂଖ୍ୟାରେ ଥିବା ୬୫% ଯୁବବର୍ଗଙ୍କୁ ସଠିକ୍‌ ଦିଗରେ ବ୍ୟବହାର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ୍‌ କେ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର