ଭାରତରେ ଏମିତି ବି ଗାଁ ଅଛି ଯେଉଁଠି ସମସ୍ତେ କୋଟିପତି

ଇଟାନଗର: ଅରୁଣାଚଳ ପ୍ରଦେଶର ତାଓ୍ଵଙ୍ଗ ଜିଲାର ବୋମ୍‌ଜା ଗାଁରେ ଏବେ ସବୁ ପରିବାର କୋଟିପତି। ଦେଶରେ ସମ୍ଭବତଃ ଏହା ପ୍ରଥମ ଗାଁ ଯେଉଁଟି ସବୁ ପରିବାର କୋଟିପତି ହୋଇପାରିଛନ୍ତି। ନିଜର ପରିଶ୍ରମ ବଳରେ ଏହି ଲୋକମାନେ ଧନୀ ହୋଇ ନାହାନ୍ତି। ବରଂ ପ୍ରତିରକ୍ଷା ବିଭାଗ ଏଠାରେ ଜମି ଅଧିଗ୍ରହଣ କରି ଲୋକଙ୍କୁ ବିପୁଳ ପରିମାଣର କ୍ଷତିପୂରଣ ଦେବା ଯୋଗୁଁ ସବୁ ପରିବାର କୋଟିପତି ପାଲଟି ଯାଇଛନ୍ତି। ଫଳରେ ଏହି ଗ୍ରାମଟି ଭାରତର ଏବଂ ଏପରିକି ଏସିଆର ଧନୀ ଗ୍ରାମ ବୋଲି କେତେକ ରିପୋର୍ଟରେ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବୋମ୍‌ଜା ଗ୍ରାମରେ ୩୧ଟି ପରିବାର ବାସ କରନ୍ତି। ଏମାନଙ୍କଠାରୁ ପ୍ରତିରକ୍ଷା ବିଭାଗ ୨୦୦ ଏକର ଜମି ଅଧିଗ୍ରହଣ କରିଛି। ଏମାନଙ୍କୁ କ୍ଷତିପୂରଣ ବାବଦରେ ୪୦.୮ କୋଟି ଟଙ୍କା ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏହି କ୍ଷତିପୂରଣ ବାବଦ ଚେକ୍‌ ଲୋକଙ୍କୁ ପ୍ରଦାନ କରିଛନ୍ତି। ତାଓ୍ଵାଙ୍ଗ ସେନା ଶିବିର ନିର୍ମାଣ ପାଇଁ ପ୍ରତିରକ୍ଷା ବିଭାଗ ଏହି ଜମି ଅଧିଗ୍ରହଣ କରିଛି। ୩୧ଟି ପରିବାର ମଧ୍ୟରୁ ଗୋଟିଏ ପରିବାରକୁ ସର୍ବାଧିକ ୬.୭୩ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିବାବେଳେ ଅନ୍ୟ ଏକ ପରିବାରକୁ ୨.୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅବଶିଷ୍ଟ ୨୯ଟି ପରିବାରକୁ ୧.୦୯ କୋଟି ଲେଖାଏଁ କ୍ଷତିପୂରଣ ଦିଆଯାଇଛି। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଖଣ୍ଡୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତବର୍ଷ ମଧ୍ୟ ରାଜ୍ୟର ୩ଟି ଗ୍ରାମର ୧୫୨ଟି ପରିବାରଠାରୁ ହୋଇଥିବା ଜମି ଅଧିଗ୍ରହଣ ବାବଦରେ ପ୍ରତିରକ୍ଷା ବିଭାଗ ୫୪ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲା। ଏହି ଅଂଚଳରେ ଚୀନ୍‌ ସେନାର ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସେନା ପକ୍ଷରୁ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର